ଦିଗପହଣ୍ଡି,୯।୧(ଅଶେଷନାଥ ମିଶ୍ର): ଦକ୍ଷିଣ ଓଡ଼ିଶା ବିକାଶ ପରିଷଦର ଆବାହକ ତଥା ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ଡ଼. ବାଳକୃଷ୍ଣ ପଣ୍ଡା ଶୁକ୍ରବାର ଓଡ଼ିଶା ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କୁ ସାକ୍ଷାତ କରି ଦକ୍ଷିଣ ଓଡ଼ିଶାର ଜଳସେଚନ ଓ ଶିଳ୍ପ ବିକାଶ ପାଇଁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ମହାନଦୀ-ଋଷିକୂଲ୍ୟା ନଦୀ ସଂଯୋଗୀକରଣ ଯୋଜନାକୁ ବାହୁଦା ନଦୀ ପର୍ଯ୍ୟନ୍ତ ସମ୍ପ୍ରସାରିତ କରି ଜାତୀୟ ଜଳପଥ-୫କୁ ଏହାସହ ଯୋଡ଼ିବା ପାଇଁ ସ୍ମାରକପତ୍ରରେ ଉଲ୍ଲେଖ ରହିଛି। ମହାନଦୀର ବନ୍ୟା ଜଳକୁ ବିନିଯୋଗ କରିବା ପାଇଁ ସାତକୋଶିଆନିକଟସ୍ଥ ବଡ଼ମୂଳଠାରେ ଏକ ବନ୍ଧ ନିର୍ମାଣ କରାଯାଇ ଦକ୍ଷିଣ ଓଡ଼ିଶାକୁ ଜଳ ଯୋଗାଣ କରିବା। ଏହି ୩୧୭ କି.ମି ପରିବ୍ୟାପ୍ତ କେନାଲ ଦ୍ୱାରା ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ଜିଲାର ପ୍ରାୟ ୨.୭ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ମିଳିବା ସହ ବ୍ରହ୍ମପୁର ସହରର ପାନୀୟ ଜଳ ସମସ୍ୟା ଦୂର ହୋଇପାରିବ। ଏହି କେନାଲଟି ନୌଚଳାଚଳ ଯୋଗ୍ୟହେବା ସହ ଜାତୀୟ ଜଳପଥ-୫ ସହ ସଂଯୁକ୍ତ ହେଲେ ତାଳଚେର କୋଇଲା ଖଣି ଓ ପାରାଦୀପ ବନ୍ଦର ସହ ଗୋପାଳପୁର ଓ ବାହୁଦା ମୁହାଣରେ ପ୍ରସ୍ତାବିତ ବନ୍ଦର ସହଜରେ ଯୋଡ଼ି ହୋଇପାରିବ। ଏହା ଦ୍ୱାରା ରାଜ୍ୟର ଇକୋନୋମିକ କରିଡରରେ ଥିବା ଶିଳ୍ପ ଗୁଡ଼ିକୁ ଆବଶ୍ୟକ ପରିମାଣର ଜଳ ଯୋଗାଇ ଦିଆଯାଇପାରିବ। ଏହି ପ୍ରକଳ୍ପ ଦ୍ୱାରା ୪୨୨ ମେଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ହେବା ସହ କେନାଲ ମଧ୍ୟରେ ‘କେଜ ଫିସିଂ’ ମାଧ୍ୟମରେ ମତ୍ସ୍ୟ ଚାଷକରି ପ୍ରକଳ୍ପ ଦ୍ୱାରା ଜମି ହରାଇଥିବା ଚାଷୀମାନଙ୍କୁ ରୋଜଗାର କ୍ଷମ କରାଯାଇପାରିବ। ବିକଶିତ ଭାରତ ଓ ଉତ୍କର୍ଷ ଓଡ଼ିଶା-୨୦୩୬ ର ସ୍ବପ୍ନକୁ ସାକାର କରିବା ପାଇଁ ଏହି ବହୁମୁଖୀ ପ୍ରକଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ସ୍ମାରକପତ୍ରରେ ଦର୍ଶାଯାଇଛି। ସ୍ମାରକପତ୍ର ପ୍ରଦାନ ସମୟରେ କେନ୍ଦ୍ର ଶ୍ରମ ନିୟୋଜନ ଶିକ୍ଷା ବୋର୍ଡର ପ୍ରାକ୍ତନ ଅଧ୍ୟକ୍ଷ କେ. ଲକ୍ଷ୍ମଣ ରେଡ୍ଡୀ ଉପସ୍ଥିତ ଥିଲେ।


