କଲ୍ୟାଣସିଂହପୁର, ୨୫।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଅସହାୟ ତଥା ମାନସିକ ଭିନ୍ନକ୍ଷମ ଯୁବତୀ ପ୍ରାୟ ୮ ମାସର ଗର୍ଭବତୀ ଥିବା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମାନସିକ ଦୁର୍ବଳତାର ସୁଯୋଗ ନେଇ କୌଣସି ପାଷାଣ୍ଡ ଏଭଳି ହୀନ କାର୍ଯ୍ୟ କରିଥିବା ନେଇ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଯୁବତୀଜଣଙ୍କର ମାନସିକ ସ୍ଥିତି ଠିକ୍ ନ ଥିବାରୁ ନିଜ ସହ ଘଟିଥିବା ଏହି ଜଘନ୍ୟ ଅପରାଧ ସମ୍ପର୍କରେ ସେ କିଛି ବି କହିବାକୁ ଅସମର୍ଥ। ତାଙ୍କର ଏହି ଅସହାୟତାର ସୁଯୋଗ ନେଇ କୌଣସି ଦୁର୍ବୃତ୍ତ ତାଙ୍କୁ ଯୌନ ଶୋଷଣ କରିଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ବର୍ତ୍ତମାନ ଉକ୍ତ ଯୁବତୀ ଜଣକ ବ୍ଲକ ସଦର ମହକୁମାର ଜଗନ୍ନାଥ କଲୋନୀରେ ବସବାସ କରୁଥିବା ଅଙ୍ଗନବାଡି କର୍ମୀ ରୀତା ପଣ୍ଡା ନିଜ ଘରେ ଆଶ୍ରୟ ଦେଇ ଉକ୍ତ ମାନସିକ ବିକାରଗ୍ରସ୍ତ ଯୁବତୀଙ୍କ ସେବା କରୁଛନ୍ତି। ତେବେ ତାଙ୍କ ପାଇଁ ଉନ୍ନତ ଚିକିତ୍ସା, ପୁଷ୍ଟିକର ଖାଦ୍ୟ ତଥା ଗର୍ଭସ୍ଥ ଶିଶୁର ନିରାପତ୍ତା ନିମନ୍ତେ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ଜରୁରୀ ହୋଇପଡ଼ିଛି। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଓ ସ୍ଥାନୀୟ ପୋଲିସ ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି ହୋଇଛି। ଯୁବତୀଙ୍କୁ ତୁରନ୍ତ ଉଦ୍ଧାର କରି ଉପଯୁକ୍ତ ଚିକିତ୍ସା ଓ ଥଇଥାନର ବ୍ୟବସ୍ଥା କରିବା ସହ ଦୋଷୀକୁ ଚିହ୍ନଟ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ସାଧାରଣରେ ଦୃଢ଼ ଦାବି କରାଯାଇଛି।