ଥୁଆମୂଳ ରାମପୁର, ୨ା୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବାଗଡ଼ିଆଣି ଗ୍ରାମପଞ୍ଚାୟତ ଅନ୍ତର୍ଗତ କମରାଘାଟ ଗ୍ରାମରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା କାର୍ଯ୍ୟାନ୍ୱୟନରେ ବ୍ୟାପକ ଅନିୟମିତତା ହୋଇଥିବା ଖବର ସାମ୍ନାକୁ ଆସିଛି। ସମ୍ପୃକ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରତାପ ସାହୁ ଏବଂ ଅଞ୍ଚଳର କିଛି ମୁଷ୍ଟିମେୟ ପ୍ରଭାବଶାଳୀ ବ୍ୟକ୍ତି ମିଶି ସରକାରୀ ନିୟମକୁ ବେଖାତିର କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହେଉଛି। କାଗଜପତ୍ର ଓ ସରକାରୀ ପୋର୍ଟାଲରେ ପ୍ରକଳ୍ପ ସଫଳତାର ସହ ଚାଲିଥିବା ଦର୍ଶାଯାଇଥିବା ବେଳେ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଓଲଟା ରହିଛି।
ସୂଚନା ଅନୁଯାୟୀ, କମରାଘାଟ ଗ୍ରାମର “ଖଣ୍ଡୁଆଳ ମନ୍ଦିରରୁ ନୂଆପଡ଼ା ମୁରୁମ ମେଟାଲ ରାସ୍ତା ନିର୍ମାଣ” (ପ୍ରକଳ୍ପ ସଂକେତ: ୨୪୧୦୦୦୭୦୨୦/ଆର୍ସି/୧୦୬୦୭୨୦୫ ପାଇଁ ଆର୍ଥିକ ବର୍ଷ ୨୦୨୪-୨୫ ରେ ସରକାରଙ୍କ ତରଫରୁ ମୋଟ ୯ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଥିଲା। ସରକାରୀ ୱେବସାଇଟ୍ର ତଥ୍ୟ ମୁତାବକ, ଏହି ପ୍ରକଳ୍ପ ବାବଦକୁ ଏପର୍ଯ୍ୟନ୍ତ ମୋଟ ୨,୯୦,୫୧୮.୨ ଟଙ୍କା ଖର୍ଚ୍ଚ ସରିଛି। ନଥିପତ୍ର ଅନୁସାରେ ୧୧୮ ଜଣ ଶ୍ରମିକଙ୍କୁ ମୋଟ ୭୭ ଶ୍ରମ ଦିବସର କାମ ଯୋଗାଇ ଦିଆଯାଇଥିବା ଦର୍ଶାଯାଇଛି। କିନ୍ତୁ କାଗଜପତ୍ର ଅନୁସାରେ ରାସ୍ତା ନିର୍ମାଣ କାର୍ଯ୍ୟ ବେଶ୍ ଆଗେଇ ଚାଲିଥିବା ଏବଂ ଲକ୍ଷାଧିକ ଟଙ୍କାର ବ୍ୟୟ ହୋଇସାରିଥିବା ଦର୍ଶାଯାଇଥିଲେ ହେଁ ବାସ୍ତବ ଜମି ବା ରାସ୍ତାରେ କୌଣସି ସୁଚାରୁ କାମର ଚିହ୍ନବର୍ଣ୍ଣ ନାହିଁ। କେବଳ କିଛି ମେଟାଲ (ପଥର ଖଣ୍ଡ) ରାସ୍ତା କଡ଼ରେ କାଁ ଭାଁ ପକାଇ ଦେଇ ପ୍ରଶାସନ ନିଜ କର୍ତ୍ତବ୍ୟ ଶେଷ କରିଦେଇଛି। ନା ମୁରୁମର ସଠିକ୍ ଆସ୍ତରଣ ଦିଆଯାଇଛି, ନା ରାସ୍ତାର ସମ୍ପ୍ରସାରଣ କରାଯାଇଛି। କ୍ଷେତ୍ରସ୍ତରରେ ଶ୍ରମିକଙ୍କ କାର୍ଯ୍ୟ ସମ୍ପୂର୍ଣ୍ଣ ଶୂନ ଥିବା ବେଳେ ଜାଲ୍ ମଷ୍ଟର ରୋଲ୍ ସାହାଯ୍ୟରେ ଗରିବ ଶ୍ରମିକଙ୍କ ହକ୍ର ପଇସା ହରିଲୁଟ୍ କରାଯାଇଥିବା ସ୍ପଷ୍ଟ ହେଉଛି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ନିୟମ ଅନୁଯାୟୀ ପ୍ରକଳ୍ପ ସ୍ଥଳର କୌଣସି ଜିଓ-ଟ୍ୟାଗ୍ ଫଟୋ ସରକାରୀ ପୋର୍ଟାଲରେ ଉପଲବ୍ଧ ନାହିଁ ଏବଂ ଅଫିସିଆଲ୍ ପୃଷ୍ଠାରେ ‘ଫଟୋ ଉପଲବ୍ଧ ନାହିଁ’ ବୋଲି ସ୍ପଷ୍ଟ ଦେଖାଯାଉଛି। ଏହି ସମ୍ପର୍କରେ ପ୍ରତିକ୍ରିୟା ନେବା ପାଇଁ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ପ୍ରତାପ ସାହୁଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ସେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।
ଅପରପକ୍ଷରେ ଥୁଆମୂଳ ରାମପୁର ବିଡ଼ିଓ ଧ୍ରୁବ ଚରଣ ମୁଦୁଲିଙ୍କୁ ପଚାରିବାରୁ ସେ କହିଛନ୍ତି, “ଆମେ ଦେଖୁଛୁ କଣ ହୋଇଛି, ତଦାରଖ କଲାପରେ ଯାହା ଜଣାପଡ଼ିବ। ବର୍ତ୍ତମାନ ଏସଆଇଆର ପାଇଁ ଆମ ଉପରେ ଅଧିକ କାର୍ଯ୍ୟଭାର ଅଛି। କଣ ହୋଇଛି ମୁଁ ଜେଇ ମାନଙ୍କଠାରୁ ବୁଝୁଛି।” ଏଠାରେ ପ୍ରକାଶ ଯୋଗ୍ୟ ଯେ, ବାଗଡ଼ିଆଣି ଗ୍ରାମପଞ୍ଚାୟତରେ କେବଳ ମନରେଗା ନୁହେଁ, ବରଂ ଆଇଟିଡିଏ, ଏସଏଫସି ଏବଂ ସିଏଫସି ଭଳି ଅନେକ ସରକାରୀ ଯୋଜନାର କାର୍ଯ୍ୟରେ ମଧ୍ୟ ବ୍ୟାପକ ଅନିୟମିତତା ଓ ଅର୍ଥ ହେରଫେର ହୋଇଥିବା ଅଭିଯୋଗ ହେଉଛି, ଯେଉଁଥିରେ ଏହି ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ସମେତ ଆଉ କିଛି ଯନ୍ତ୍ରୀ ସମ୍ପୂର୍ଣ୍ଣ ସମ୍ପୃକ୍ତି ଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଜଣେ କନିଷ୍ଠ ଯନ୍ତ୍ରୀ କେମିତି ବିନା କାମରେ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ବିଲ୍ ପାସ୍ କରୁଛନ୍ତି, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସରକାରୀ ଅର୍ଥକୁ ବେଧଡ଼କ ଭାବେ ହେରଫେର କରୁଥିବା ଏହି ଅସାଧୁ ଯନ୍ତ୍ରୀ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଭିଜିଲାନ୍ସ ବିଭାଗ ତୁରନ୍ତ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକ ଅଛି, ଏଭଳି ଯନ୍ତ୍ରୀ ଙ୍କ ବିରୋଧରେ ଅନେକ ସମୟରେ ଲିଖିତ ଅଭିଯୋଗ ଓ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାର ପରେ ମଧ୍ୟ କାହିଁକି ଭିଜିଲାନ୍ସ ବିଭାଗ ଚୁପ୍ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଦାବି ହେବ ସହ ଚର୍ଚ୍ଚା ଜୋର ଧରିଛି। ଏଭଳି ସ୍ଥିତିରେ ଖବର ପ୍ରସାରଣ ପରେ ବ୍ଲକ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ ଦୋଷୀ ଅଧିକାରୀ ଓ ସମ୍ପୃକ୍ତ ପ୍ରଭାବଶାଳୀ ବ୍ୟକ୍ତିଙ୍କ ବିରୋଧରେ କଣ ପଦକ୍ଷେପ ନେଉଛି, ତାହା ଦେଖିବାକୁ ବାକି ରହିଲା।