ଲୁଟେରାଙ୍କ ଟାର୍ଗେଟରେ ମେଡିସିନ ବ୍ୟବସାୟୀ

ବଇଣ୍ଡା,୧୮।୨(ପରିକ୍ଷିତ ସାହୁ)ଅନୁଗୋଳ ଜିଲା ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା, ଜରପଡା, କିଶୋରନଗର ଥାନା ଇଲାକାରେ କିଛିଦିନ ହେବ ଚୋରି ବଢିବାରେ ଲାଗିଛି। ବିଶେଷ କରି ମେଡିସିନ ବ୍ୟବସାୟୀଙ୍କୁ ଲୁଟେରାମାନେ ଟାର୍ଗେଟ କରୁଥିବାବେଳେ ଏବେ ଜାତୀୟ ରାଜପଥରେ ଯାତାୟାତ ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇ ପଡିଛି। କିଛିମାସ ହେବ ଲକ୍ଷ ଲକ୍ଷ ଟଙ୍କା ମେଡିସିନ ବ୍ୟବସାୟୀଙ୍କଠାରୁ ଲୁଟ କରାଯାଇଥିଲେ ମଧ୍ୟ ପୋଲିସ ଲୁଟେରାଙ୍କ କୌଣସି ସନ୍ଧାନ ପାଇ ପାରୁନାହିଁ। ବିଶେଷ କରି ଗୋଟିଏ ପରେ ଗୋଟିଏ ଲୁଟ କରାଯାଉଥିବାବେଳେ ଗୁରୁବାର ଅପରାହ୍ନରେ ଜାମୁନାଳୀରୁ କିଛି ଦୂରରେ ଏକ ମେଡିସିନ ବ୍ୟବସାୟୀଙ୍କୁ ୨ ଜଣ ଲୁଟେରା ବନ୍ଧୁକ ଦେଖାଇ ୯୦ ହଜାର ଲୁଟି ନେଇଥିବାବେଳେ ବ୍ୟବସାୟୀଙ୍କୁ ପିଛା କରୁଥିବା ଲୁଟେରାଙ୍କ ଚିତ୍ର ସିସିଟିଭିରେ ଫୁଟେଜ କଏଦ ହୋଇଛି। ଶୁକ୍ରବାର ଜରପଡା ଥାନାର ଏକ ଟିମ ବଇଣ୍ଡା ଅଞ୍ଚଳକୁ ଆସି ତଦନ୍ତ କରିଛନ୍ତି। ଯେଉଁ ଦୋକାନରୁ ବ୍ୟବସାୟୀ ଜଣଙ୍କ ଟଙ୍କା ନେଇଥିଲେ ସେହି ସମୟରେ ଉକ୍ତ ୨ ଜଣ ଲୁଟେରା ଉକ୍ତ ମେଡିସିନ ଦୋକାନ ସମ୍ମୁଖରେ ଠିଆ ହୋଇ ମେଡିସିନ ବ୍ୟବସାୟୀଙ୍କୁ ପିଛା କରିଥିଲେ। ଉଭୟ ଲୁଟେରା ଏକ ବାଇକ ଯୋଗେ ୨ଟି ହେଲମେଟ୍‌ ପିନ୍ଧି ପିଛା କରିବା ସହ ଜାମୁନାଳୀ ନିଛାଟିଆ ସ୍ଥାନରେ ସେମାନଙ୍କୁ ଅଟକାଇ ବନ୍ଧୁକ ଦେଖାଇ ୯୦ ହଜାର ଟଙ୍କା ଲୁଟି ନେଇଥିବା ଜରପଡା ଥାନାରେ ଅଭିଯୋଗ ହେବା ପରେ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସେହିପରି ତା ୧୧।୧୨।୨୦୨୩ରେ କିଶୋରନଗର ଥାନା ସୁସବଠାରେ ଜଣେ ମେଡିସିନ ବ୍ୟବସାୟୀଙ୍କୁ ଅଟକାଇ ୨ ଜଣ ଲୁଟେରା ୫୦ ହଜାର ଟଙ୍କା ଲୁଟି ନେଇଥିଲେ। ସେହି ଦିନ ପୁଣି ହଣ୍ଡପା ଥାନା ପରସୁମାଳ ନିକଟରେ ଜଣେ ମେଡିସିନ ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ କରି ଟଙ୍କା ଏବଂ ମୋବାଇଲ ଲୁଟି ନେଇଥିଲେ। ବାରମ୍ବାର ଲୁଟେରାମାନେ ଜାତୀୟ ରାଜପଥ ଅଞ୍ଚଳ ର ନିଛାଟିଆ ଅଞ୍ଚଳରେ ମେଡିସିନ ବ୍ୟବସାୟୀଙ୍କୁ ଅଟକାଇ ଲୁଟ କରୁଥିଲେ ମଧ୍ୟ ସେମାନଙ୍କ ଗ୍ୟାଙ୍ଗକୁ କାବୁ କରିବାରେ ପୋଲିସ ସକ୍ଷମ ହୋଇ ପାରୁ ନ ଥିବା ସାଧାରଣରେ ଆଲୋଚନା ହେଉଛି। ତୁରନ୍ତ ଏଥିପ୍ରତି ଅନୁଗୋଳ ଏସ୍‌ପି ଦୃଷ୍ଟି ଦେଇ ଜାତୀୟ ରାଜପଥରେ ପାଟ୍ରୋଲିଂ କଡା କଡି କରିବା ପାଇଁ ସାଧାରଣରେ ଦାବି ହୋଇଛି। ଏ ନେଇ ହଣ୍ଡପା ଆଇଆଇସି ନମିତା ନାୟକ କୁହନ୍ତି, ପୋଲିସ ପକ୍ଷରୁ ପାଟ୍ରୋଲିଂ କଡା କଡି କରାଯାଉଛି। ଲୁଟ ସମ୍ପର୍କରେ ମଧ୍ୟ ତଦନ୍ତ ଚାଲିଛି।