ରାଜଧାନୀକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍‌; ରହିଛି ବମିଖାଲ-ଭିଏସ୍‌ଏସ୍‌ ନଗରର ଏସବୁ ଅଞ୍ଚଳ

ଭୁବନେଶ୍ବର, ୨୧।୧୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରକୁ ପୁଣି ଥରେ ଫେରିଛି କଣ୍ଟେନମେଣ୍ଟ ଜୋନ୍‌। ଏକାଧିକ କୋଭିଡ୍‌ ସଂକ୍ରମିତ ଚିହ୍ନଟ ପରେ ସତର୍କତାମୂଳକ ପଦକ୍ଷେପ ନେଇ ବିଏମସି ମଙ୍ଗଳବାର କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି । ବମିଖାଲର ଜୟଦୁର୍ଗା ନଗର ଓ ଭିଏସ୍‌ଏସ୍‌ ନଗରର ୧୧ ନଂ ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।

ବମିଖାଲ ଜୟଦୁର୍ଗା ନଗରର ପ୍ଲଟ ନମ୍ବର ୧୩୦୩/୧୩୦୪କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ବିଏମ୍‌ସି ନିର୍ଦ୍ଦେଶ ଅନୁଯାୟୀ କଣ୍ଟେନମେଣ୍ଟ ଜୋନରୁ କେହି ବାହାରକୁ ଯାଇପାରିବେ ନାହିଁ କି ପ୍ରବେଶ କରିବେ ନାହିଁ । ଏହି ଜୋନରେ ବିଏମ୍‌ସି ସମସ୍ତ ଅତ୍ୟାବଶ୍ୟକୀୟ ସେବା ଯୋଗାଇଦେବ । କଣ୍ଟେନମେଣ୍ଟ ଜୋନରେ ଥିବା ଲୋକ ୯୩୩୮୭୩୩୬୪୧ ନମ୍ବରରେ କଲ କରି ଔଷଧ ଏବଂ ଅନ୍ୟାନ୍ୟ ଜିନିଷ ମଗାଇ ପାରିବେ ।

ସେହିଭଳି ଭିଏସ୍‌ଏସ୍‌ ନଗର ୧୧ ନଂ ୱାର୍ଡର ପ୍ଲଟ ନମ୍ବର ଏଇ-୨୧୦କୁ କଣ୍ଟେନମେଣ୍ଟ ଜୋନ୍‌ କରାଯାଇଛି। କଣ୍ଟେନମେଣ୍ଟ ଜୋନକୁ ଲାଗି ରହିଥିବା ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯାଇଛି। ବିଏମ୍‌ସି ପକ୍ଷରୁ କଣ୍ଟେନମେଣ୍ଟ ଅଞ୍ଚଳରେ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପଲବ୍ଧ କରାଯିବ ।