କ୍ୟାପିଟାଲ ହସ୍ପିଟାଲ ପରିସରରୁ ଉଠୁନି ମେଡିକାଲ ଓ୍ବେଷ୍ଟ

ଭୁବନେଶ୍ୱର, ୧୮।୩ (ବନ୍ଦନା ସେଠୀ): ସ୍ମାର୍ଟସିଟିରେ ପରିମଳ ବ୍ୟବସ୍ଥା ବିଗିଡି ଗଲାଣି। ରାସ୍ତାଘାଟରୁ ଆରମ୍ଭ କରି ଗଳିକନ୍ଦି ପର୍ଯ୍ୟନ୍ତ ସବୁଠି ଆବର୍ଜନା ଗଦା ହୋଇ ରହୁଛି। ସ୍ଥିତି ଏପରି ହେଲାଣି ଯେ ମେଡ଼ିକାଲ ପରିସରରୁ ମଧ୍ୟ ଆବର୍ଜନା ହଟୁନାହିଁ। ରାଜ୍ୟର ଅନ୍ୟତମ ପ୍ରମୁଖ ତଥା ଭୁବନେଶ୍ୱରର ମୁଖ୍ୟ ଚିକିତ୍ସାଳୟ କ୍ୟାପିଟାଲ ହସ୍ପିଟାଲ ପରିସରରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। କାୟାକଳ୍ପ ପୁରସ୍କାର ପାଇଥିବା ଏହି ହସ୍ପିଟାଲ ପରିସର ଶିଶୁ ବିଭାଗ ଆଗରେ ଗତ ୩ଦିନ ହେବ ମେଡିକାଲ ଓ୍ବେଷ୍ଟ୍‌ ଗଦା ହୋଇ ରହିଥିବା ଦେଖିବାକୁ ମିଳୁଛି। ବିଏମ୍‌ସିର ସଫେଇ ଗାଡ଼ି ସେଗୁଡିକୁ ଉଠାଉନାହିଁ। ଏପରିକି ଏନେଇ ବିଏମ୍‌ସିରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ। ଫଳରେ ହସ୍ପିଟାଲ ପରିସର ଦୁର୍ଗନ୍ଧରେ ଫାଟି ପଡୁଛି। ପ୍ରତିଦିନ ଏଠାକୁ ଶହଶହ ରୋଗୀ ଆସୁଥିବାବେଳେ ଏଭଳି ପରିବେଶ ପାଇଁ ସଂକ୍ରମଣ ଆଶଙ୍କା ରହୁଛି। ପୂର୍ବରୁ ମଧ୍ୟ କ୍ୟାପିଟାଲ ହସ୍ପିଟାଲରେ ଏଭଳି ସ୍ଥିତି ଉପୁଜିଥିଲା। ଗୋଟେପଟେ ବିଏମ୍‌ସି ସହରରୁ ଏକ ନମ୍ବର କରିବାକୁ ବିଭିନ୍ନ ପଦକ୍ଷେପ ନେଉଥିବା କହୁଥିବାବେଳେ ହସ୍ପିଟାଲ ପରିସରରୁ ଆବର୍ଜନା ଉଠାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ହସ୍ପିଟାଲ ଭଳି ସମ୍ବେଦନଶୀଳ ଅଞ୍ଚଳରୁ ଅଳିଆ ଉଠା ନ ଯିବା ବିଏମ୍‌ସିର କାର୍ଯ୍ୟଧାରାରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଘଟଣା ନେଇ କ୍ୟାପିଟାଲ ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ୍‌ ଧନଞ୍ଜୟ ସାହୁ କହିଛନ୍ତି, ଗତ ୩ଦିନ ହେବ ମେଡିକାଲ ବର୍ଜ୍ୟ ଗଦା ହୋଇରହିଛି। ସେଥିରୁ ଦୁର୍ଗନ୍ଧ ବାହାରିବା ସହ ସଂକ୍ରମଣର ଆଶଙ୍କା ମଧ୍ୟ ରହୁଛି। ଏନେଇ ବିଏମ୍‌ସିରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି। ଅପରପକ୍ଷେ ସ୍ଥାନୀୟ ଓ୍ବାର୍ଡର ସାନିଟାରୀ ଇନ୍ସପେକ୍ଟର ଅଶୋକ ପଣ୍ଡାଙ୍କୁ ପଚାରିବାରୁ ସେ କହିଛନ୍ତି, ଘର କାମ ଚାଲିଥିବାରୁ ମୁଁ ଘରକୁ ଆସିଛି। ଘଟଣା ସମ୍ପର୍କରେ କିଛି ଜାଣିନାହିଁ। ତେବେ କ୍ୟାପିଟାଲ ହସ୍ପିଟାଲରେ ଏଭଳି ସ୍ଥିତି ଦେଖା ଦେଇଥିବାବେଳେ ଅଭିଯୋଗ ପରେ ମଧ୍ୟ ପଦକ୍ଷେପ ନିଆଯାଇ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।