ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ପିଏଚ୍‌ଡି କରିବେ ପୁରୁଷ

ଭୁବନେଶ୍ୱର, ୨୩।୧(ବ୍ୟୁରୋ):ରାଜ୍ୟର ପ୍ରଥମ ଓ ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟ ରମାଦେବୀରେ ପୁରୁଷଙ୍କୁ ଏବେ ପିଏଚ୍‌ଡି କରିବାର ସୁଯୋଗ ଦିଆଯିବ। ପୁଣି ବିଶ୍ୱବିଦ୍ୟାଳୟର ପୁରୁଷ ଅଧ୍ୟାପକମାନେ ହିଁ ଗାଇଡ୍‌ କରିବେ। ଏହାକୁ ନେଇ ଏବେ ଛାତ୍ରୀ ଓ ଶିକ୍ଷାବିତ୍‌ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ମିଳିଥିବା ସୂଚନାନୁସାରେ, ଗତବର୍ଷ ସେପ୍ଟେମ୍ବର ୨୮ରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ୨୬ତମ ସିଣ୍ଡିକେଟ୍‌ ବୈଠକ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବିଶ୍ୱବିଦ୍ୟାଳୟରେ ସ୍ଥାୟୀ ଭାବେ ନିଯୁକ୍ତ ପୁରୁଷ ଅଧ୍ୟାପକମାନେ ପିଏଚ୍‌ଡିରେ ଆଡ୍‌ମିଶନ କରିପାରିବେ ବୋଲି ଅନୁମୋଦନ ମିଳିଥିଲା। ଏହି ଆଧାରରେ ଅଧ୍ୟାପକ ସୁପ୍ରିତ ପାଣିଗ୍ରାହୀଙ୍କୁ ପିଏଚ୍‌ଡି ପାଇଁ ମନୋନୀତ କରାଯାଇଛି। ପରୀକ୍ଷା ନିୟନ୍ତ୍ରକଙ୍କ ଗତ ୧୩ତାରିଖ ଚିଠିରୁ ଏହା ଜଣାପଡ଼ିଛି। ଯଦି ପୁରୁଷ ଅଧ୍ୟାପକ ଏଠାରେ ପିଏଚ୍‌ଡି କରିପାରିବେ, ତେବେ ଅନ୍ୟମାନେ କାହିଁକି କରିପାରିବେ ନାହିଁ, ପୁରୁଷଙ୍କ ପାଇଁ ମହିଳାଙ୍କ ସିଟ୍‌ କମିବ କାହିଁକି, ନିଜ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ରମାଦେବୀରେ ପିଏଚ୍‌ଡି କଲେ ପ୍ରାର୍ଥୀ ମନୋନୟନ ପ୍ରକ୍ରିୟାରେ କେତେ ସ୍ବଚ୍ଛତା ରହିବ, ଏଭଳି ବିଭିନ୍ନ ପ୍ରଶ୍ନ ଉଠାଇଛନ୍ତି ଛାତ୍ରୀ ଓ ଶିକ୍ଷାବିତ୍‌। ଛାତ୍ରୀ ସନ୍ତୋଷିନୀ ଜେନା କହିଛନ୍ତି, ଯଦି ଅନ୍ୟ କୌଣସି ବିଶ୍ୱବିଦ୍ୟାଳୟରେ ଏଭଳି ଅଧ୍ୟାପକଙ୍କୁ ପିଏଚ୍‌ଡି କରିବାର ସୁଯୋଗ ମିଳିଥାନ୍ତା, ତେବେ ତାହା ଠିକ୍‌ ହୋଇଥାନ୍ତା। କିନ୍ତୁ ମହିଳା ବିଶ୍ୱବିଦ୍ୟାଳୟରେ ଜଣେ ପୁରୁଷକୁ ପଢ଼ିବା ପାଇଁ ସୁଯୋଗ ଦେବା ଗ୍ରହଣୀୟ ନୁହେଁ। ଯଦି ପୁରୁଷଙ୍କୁ ଏହି ସୁଯୋଗ ଦିଆଯାଏ, ତେବେ ଛାତ୍ରୀଙ୍କ ପାଇଁ ସିଟ୍‌ ସଂଖ୍ୟା କମିବ। ତେଣୁ ଏହାର ପୁନର୍ବିଚାର କରାଯିବା ଉଚିତ। ଏ ନେଇ ମୋ କଲେଜ ଅଭିଯାନ ଗଭର୍ନିଂ ବଡି ମେମ୍ବର କମଳ ପ୍ରସାଦ ମହାପାତ୍ର କହିଛନ୍ତି, ମହିଳା ବିଶ୍ୱବିଦ୍ୟାଳୟରେ ଜଣେ ପୁରୁଷଙ୍କୁ ପିଏଚ୍‌ଡି କରିବା ପାଇଁ ସୁଯୋଗ ଦେବା ଠିକ୍‌ ନୁହେଁ। ତେବେ ଏ ସଂକ୍ରାନ୍ତରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।