Categories: ଖେଳ

ବୁମରାଙ୍କ ସମ୍ପର୍କରେ ବଡ଼ ଅପଡେଟ୍‌ ଦେଲେ ବ୍ୟାଟିଂ କୋଚ୍‌

ବ୍ରିସବେନ,୧୪।୧- ଭାରତୀୟ ପେସର ଯଶପ୍ରୀତ ବୁମରା ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ଖେଳିବା ନେଇ ଦେଖାଦେଇଥିବା ଅନିଶ୍ଚିତତା ଜାରି ରହିଛି। କିନ୍ତୁ ଟିମ୍‌ ଇଣ୍ଡିଆର ବ୍ୟାଟିଂ କୋଚ୍‌ ବିକ୍ରମ ରାଠୋର ଗୁରୁବାର ବୁମରାଙ୍କ ସମ୍ପର୍କରେ ଏକ ବଡ଼ ଅପଡେଟ୍‌ ଦେଇଛନ୍ତି। ବୁମରାଙ୍କ ଆହତ ସମସ୍ୟା ଉପରେ ମେଡିକାଲ ଟିମ୍‌ କାର୍ଯ୍ୟ କରୁଛି। ସେ ବ୍ରିସବେନ ଟେଷ୍ଟରେ ଖେଳିବେ କି ନାହିଁ, ତାହା ଶୁକ୍ରବାର ସକାଳେ ହିଁ ସ୍ପଷ୍ଟ ହେବ। ଯଦି ସେ ଫିଟ୍‌ ହୁଅନ୍ତି, ତେବେ ସେ ଖେଳିବେ। ନହେଲେ ସେ ନାହିଁ ବୋଲି ରାଠୋର କହିଛନ୍ତି।

‘ଅନ୍ତିମ ଟେଷ୍ଟ ମ୍ୟାଚ୍‌ ଲାଗି ବୁମରା ଉପଲବ୍ଧ ହେବେ କି ନାହିଁ, ତାହା ମୁଁ ବର୍ତ୍ତମାନ କହିପାରିବି ନାହିଁ। ଆମେ ମେଡିକାଲ ଦଳକୁ ଯଥାସମ୍ଭବ ସମୟ ଦେଉଛୁ। ଶୁକ୍ରବାର ସକାଳେ ମ୍ୟାଚ୍‌ ପାଇଁ ଚୂଡ଼ାନ୍ତ ଏକାଦଶ ଘୋଷଣା ହେବ ବୋଲି ରାଠୋର ସୂଚନା ଦେଇଛନ୍ତି। ବୁମରା ଯଦି ୫୦ ପ୍ରତିଶତ ଫିଟ୍‌ ହୁଅନ୍ତି, ତେବେ ସେ ଭାରତୀୟ ବୋଲିଂର ନେତୃତ୍ୱ ନେବେ ବୋଲି ମେଡିକାଲ ଟିମ୍‌ ରିପୋର୍ଟରେ କୁହାଯାଇଛି। ତୃତୀୟ ଟେଷ୍ଟରେ ଏହି ଡାହାଣହାତୀ ପେସରଙ୍କ ମାଂସପେଶୀ ଟାଣି ହୋଇଯାଇଥିଲା।

Share