ମହାମାରୀରେ ମାନସିକ ସ୍ବାସ୍ଥ୍ୟ

ଡା. ସତ୍ୟକାମ ମହାପାତ୍ର

କରୋନା ଭାଇରସ ଡିଜିଜ ବା କୋଭିଡ୍‌-୧୯ ମହାମାରୀ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି କରିଛି। ଏହାର ମୁକାବିଲା କରିବା ଲାଗି ଲାଗୁ କରାଯାଉଥିବା ଲକ୍‌ଡାଉନ ଓ ଶଟ୍‌ଡାଉନ ଯୋଗୁ ଆମ ମାନସିକ ସ୍ବାସ୍ଥ୍ୟ ବା ମାନସିକ ଅବସ୍ଥା ଉପରେ ପ୍ରଭାବ ପଡୁଛି। ଗତ କିଛି ମାସ ମଧ୍ୟରେ ଅନେକ ଲୋକଙ୍କର କାମ ଓ ବ୍ୟବସାୟ ପୂରା ବନ୍ଦ ହୋଇଯାଇଛି। ଅନେକ ବି ବେରୋଜଗାର ହୋଇଯାଇଛନ୍ତି। କେତେକ ବେସରକାରୀ ସଂସ୍ଥାର କର୍ମଚାରୀଙ୍କର ମାସିକ ଦରମା ମଧ୍ୟ କମାଇ ଦିଆଯିବା ଯୋଗୁ ସେମାନଙ୍କର ମାନସିକ ଅବସ୍ଥା ଉପରେ ମଧ୍ୟ ପ୍ରଭାବ ପଡୁଛି। ଏଥିପାଇଁ ବିଭିନ୍ନ ମାନସିକ ରୋଗ ଯେମିତି କି ଅବସାଦ ବା ଡିପ୍ରେସନ ରୋଗ, ଏଙ୍ଗଜାଇଟି, ମାନସିକ ଛାନିଆ ରୋଗ ବା ପ୍ୟାନିକ ରୋଗ, ଅନିଦ୍ରା, ମାନସିକ ଚାପ ଆଦି ବୃଦ୍ଧି ପାଇବାରେ ଲାଗିଛି।
କରୋନା ମହାମାରୀ ଯୋଗୁ ବହୁ ଲୋକ ମାନସିକ ରୂପରେ ଚାପଗ୍ରସ୍ତ, ଚିନ୍ତିତ, ବ୍ୟସ୍ତ ଓ ଭୟଭୀତ ରହୁଛନ୍ତି। କିଛି ଲୋକଙ୍କ ମନ ଅଧିକାଂଶ ସମୟ ଦୁଃଖ ରହୁଛି। କାହା ସହିତ ମିଳାମିଶା କରିବାକୁ ଇଚ୍ଛା ହେଉ ନାହିଁ। ସେମାନେ ସବୁବେଳେ ଏକୁଟିଆ ରହିବାକୁ ପସନ୍ଦ କରୁଛନ୍ତି। ଅଧିକାଂଶ ସମୟରେ କ୍ଳାନ୍ତ ଲାଗୁଛି ଓ କାମ କରିବାକୁ ଇଚ୍ଛା ହେଉ ନାହିଁ। ନିଜର ଆତ୍ମବିଶ୍ୱାସ କମିଯାଉଛି। ଟିଭି ଓ ସୋସିଆଲ ମେଡିଆରେ କରୋନା ସମ୍ପର୍କିତ ଖବର ଶୁଣି ଅନେକେ ଅତ୍ୟଧିକ ଛାନିଆ ହୋଇ ଯାଉଛନ୍ତି। ବେଳେବେଳେ କିଛି ଲୋକଙ୍କ ମନରେ ହଠାତ ମାତ୍ରାଧିକ ଛାନିଆ ଓ ଭୟର ଭାବନା ଆସିବା ଦ୍ୱାରା ଛାତିରେ ଯନ୍ତ୍ରଣା ହୁଏ, ଦେହ ହାତ ଝିମ୍‌ଝିମ୍‌ ହୋଇଯାଏ, ପାଟି ଶୁଖିଯାଏ, ଛାତି ଅତି ଜୋରରେ ଧଡ଼ଧଡ଼ ହୁଏ, ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୁଏ, ହାତଗୋଡ଼ ଥରେ, ମୁଣ୍ଡ ବୁଲାଏ, ଝାଳ ବୋହେ, ଦେହ ଅତ୍ୟନ୍ତ ଗରମ ହୋଇ ଯାଏ। ଲୋକକୁ ଏତେ ଜୋରରେ ଛାନିଆ ଲାଗି ଥାଏ ଯେ ସେ ଅନୁଭବ କରେ ହଠାତ ତା’ର ମୃତ୍ୟୁ ହୋଇଯିବ।
