ଖଣ୍ଡା ଚୋଟରେ ସ୍ୱାମୀ ଗୁରୁତର, ୩ ଦିନ ପରେ ବି ପୋଲିସ ହାତ ଖାଲି: ନ୍ୟାୟ ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ପତ୍ନୀ

ଛତ୍ରପୁର,୧୧।୧୧(ଦିଲ୍ଲୀପ ସାମଲ): ରାସ୍ତା ମଝିରେ ସଂଘାତିକ ଆକ୍ରମଣ। ଖଣ୍ଡା ଚୋଟରେ ସ୍ୱାମୀ ଗୁରୁତର ହୋଇ ଡାକ୍ତରଖାନାରେ ଜୀବନ ସହ ସଂଗ୍ରାମ କରୁଥିବା ବେଳେ ଘଟଣାର ୩ ଦିନ ପରେ ବି ଅଭିଯୁକ୍ତଙ୍କୁ ଗିରଫ କରିନି ପୋଲିସ। ପୋଲିସର ଏଭଳି ନିଷ୍କ୍ରିୟତାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ନ୍ୟାୟ ଓ ପରିବାରର ସୁରକ୍ଷା ଦାବିରେ ଛତ୍ରପୁର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତଙ୍କ ପତ୍ନୀ।

ସୂଚନା ଅନୁଯାୟୀ, ଗତ ୮ ତାରିଖ ରାତିରେ ରମ୍ଭା ଥାନା ଅନ୍ତର୍ଗତ କଳାଯମୁନା ଗ୍ରାମର ବସନ୍ତ ମାଳି ନିଜ ବୁଲେଟ୍‌ରେ ଘରକୁ ଫେରୁଥିଲେ। ଗାଁ ଛକ ନିକଟରେ ଗାଡ଼ିଟି ଅଚଳ ହୋଇପଡ଼ିବାରୁ ସେ ସ୍ଥାନୀୟ ରାଜେନ୍ଦ୍ର ମାଳିଙ୍କ ସହଯୋଗରେ ବାଇକ୍‌ ଷ୍ଟାର୍ଟ କରୁଥିଲେ। ଏହି ସମୟରେ ହଠାତ୍‌ ରିତେଶ ମାଳି, ରାଜା ମାଳି ଓ ପବିତ୍ର ସାହୁ ସେଠାରେ ପହଞ୍ଚି ବସନ୍ତଙ୍କୁ ସଂଘାତିକ ଆକ୍ରମଣ କରିଥିଲେ। ରିତେଶଙ୍କ ଖଣ୍ଡା ଚୋଟରେ ବସନ୍ତଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ପ୍ରଥମେ ଛତ୍ରପୁର ଡାକ୍ତରଖାନା ଓ ପରେ ରକ୍ତସ୍ରାବ ବନ୍ଦ ନହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଏନେଇ ବସନ୍ତଙ୍କ ପତ୍ନୀ ଶିବାନୀ ମାଳିଙ୍କ ଅଭିଯୋଗ ଆଧାରରେ ରମ୍ଭା ଥାନାରେ କେସ୍‌ ନଂ ୦୭୯୦/୨୦୨୬ରେ ମାମଲା ରୁଜୁ ହୋଇଛି। ହୁମା ଫାଣ୍ଡି ଅଧିକାରୀ ଏସ୍‌ଆଇ ବିନୟ କୁମାର ଦାସ ଏହାର ତଦନ୍ତ କରୁଥିବା ଥାନାଧିକାରୀ କୁମାର ମୁଦୁଲି ସୂଚନା ଦେଇଛନ୍ତି।

ତେବେ ଅଭିଯୁକ୍ତମାନେ ଆଜି ପର୍ଯ୍ୟନ୍ତ ଗିରଫ ନ ହେବା ପଛରେ ଜଣେ ହୋମଗାର୍ଡଙ୍କ ହାତ ଥିବା ଶିବାନୀ ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ହୋମଗାର୍ଡ ଅଭିଯୁକ୍ତମାନଙ୍କ ସମ୍ପର୍କୀୟ ହୋଇଥିବାରୁ ସେମାନଙ୍କୁ ଆଶ୍ରୟ ଓ ସୁରକ୍ଷା ଦେବା ସହ ପୋଲିସ କାର୍ଯ୍ୟାନୁଷ୍ଠାନରେ ପ୍ରଭାବ ପକାଉଛନ୍ତି। ଏପରିକି ଆକ୍ରମଣକାରୀମାନେ ଜୀବନରୁ ମାରିଦେବାକୁ ଧମକ ଦେଉଥିବାରୁ ପରିବାର ଲୋକେ ଭୟଭୀତ ହୋଇ ଅନ୍ୟ ଏକ ଗାଁରେ ଆଶ୍ରୟ ନେଇଛନ୍ତି।

ବୁଧବାର ଶିବାନୀ ଛତ୍ରପୁର ଏସ୍‌ପିଙ୍କୁ ସାକ୍ଷାତ କରି ଲିଖିତ ଭାବେ ନିଜର ଅଭିଯୋଗ ଜଣାଇଛନ୍ତି। ତିନି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା, ସମ୍ପୃକ୍ତ ହୋମଗାର୍ଡଙ୍କ ଭୂମିକାର ନିରପେକ୍ଷ ତଦନ୍ତ କରିବା ଏବଂ ତାଙ୍କ ପରିବାରକୁ ତୁରନ୍ତ ପୋଲିସ ସୁରକ୍ଷା ଯୋଗାଇଦେବାକୁ ସେ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Share