୩୪ ଡିଗ୍ରୀ ଡେଇଁଲା ପାରଦ

ଭୁବନେଶ୍ୱର,୭ା୨(ବ୍ୟୁରୋ):ଚଳିତବର୍ଷ ଫେବୃୟାରୀରୁ ପାରଦ ଉପରମୁହଁା ହେବା ଆରମ୍ଭ କରିଛି। ସର୍ବନିମ୍ନ ତାପମାତ୍ରା ୩୪ ଡିଗ୍ରୀ ଡେଇଁଲାଣି। ଆସନ୍ତା ସପ୍ତାହରେ ଆହୁରି ତତେଇବ। ସ୍ବାଭାବିକଠାରୁ ତାପମାତ୍ରା ଅଧିକ ରହିବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବର୍ଷାର ଅଭାବ, ଜଳବାୟୁରେ ପରିବର୍ତ୍ତନ ଓ ଜଙ୍ଗଲ ହ୍ରାସ ଯୋଗୁ ତାତି ବଢ଼ିବା ସମ୍ଭାବନା ରହିଛି। ଚଳିତବର୍ଷ ରାଜ୍ୟରେ ଫେବୃୟାରୀ ମାସରେ ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହିବ ବୋଲି ଅନୁମାନ କରାଯାଉଛି। ରବିବାର ରାଜ୍ୟର ଅଧିକାଂଶ ଅଞ୍ଚଳରେ ଦିନର ତାପମାତ୍ରା ୩୦ ଡିଗ୍ରୀ ଉପରେ ରହିଥିବା ବେଳେ ସୋମବାର ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧରେ ସର୍ବାଧିକ ତାପମାତ୍ରା ୩୪.୫ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୩୪.୨, ବରଗଡ଼ ୩୩, ନୟାଗଡ଼ ୩୩, ମାଲକାନଗିରି ୩୩.୫, ବଲାଙ୍ଗୀର ୩୩, ତାଳଚେର ୩୩.୨, ଝାରସୁଗୁଡ଼ା ୩୩.୨, ସମ୍ବଲପୁର ୩୩.୬, ଟିଟିଲାଗଡ଼ ୩୩ ଏବଂ ରାଉରକେଲାରେ ସର୍ବାଧିକ ତାପମାତ୍ରା ୩୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।
ଗତ ୩ ମାସ ହେବ ରାଜ୍ୟରେ ବର୍ଷା ଟୋପାଏ ନାହିଁ। ଉପକୂଳ ଓଡ଼ିଶାରେ ଦିନର ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ ୨ ରୁ ୩ ଡିଗ୍ରୀ ଅଧିକ ରହୁଥିବା ବେଳେ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ କମ ରହୁଛି। ଏବେ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ବାୟୁ ପ୍ରବାହ ରହୁଛି। ଆସନ୍ତା ୧୧ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ଦିଗରୁ ବାୟୁ ପ୍ରବାହିତ ହେବ। ଏଥିଯୋଗୁ ତାପମାତ୍ରା ଆହୁରି ବଢ଼ିବା ନେଇ ଆକଳନ କରାଯାଇଛି। ପାଣିପାଗ ବିଶେଷଜ୍ଞଙ୍କ କହିବା କଥା ହେଲା, ଅକ୍ଟୋବରରୁ ପୂର୍ବ ଭାରତରେ ବର୍ଷା ନାହିଁ। ଚଳିତବର୍ଷ ପଶ୍ଚିମା ବାୟୁ ଉତ୍ତର-ପଶ୍ଚିମ ଭାରତରୁ ମାସକୁ ଦୁଇ ବା ତିନିଥର ପୂର୍ବ ଭାରତକୁ ଆସିଥାଏ। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ବର୍ଷା ହୋଇଥାଏ। କିନ୍ତୁ ଚଳିତବର୍ଷ ଏହା ନ ଥିବାରୁ ସୂର୍ଯ୍ୟ କିରଣର ବିକିରଣ ବାୟୁମଣ୍ଡଳକୁ ଉତ୍ତପ୍ତ କରିବାରେ ସହାୟକ ହେଉଛି। ଏହାଛଡ଼ା ଦ୍ରୁତ ଶିଳ୍ପାୟନ ଓ ସହରୀକରଣରୁ ମଧ୍ୟ ତାପମାତ୍ରା ବଢ଼ୁଛି।