ଲକ୍‌ଡାଉନରେ ଅତ୍ୟାବଶ୍ୟକୀୟ ସେବା ପ୍ରଦାନକରି କର୍ମଚାରୀ ମୁଖ୍ୟତଃ ଡାକ୍ତର, ହସ୍ପିଟାଲର ସମସ୍ତ କର୍ମଚାରୀ, ପୋଲିସ କର୍ମଚାରୀମାନେ ଅତ୍ୟଧିକ କାର୍ଯ୍ୟଭାରର ସମ୍ମୁଖୀନ ହେଉଛନ୍ତି। ଏ ସମସ୍ତଙ୍କ ଉପରେ ମଧ୍ୟ ମାନସିକ ଚାପ ପଡୁଛି। ଅନେକ ଦିନ ହେବ ପିଲାମାନଙ୍କର ସ୍କୁଲ ବନ୍ଦ ହୋଇଯାଇଛି। ଯାହା ଫଳରେ ସେମାନେ ସବୁବେଳେ ଘରେ ରହିବାକୁ ବାଧ୍ୟ ହେଉଛନ୍ତି। ସେମାନେ ନିଜର ସାଙ୍ଗମାନଙ୍କ ସହିତ ମିଳାମିଶା କରି ପାରୁ ନାହାନ୍ତି। ବାହାରେ ଆଗ ଭଳି ଖେଳକୁଦ କରିପାରୁ ନାହାନ୍ତି କି କୌଣସି ପାର୍କ, ଖେଳ ପଡ଼ିଆକୁ ଯାଇପାରୁ ନାହାନ୍ତି। ପିଲାମାନଙ୍କୁ ବହୁତ ସମୟ କରୋନା ସମ୍ପର୍କିତ ଖବର ବିଭିନ୍ନ ନ୍ୟୁଜ ଚ୍ୟାନେଲରୁ ଶୁଣିବାକୁ ମିଳୁଛି। ଏସବୁ ଫଳରେ ପିଲାମାନେ ଅନେକ ସମୟରେ ଭୟଭୀତ ଓ ଆତଙ୍କିତ ହୋଇଯାଉଛନ୍ତି। ଏଥିଯୋଗୁ ମଧ୍ୟ ପିଲାମାନଙ୍କଠାରେ ବିଭିନ୍ନ ବ୍ୟବହାରିକ ସମସ୍ୟା ଯେମିତି କି ଚିଡ଼ିଚିଡ଼ା ହୋଇଯିବା, ଜିଦି କରିବା, ରାଗିବା, ଏକୁଟିଆ ରହିବାକୁ ପସନ୍ଦ କରିବା ଆଦି ଲକ୍ଷଣ ଦେଖାଯାଉଛି। କରୋନା ସଂକ୍ରମଣକୁ ନେଇ ସମାଜରେ ଲୋକମାନେ ଏତେ ଭୟଭୀତ ହୋଇଯାଇଛନ୍ତି ଯେ, ଲୋକମାନଙ୍କ ମଧ୍ୟରେ ପରସ୍ପର ପ୍ରତି ଏକ ଅବିଶ୍ୱାସ ସୃଷ୍ଟି ହୋଇଛି। ଲୋକେ ଭାବୁଛନ୍ତି ଯେ ଅନ୍ୟ କାହାଠାରୁ କରୋନା ଭୂତାଣୁ ମୋତେ ସଂକ୍ରମିତ କରିବ ନାହିଁ ତ।
