ମେଧାବୀ ଛାତ୍ରୀ କର୍ମାଙ୍କୁ ମିଳିଲା ସରକାରୀ ସହାୟତା

ମାଲକାନଗିରି,୩୧ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିର ମେଧାବୀ ଛାତ୍ରୀ କର୍ମା ମୁଦୁଲିଙ୍କୁ ସରକାରୀ ସହାୟତା ପ୍ରଦାନ କରାଯାଇଛି। କର୍ମା ଗତବର୍ଷ ଯୁକ୍ତଦୁଇ ବାଣିଜ୍ୟରେ ଜିଲା ଟପ୍ପର ଭାବେ ଉତ୍ତୀର୍ଣ୍ଣ ହୋଇଥିଲେ। ସେ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ତାଙ୍କୁ ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି।

ପ୍ରକାଶ ଥାଉ କି, ବଣ୍ଡାଘାଟି ପଡ଼େଇଗୁଡ଼ା ଗ୍ରାମର କର୍ମା ମୁଦୁଲି ଗତବର୍ଷ ଯୁକ୍ତ ଦୁଇ ବାଣିଜ୍ୟରେ ପ୍ରାୟ ୮୦ ପ୍ରତିଶତ ନମ୍ବର ରଖି ଜିଲା ଟପ୍ପର ହୋଇଥିଲେ। ଜଣେ ବଣ୍ଡା ଝିଅ ଜିଲାରେ ଟପ୍ପର ହୋଇଥିବା ବେଳେ ଜିଲା ପ୍ରଶାସନ, ରାଜ୍ୟ ସରକାରଙ୍କ ତରଫରୁ ତାଙ୍କୁ ଅଧିକ ପାଠ ପଢ଼ିବା ପାଇଁ ସମସ୍ତ ପ୍ରକାର ସାହାଯ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା। କିନ୍ତୁ ଏହି ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ହିଁ ରହି ଯାଇଥିଲା। କର୍ମାଙ୍କୁ ପ୍ରଶାସନ ତରଫରୁ ରମାଦେବୀ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରରେ ଭର୍ତ୍ତି କରାଯାଇଥିଲା ସତ କିନ୍ତୁ ତାଙ୍କର ନିଜସ୍ବ ଖର୍ଚ୍ଚ ଯେପରିକି ପାଠ୍ୟ ଉପକରଣ କିଣିବା, ପେନ୍‌, ପେନ୍‌ସିଲ, ଖାତା ଭଳି ସାଧାରଣ ସାମଗ୍ରୀ କିଣିବା ପାଇଁ ଅର୍ଥ ବାଧକ ସାଜିଥିଲା। ଫଳରେ ବର୍ତ୍ତମାନ ଛୁଟି ସମୟରେ କର୍ମା ନିଜ ଗ୍ରାମକୁ ଆସି ଦିନ ମଜୁରିଆ ଭାବେ କାମ କରୁଥିବା ଦେଖିବାକୁ ମିଳିଥିଲା। ଏହା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଲା ପରେ ପ୍ରଶାସନ ତତ୍ପର ହୋଇ ଉଠିଛି। ବୁଧବାର କର୍ମାଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୩୦ ହଜାର ଟଙ୍କାର ଏକ ଚେକ୍‌ ପ୍ରଦାନ କରାଯାଇଛି। କର୍ମା ରମାଦେବୀ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ି ତାଙ୍କର ମାସକୁ ୩ ହଜାର ଟଙ୍କା ହିସାବରେ ୩୦ ହଜାର ଟଙ୍କା ନିଜସ୍ବ ଖର୍ଚ୍ଚ ନିମନ୍ତେ ଜିଲାପାଳ ବିଶାଲ ସିଂଙ୍କ ଦ୍ୱାରା ପ୍ରଦାନ କରାଯାଇଛି। ଏଥିସହ ତାଙ୍କ ମାତାପିତାଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି ପ୍ରଶାସନ ତରଫରୁ ପ୍ରତିଶ୍ରୁତି ବି ମିଳିଛି।