କରୋନା ଯୋଗୁ ବଢୁଛି ମାନସିକ ରୋଗୀଙ୍କ ସଂଖ୍ୟା

ଭୁବନେଶ୍ୱର,୧୦।୧୦(ବ୍ୟୁରୋ)- କୋଭିଡ୍‌-୧୯ ଯୋଗୁ ରାଜ୍ୟରେ ମାନସିକ ଅବସାଦ ରୋଗୀଙ୍କ ସଂଖ୍ୟା ବଢ଼ିଛି। ରବିବାର ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର ଏହି ସୂଚନା ଦେଇଛନ୍ତି। ପରିସ୍ଥିତିର କିପରି ସମାଧାନ ହୋଇପାରିବ ସେଥିପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଜିଲାର ମାନସିକ ଚିକିତ୍ସା ୟୁନିଟ୍‌ ମାଧ୍ୟମରେ ମୋବାଇଲ ମେଣ୍ଟାଲ ହେଲ୍‌ଥ ୟୁନିଟ୍‌ ଗଠନ କରାଯାଇଛି। ଏହି ୟୁନିଟ୍‌ ସଙ୍ଗରୋଧ କେନ୍ଦ୍ରକୁ ଯାଉଥିଲେ ଏବଂ ଲୋକମାନଙ୍କ ମାନସିକ ସମସ୍ୟା ନିବାରଣ କରିବାକୁ ଚେଷ୍ଟା କରୁଥିଲେ। ସେହିପରି ମାନସିକ ରୋଗ ବିଭାଗରେ କଲ୍‌ ସେଣ୍ଟର ମଧ୍ୟ ସ୍ଥାପନ କରାଯାଇଛି। ଏହି କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର ସରକାର ରାଜ୍ୟକୁ ପୁରସ୍କୃତ କରିଛନ୍ତି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ତେବେ ଏହି କାର୍ଯ୍ୟ କିପରି ଆଗକୁ ଆହୁରି ତ୍ୱରାନ୍ବିତ ହୋଇପାରିବ ସେ ଦିଗରେ ବୈଠକ ମାଧ୍ୟମରେ ଆଲୋଚନା ହୋଇଛି। ଏଥିପାଇଁ ଜିଲାସ୍ତରୀୟ ଅଧିକାରୀମାନଙ୍କୁ ସ୍ବତନ୍ତ୍ର ନିର୍ଦ୍ଦେଶ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି।

କୋଭିଡ୍‌ ମହାମାରୀ ସମୟରେ ଅଧିକ ଭୟଭୀତ ନ ହୋଇ ଏହାର ମୁକାବିଲା କରନ୍ତୁ। ନିୟମିତ ଶାରୀରିକ ପରିଶ୍ରମ କରନ୍ତୁ। ସେହିପରି ଦୈନିକ ଅତି କମ୍‌ରେ ୬ରୁ ୮ଘଣ୍ଟା ନିଦ୍ରା ଯାଆନ୍ତୁ, ବିଭିନ୍ନ ପ୍ରକାର କାର୍ଯ୍ୟରେ ନିଜକୁ ନିୟୋଜିତ କରନ୍ତୁ। ଯେପରିକି ପଢ଼ିବା, ଲେଖିବା, ବଗିଚା କାମ କରିବା ସହ ପରିବାର ସହିତ ସମୟ ବିତାଇବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।