୩ ମହିଳା ଡାକ୍ତରଙ୍କୁ ମାନସିକ ନିର୍ଯାତନା

ସମ୍ବଲପୁର,୧୮।୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ସ୍ତ୍ରୀ ଓ ପ୍ରସୂତି ବିଭାଗରେ କାର୍ଯ୍ୟରତ ୩ ମହିଳା ଡାକ୍ତର ବିଭାଗୀୟ ଇନଚାର୍ଜଙ୍କ ବିରୋଧରେ ମାନସିକ ନିର୍ଯାତନା ଓ ଅଶାଳୀନ ବ୍ୟବହାରର ଅଭିଯୋଗ ଆଣିଛନ୍ତି। ଗତ ୯ ତାରିଖରେ ସମ୍ପୃକ୍ତ ଡାକ୍ତରମାନେ ସାମୂହିକ ଭାବେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ)ଙ୍କୁ ଏକ ଲିଖିତ ଭାବେ ଅଭିଯୋଗ କରିଥିବା ସୂଚନା ମିଳିଛି।
ଅଭିଯୋଗ ଅନୁଯାୟୀ, ବିଗତ ୬ ମାସ ଧରି ବିଭାଗୀୟ ଇନଚାର୍ଜଙ୍କ ଅପମାନଜନକ ବ୍ୟବହାର, ମାନସିକ ଚାପ ଏବଂ ପ୍ରଶାସନିକ ଅସହଯୋଗ ଯୋଗୁ ସେମାନେ କାର୍ଯ୍ୟକ୍ଷେତ୍ରରେ ସ୍ବାଭାବିକ ଭାବେ ଦାୟିତ୍ୱ ନିର୍ବାହ କରିପାରୁନାହାନ୍ତି। ଫଳରେ ସେମାନେ ସୁଚାରୁରୂପେ ରୋଗୀଙ୍କୁ ସେବା ଯୋଗାଇ ପାରୁନାହାନ୍ତି। ଯଦ୍ଦ୍ବାରା ଦୂରଦୂରାନ୍ତରୁ ଆସୁଥିବା ଗର୍ଭବତୀ ମହିଳା ଓ ଅନ୍ୟ ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସେମାନେ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ଏଭଳି ସମ୍ବେଦନଶୀଳ ଘଟଣାରେ ସ୍ବାସ୍ଥ୍ୟ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ବିଶେଷ କରି ସିଡିଏମ୍‌ଓ ହସ୍ତକ୍ଷେପ କରି ନିରପେକ୍ଷ ତଦନ୍ତ କରିବାକୁ ସମ୍ପୃକ୍ତ ମହିଳା ଡାକ୍ତରମାନେ ନିବେଦନ କରିଛନ୍ତି। ସେହିପରି ଏହି ଦିନଠାରୁ ସେମାନେ ସମସ୍ତେ ସାମୂହିକ ଭାବେ ଛୁଟିରେ ରହିଛନ୍ତି। ଏଭଳି ପରିସ୍ଥିତିରେ ବିଭାଗୀୟ ଅନ୍ତଃକନ୍ଦଳ ଓ ଡାକ୍ତରଙ୍କ ଅନୁପସ୍ଥିତିରୁ ଡିଏଚ୍‌ଏଚ୍‌ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଚିକିତ୍ସା ସେବା ଗୁରୁତର ଭାବେ ପ୍ରଭାବିତ ହେଉଛି। ଏ ସମ୍ପର୍କରେ ସିଡିଏମ୍‌ଓ ଡା. ନୀଳମାଧବ ଶତପଥୀଙ୍କୁ ପଚାରିବାରେ ସମ୍ପୃକ୍ତ ମହିଳା ଡାକ୍ତରମାନଙ୍କ ପକ୍ଷରୁ ସେମାନଙ୍କୁ ମାନସିକ ନିର୍ଯାତନା ନେଇ ତାଙ୍କ ନିକଟରେ କୌଣସି ଲିଖିତ ଅଭିଯୋଗ ପହଞ୍ଚତ୍ ନାହିଁ। ମାତ୍ର ଉକ୍ତ ମହିଳା ଡାକ୍ତରମାନେ ବ୍ୟକ୍ତିଗତ କାରଣ ଦର୍ଶାଇ ଛୁଟିରେ ଯାଇଛନ୍ତି। ତେବେ ସେମାନଙ୍କ ଛୁଟି ଦରଖାସ୍ତ ମଞ୍ଜୁର ହୋଇନାହିଁ। ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁ ରୋଗୀ ସେବାରେ ସାମାନ୍ୟ ସମସ୍ୟା ଉପୁଜିଥିଲେ ହେଁ, ଉପସ୍ଥିତ ଅନ୍ୟ ଡାକ୍ତରମାନେ ଅଧିକ ସମୟ କାର୍ଯ୍ୟ କରି ସ୍ବାସ୍ଥ୍ୟସେବା ଜାରି ରଖିଛନ୍ତି। ଏ ସଂକ୍ରାନ୍ତରେ ଜିଲାପାଳଙ୍କୁ ମଧ୍ୟ ଅବଗତ କରାଯାଇଛି। ତେବେ ବିନା ମଞ୍ଜୁରୀ ବା ଅନୁମତିରେ ଛୁଟିରେ ଥିବା ଡାକ୍ତରମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କେହି ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ିଥିବେ, ଏହାକୁ କାର୍ଯ୍ୟରେ ଅବହେଳା ଭାବେ ବିବେଚିତ କରାଯିବ ଓ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ବୋଲି ସିଡିଏମ୍‌ଓ ସ୍ପଷ୍ଟ କରିଛନ୍ତି।

Dharitri – Odisha’s No.1 Odia Daily

Share