ଲକ୍‌ଡାଉନ ସମୟରେ ନିଜକୁ ଚାପଶୂନ୍ୟ ରଖି ପାରିବେ। ଏଥିପାଇଁ ସୁସ୍ଥ ଜୀବନଶୈଳୀ ଅବଲମ୍ବନ କରନ୍ତୁ। କିଛି ସମୟ ଶାରୀରିକ ବ୍ୟାୟମ କରିବା ସହିତ ଦିନକୁ ୩୦ ରୁ ୪୫ ମିନିଟ ଯୋଗାଭ୍ୟାସ କରନ୍ତୁ। ନିୟମିତ ଭାବରେ ପ୍ରତିଦିନ ୧୫ ରୁ ୩୦ ମିନିଟ ପର୍ଯ୍ୟନ୍ତ ଦୀର୍ଘ ଓ ଗଭୀର ନିଃଶ୍ୱାସ ପ୍ରଶ୍ୱାସ ନିଅନ୍ତୁ। ଏହାଦ୍ୱାରା ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ବଢ଼ି ଥାଏ। ଯାହା ମନକୁ ସୁସ୍ଥ ଓ ଚାପଶୂନ୍ୟ ରଖିଥାଏ। ନିଜର ଖାଦ୍ୟପେୟର ଯତ୍ନ ନିଅନ୍ତୁ। ସନ୍ତୁଳିତ ଖାଦ୍ୟ ଖାଆନ୍ତୁ। କୌଣସି ନିଶା ସେବନ କରନ୍ତୁ ନାହିଁ। ମନରେ ସକାରାତ୍ମକ ଚିନ୍ତାଧାରା ରଖନ୍ତୁ। କରୋନା ଯୋଗୁ ସମସ୍ତଙ୍କ ଭବିଷ୍ୟତ କ’ଣ ହେବ? କେତେ ଲୋକ ଏହାଦ୍ୱାରା ଆକ୍ରାନ୍ତ ହେବେ? କେତେ ଲୋକ ଏଥିରେ ମୃତ୍ୟୁବରଣ କରିବେ? ଏସବୁ କଥା ଭାବି ଅଯଥା ଚିନ୍ତିତ ହୁଅନ୍ତୁ ନାହିଁ। ନିଜ ମନକୁ ଦୃଢ଼ ରଖନ୍ତୁ। ବେଶି ସମୟ ନ୍ୟୁଜ ଚ୍ୟାନେଲ କିମ୍ବା ସୋସିଆଲ ମେଡିଆରେ ଆସୁଥିବା କରୋନା ସମ୍ପର୍କିତ ଖବର ଦେଖନ୍ତୁ ନାହିଁ। ପରିବାରର ସଦସ୍ୟଙ୍କ ସହିତ ଏ ବିଷୟରେ ଅଯଥା ଆଲୋଚନା କରନ୍ତୁ ନାହିଁ। ଏହାଯୋଗୁ ନିଜ ମନ ବିଚଳିତ ଓ ଚାପଗ୍ରସ୍ତ ରହିବ। କୌଣସି ଗୁଜବ ଓ ଭିତ୍ତିହୀନ ଖବରକୁ ଅଯଥା ବିଶ୍ୱାସ କରିବା ଠିକ୍‌ ନୁହେଁ। କିଭଳି ନିଜକୁ ଓ ନିଜ ପରିବାରକୁ କରୋନା ଭାଇରସ୍‌ ଦାଉରୁ ଦୂରେଇ ରଖିପାରିବେ, ସେ ବିଷୟରେ ସରକାରଙ୍କ ଦ୍ୱାରା ଜାରି କରା ଯାଇଥିବା ସଚେତନତା ବାର୍ତ୍ତାକୁ ଅନୁସରଣ କରିବା ଆବଶ୍ୟକ। ଖାଦ୍ୟପେୟର ମଧ୍ୟ ଯତ୍ନ ନିଅନ୍ତୁ। ସନ୍ତୁଳିତ ଖାଦ୍ୟ ଖାଆନ୍ତୁ। ଅଧିକ ତେଲ ଓ ମସଲା ଯୁକ୍ତ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ। ଯେହେତୁ ଏହି ସମୟରେ ଆମର ଶାରୀରିକ ପରିଶ୍ରମ କମିଯାଇଛି, ତେଣୁ ଅଧିକ ତେଲ ଓ ମସଲାଯୁକ୍ତ ଖାଦ୍ୟ ଖାଇଲେ ଓଜନ ବଢ଼ିବାର ଅଧିକ ସମ୍ଭାବନା ଅଛି। ପ୍ରତିଦିନ ଯଥେଷ୍ଟ ବିଶ୍ରାମ ନିଅନ୍ତୁ। ଅତି ବେଶି କି ଅତି କମ୍‌ ସମୟ ଶୁଅନ୍ତୁ ନାହିଁ। ଦୈନିକ ଅତି କମ୍‌ରେ ୬ ରୁ ୮ ଘଣ୍ଟା ଶୁଅନ୍ତୁ।
ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ପିଲାମାନଙ୍କ ଯତ୍ନ ପ୍ରତି ଗୁରୁତ୍ୱ ଦିଅନ୍ତୁ। ସେମାନଙ୍କୁ ଯଥେଷ୍ଟ ସମୟ ଦିଅନ୍ତୁ। ପ୍ରତିଦିନ ସେମାନଙ୍କ ପାଠପଢ଼ା ପାଇଁ ନିର୍ଦ୍ଦିଷ୍ଟ ସମୟ ସ୍ଥିର କରନ୍ତୁ। କିଛି ସମୟ ବିଭିନ୍ନ ପ୍ରକାରର ଖେଳ ଯେମିତି ଚେସ, ଲୁଡୁ, କ୍ୟାରମ ଆଦି ଖେଳିବା ପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରନ୍ତୁ। ଏହା ସହିତ ପିଲାର ଇଚ୍ଛା ଅନୁଯାୟୀ ନାଚ, ଗୀତ, ଚିତ୍ର ଆଙ୍କିବା ଓ କମିକ୍ସ ପଢ଼ିବା ଆଦିରେ ବ୍ୟସ୍ତ ରହିବାକୁ କହିପାରିବେ। ପିଲାମାନଙ୍କୁ ସେମାନଙ୍କ ସାଙ୍ଗମାନଙ୍କ ସହିତ ଫୋନରେ କଥା ହେବାର ସୁଯୋଗ ଦିଅନ୍ତୁ। ପିଲାମାନଙ୍କ ମନ ଅତି କୋମଳ। ତେଣୁ ସେମାନଙ୍କ ଆଗରେ କରୋନା ସମ୍ପର୍କରେ ବେଶି ଆଲୋଚନା କରିବା ଉଚିତ ନୁହେଁ। ଏହି ସମୟରେ ନିଜକୁ ଭଲ ଲାଗୁଥିବା କାମ ଯେମିତି କି ବହି ପଢ଼ିବା, ସଂଗୀତ ଶୁଣିବା, ବଗିଚା କାମ କରିବା ଆଦିରେ ବ୍ୟସ୍ତ ରଖନ୍ତୁ। ବ୍ୟସ୍ତ ଜୀବନରେ ଏହି ଲକ୍‌ଡାଉନ ସମୟରେ ଅନେକ ଦିନ ପରେ ଆପଣଙ୍କୁ ଯଥେଷ୍ଟ ସମୟ ମିଳିଛି। ଏହି ସମୟରେ ଆତ୍ମନିରୀକ୍ଷଣ ଓ ବିଶ୍ଳେଷଣ କରିବା ଦ୍ୱାରା ମନର ଅବସ୍ଥାକୁ ଠିକ୍‌ ଭାବେ ବୁଝିହେବ। ଭବିଷ୍ୟତ ପାଇଁ ଯୋଜନା କରିବାର ଏହା ହିଁ ଉପଯୁକ୍ତ ସମୟ। କରୋନା ସହିତ ଆମ ସମସ୍ତଙ୍କୁ ଲଢ଼େଇ କରିବାକୁ ପଡ଼ିବ। ଏହି ଭାଇରସ୍‌ ଆମକୁ ସଂକ୍ରମିତ କରିବା ପୂର୍ବରୁ ଏହାର ଡର ଯେପରି ଆମର ମନକୁ ସଂକ୍ରମିତ ନ କରେ ସେଥିପାଇଁ ସମସ୍ତଙ୍କୁ ଦୃଢ଼ ଓ ସଚେତନ ହେବାକୁ ପଡ଼ିବ।
ମାନସିକ ରୋଗ ବିଶେଷଜ୍ଞ, କଟକ
ମୋ- ୮୮୯୫୨୯୩୯୯୭


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri