ପୁରୁଣା କାମ ଦେଖାଇ ଏମ୍‌ଜିଏନ୍‌ଆରଇଜିଏସ୍‌ ଅର୍ଥ ହଡ଼ପ

ନୂଆଗାଁ, ୮।୧୦ (ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ନାନା ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଏବେ ପୁରୁଣା କାମକୁ ଦେଖାଇ ଅର୍ଥ ହଡପ କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ମାଧ୍ୟମରେ ନୂଆଗାଁ ବ୍ଲକରେ ପ୍ରତିଦିନ ଅନୁଦାନ ହଡପ ହେଉଛି। ଅଭିଯୋଗର ତଦନ୍ତ କରି ସଂପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ସେମାନଙ୍କୁ ସୁରକ୍ଷା ଦିଆଯାଉଛି। କେତେବେଳେ କାମ ନ କରି ଅନୁଦାନ ହଡପ ତ ଆଉ କେତେବେଳେ ଭିନ୍ନକ୍ଷମ, ଗର୍ଭବତୀ, ମୃତ ବ୍ୟକ୍ତିଙ୍କ ନାମରେ ଅନୁଦାନ ଆତ୍ମସାତ୍‌ କରାଯାଉଛି। ଆଉ କେତେବେଳେ ପୁରୁଣା କାମକୁ ଦେଖାଇ ଅନୁଦାନ ଚଳୁ ହେଉଛି।
ସୂଚନା ଅନୁଯାୟୀ, ମାଳିସାହି ପଞ୍ଚାୟତ ବେଗୁନିଆ ସାହିଠାରୁ ମାଳିସାହି ରାସ୍ତାର ଉନ୍ନତୀକରଣ ପାଇଁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ୮।୭।୨୦୨୦ରେ ୯ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ସେଥିରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି ା ଉପରୋକ୍ତ ରାସ୍ତା ନିର୍ମାଣ ୧୮।୫।୨୦୨୧ରେ ଆରମ୍ଭ କରାଯାଇଥିଲା। ୧୧।୮।୨୩ ତାରିଖ ସୁଦ୍ଧା ୫୬୩ ଜଣ ଶ୍ରମିକ ୩୨୩୨ ଦିନ କାର୍ଯ୍ୟ କରି ୬୯୫୩୮ ଟଙ୍କା ମଜୁରି ବାଦଦରେ ନେଇଛନ୍ତି। ତେବେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଓ ମାଳିସାହି ପଞ୍ଚାୟତ ନାଏବ ସରପଞ୍ଚ କୀର୍ତ୍ତନ ପ୍ରଧାନଙ୍କ ଅଭିଯୋଗ ମୁତାବକ ଉକ୍ତ ରାସ୍ତାର ଉନ୍ନତୀକରଣ କାର୍ଯ୍ୟ କରା ନ ଯାଇ ପୁରୁଣା କାମକୁ ଦେଖାଇ ବିଲ୍‌ କରାଯାଉଛି। କେବଳ ସେହି ଗୋଟିଏ କାମ ନୁହେଁ ମାଳିସାହି ପଞ୍ଚାୟତରେ ଅନେକ କାମ ନ ହୋଇ ମଧ୍ୟ ଅନୁଦାନ ଆତ୍ମସାତ୍‌ କରାଯାଇଥିବା ନାଏବ ସରପଞ୍ଚ ପ୍ରଧାନ ଅଭିଯୋଗ କରିଛନ୍ତି। ଏ ବାବଦରେ ମାଳିସାହି ପଞ୍ଚାୟତ ଦାୟିତ୍ୱରେ ଥିବା ଯନ୍ତ୍ରୀ ଉମେଶ ଚନ୍ଦ୍ର ମହାପାତ୍ରଙ୍କୁ ପଚାରିବାରେ ମୁଁ ଅକ୍ଟୋବର ୨୦୨୧ରେ ଦାୟିତ୍ୱ ନେବା ପରେ ରାସ୍ତା କାମ କରାଯାଇ ନାହିଁ। ମୋ ପୂର୍ବରୁ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କ ସମୟରେ କାମ ହୋଇ ଥାଇପାରେ ବୋଲି କହିଛନ୍ତି। ତେବେ ଦୀର୍ଘ ଦୁଇ ବର୍ଷ ହେଲା କାମ କରାଯାଇ ନ ଥିବା ବେଳେ ବର୍ତ୍ତମାନ କିଭଳି ବିଲ୍‌ କରାଯାଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିଭଳି ଉଦୟପୁର ପଞ୍ଚାୟତରେ ଜଣେ ପକ୍ଷାଘାତ ରୋଗୀଙ୍କୁ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଶ୍ରମିକ ଦର୍ଶାଇ ଅନୁଦାନ ହଡପ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ସଂପୃକ୍ତ କର୍ମଚାରୀଙ୍କୁ ସୁରକ୍ଷା ଦେଇ ପକ୍ଷାଘାତ ରୋଗୀ ଶ୍ରମିକମାନଙ୍କୁ ପାଣି ଯୋଗାଇଥିବା ରିପୋର୍ଟ ଦାଖଲ କରି ଅଭିଯୋଗକୁ ଚାପି ଦେବାକୁ ପ୍ରୟାସ କରାଯାଉଛି। ତେବେ ଏମ୍‌ଜିଏନ୍‌ଆରଇଜିଏସରେ ୨୨ ପ୍ରତିଶତ ପିସି କାରବାର କରି ଅଧିକାରୀ, କର୍ମଚାରୀଙ୍କୁ ସବୁଠାରୁ ଅଧିକ ଲାଭବାନ କରୁଥିବା କେତେଜଣ ଠିକାଦାର କହିଛନ୍ତି। ଏ ବାବଦରେ ଜିଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ମନୋରଞ୍ଜନ ହୋତାଙ୍କୁ ପଚାରିବାରେ ଲିଖିତ ଭାବେ ଦିଅନ୍ତୁ, ନିଶ୍ଚିତ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।