ମେଡିକାଲ ଅଫିସର ପରୀକ୍ଷାଫଳ ପ୍ରକାଶ

ଭୁବନେଶ୍ୱର, ୧୨।୫(ବ୍ୟୁରୋ): ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ଦ୍ୱାରା ଅନୁଷ୍ଠିତ ମେଡିକାଲ ଅଫିସର ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ ମୋଟ ୧,୪୯୧ଜଣ ପରୀକ୍ଷା ଦେଇଥିବାବେଳେ ୭୮୬ଜଣ କୃତକାର୍ଯ୍ୟ ହୋଇଛନ୍ତି। ଏମାନଙ୍କ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କରିଛି ଓପିଏସ୍‌ସି। ମେରିଟ୍‌ ଲିଷ୍ଟରେ ଥିବା ଏହି ଛାତ୍ରୀଛାତ୍ରଙ୍କ ବିଭିନ୍ନ ପ୍ରମାଣପତ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯାଞ୍ଚ କରିବା ପରେ ଖୁବ୍‌ଶୀଘ୍ର ସରକାର ନିଯୁକ୍ତି ପ୍ରଦାନ କରିବେ। ନିଯୁକ୍ତି ସଂକ୍ରାନ୍ତ ଚୂଡ଼ାନ୍ତ ଫଳ ଓପିଏସ୍‌ସିର ୱେବ୍‌ସାଇଟ୍‌ http://opsc.gov.inରେ ଉପଲବ୍ଧ ହେବ।
ଡାକ୍ତରୀ ପଦବୀ ପାଇଁ ନିଯୁକ୍ତି ପରୀକ୍ଷା କରିବାକୁ ଫେବୃୟାରୀ ୨ରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଓପିଏସ୍‌ସିକୁ ପ୍ରସ୍ତାବ ଦିଆଯାଇଥିଲା। କୋଭିଡ୍‌ ମୁକାବିଲା ପାଇଁ ଏହି ପଦବୀଗୁଡ଼ିକ ଯଥାଶୀଘ୍ର ପୂରଣ କରିବା ଏକାନ୍ତ ଅପରିହାର୍ଯ୍ୟ ଥିବାରୁ ଯଥାସମ୍ଭବ ଖୁବ୍‌ କମ୍‌ ସମୟରେ ନିଯୁକ୍ତି ପରୀକ୍ଷା ସାରି ଫଳାଫଳ ପ୍ରକାଶ କରିବା ଓପିଏସ୍‌ସି ପାଇଁ ବଡ଼ ଆହ୍ବାନ ଥିଲା। ତେଣୁ ଆବେଦନ ତାରିଖ ପାଇଁ ଏକ ମାସ ସମୟ ଦେବା ପରେ ଏପ୍ରିଲ ୨୮ରେ କମ୍ପ୍ୟୁଟର ମାଧ୍ୟମରେ ନିଯୁକ୍ତି ପରୀକ୍ଷା ହୋଇଥିଲା। ରାଜ୍ୟର ୧୫ କେନ୍ଦ୍ରରେ ୧,୪୯୧ଜଣ ପରୀକ୍ଷା ଦେଇଥିଲେ। ଓଡ଼ିଶା ଡାକ୍ତରୀ ସେବା ନିଯୁକ୍ତି ନିୟମ ଅନୁଯାୟୀ ଲିଖିତ ପରୀକ୍ଷାର ମୋଟ ନମ୍ବରର ୭୦ ପ୍ରତିଶତ ଓ କ୍ୟାରିୟର ପାଇଁ ୩୦ ପ୍ରତିଶତ ଆଧାରରେ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇଥିଲା। ପ୍ରାର୍ଥୀମାନେ ଆବେଦନ ସମୟରେ ଦାଖଲ କରିଥିବା ଦଶମ, ଦ୍ୱାଦଶ ଓ ଏମ୍‌ଏମ୍‌ବିଏସ୍‌ ଡିଗ୍ରୀ ପରୀକ୍ଷାର ମାର୍କ ତାଲିକା ଭିତ୍ତିରେ ସେମାନଙ୍କ କ୍ୟାରିୟରଭିତ୍ତିକ ମାର୍କ ଦେଖାଯାଇଥିଲା। ତେବେ ପରୀକ୍ଷାର ମାତ୍ର ୧୫ଦିନ ମଧ୍ୟରେ ପରୀକ୍ଷାଫଳ ପ୍ରକାଶ କରି ଓପିଏସ୍‌ସି ଏହାର ପରୀକ୍ଷା ପଦ୍ଧତିରେ ଅଣାଯାଇଥିବା ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପର ଏକ ନମୁନା ପ୍ରଦର୍ଶନ କରିବା ସହିତ କୋଭିଡ୍‌ ସମୟରେ ଆବଶ୍ୟକ ଥିବା ଡାକ୍ତର ପଦବୀ ଖୁବ୍‌ଶୀଘ୍ର ପୂରଣ କରିବାରେ ସକ୍ଷମ ହୋଇପାରିଛି।