ପିଲାଙ୍କ ପାଇଁ ଶିକ୍ଷାର ମାଧ୍ୟମ : ରଘୁସାର୍‌ଙ୍କ ହାତ ତିଆରି ଶିକ୍ଷଣ ସରଞ୍ଜାମ

ଖଇରା, ୨୧।୯(ଡି.ଏନ୍‌.ଏ.)-ଶିକ୍ଷକତା ଥିଲା ତାଙ୍କର ପେଶା ା ହେଲେ ପିଲାମାନେ ଶିକ୍ଷଣ ସରଞ୍ଜାମ ମାଧ୍ୟମରେ କିଭଳି ଗଣିତ ବିଜ୍ଞାନ ସରଳ ଭାଷାରେ ବୁଝିପାରିବେ ସେହି ସରଞ୍ଜାମ ତିଆରି କରିବା ପାଇଁ ସେ ଲାଗିପଡୁଥିଲେ। ସରକାରଙ୍କୁ ତରଫରୁ ବିଦ୍ୟାଳୟକୁ ଅର୍ଥ ଆସୁ ବା ନ ଆସୁ ନିଜ ପକେଟରୁ ଅର୍ଥ ବ୍ୟୟ କରିବାକୁ ସେ କେବେ ବି କୁଣ୍ଠାବୋଧ ପ୍ରକାଶ କରୁ ନ ଥିଲେ। ଅବସର ପରେ ବି ଏହି ନିଶା ତାଙ୍କୁ ମୁଣ୍ଡରୁ ହଟିନାହିଁ ା ସେଭଳି ଜଣେ ଶିକ୍ଷକ ହେଲେ ରଘୁନାଥ ମହାନ୍ତି(୬୧)। ତାଙ୍କ ଘର ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସାରୁଗାଁ ଗ୍ରାମରେ।
ପ୍ରାଥମିକ ଶିକ୍ଷକ ଭାବେ କାର୍ଯ୍ୟ କରିବା ମଧ୍ୟରେ ସୁନ୍ଦରପୁର, ମହତୀପୁର, ଭୋଗୁପୁର ଆଦି ବିଦ୍ୟାଳୟରେ କାର୍ଯ୍ୟ କରି ଶେଷରେ ମାହାରାସାହି ପ୍ରାଥମିକ ବିଦ୍ୟାଳୟରୁ ସେ ଅବସର ଗ୍ରହଣ କରିଥିଲେ। ପିଲାମାନେ କିଭଳି ସହଜ ଓ ସରଳ ଭାବରେ ପାଠକୁ ବୁଝିପାରିବେ ସେଥିଲାଗି ବିଭିନ୍ନ ବର୍ଜ୍ୟବସ୍ତୁ ଯଥା କାଗଜ ପେଟି, ବିସ୍କୁଟ ଖୋଳ, ଚକୋଲେଟ ଜରି, ବ୍ୟାଟେରି ଖୋଳ, ନଡିଆ କତା ଆଦିରୁ ଛାତ୍ରୀଛାତ୍ରଙ୍କ ପାଇଁ ଶିକ୍ଷଣ ସରଞ୍ଜାମ ତିଆରି କରି ଆସୁଥିଲେ। ସରଞ୍ଜାମ ମଧ୍ୟରେ ହାରମୋନିୟମ ମାଧ୍ୟମରେ ଯୋଗ ବିୟୋଗର ପଦ୍ଧତି, ବାଇସ୍କୋପ ମାଧ୍ୟମରେ ବୃତ୍ତି, ସଜୀବ ଓ ନିର୍ଜୀବ, ପ୍ରାଣୀ-ଏମାନେ କିଏ କେଉଁଠି ରୁହନ୍ତି ଓ କଣ ଖାଆନ୍ତି ତଥା ପଞ୍ଚାୟତିରାଜ ବ୍ୟବସ୍ଥାର କାର୍ଯ୍ୟାବଳୀ ଇତ୍ୟାଦି ା ସେହିଭଳି ପିଚୁବୋର୍ଡ ଓ ସୋଲରେ ସାପ ଓ ସିଡି, ଚିଡିଆଖାନା, ଯୁକ୍ତାକ୍ଷର ଲିଖନ, ଉଦ୍ଭିଦର ବିଭିନ୍ନ ଅଂଶ ଆଦି ତିଆରି କରି ଛାତ୍ରୀଛାତ୍ରଙ୍କ ଖୁବ୍‌ ନିକଟତର ହୋଇପାରିଛନ୍ତି। ନିକଟରେ ମାର୍ଚ୍ଚ ୩୧ରେ ସେ ଅବସର ଗ୍ରହଣ କରିବା ପରେ ମଧ୍ୟ ତାଙ୍କର ଏହି ନିଶା ତାଙ୍କ ମୁଣ୍ଡରୁ ଯାଇନାହିଁ ା ଅନେକ ସରଞ୍ଜାମ ତିଆରି କରି ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ହସ୍ତାନ୍ତର କରିଛନ୍ତି ା ଯାହାକୁ ପ୍ରାକ୍ତନ ଗୋଷ୍ଠୀ ଶିକ୍ଷାଧିକାରୀ ଧରଣୀଧର ପାତ୍ର ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଗୋଲକ ପ୍ରସାଦ ପାଢୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ଅସ୍ଥାୟୀ ସଂଗ୍ରହାଳୟ ତିଆରି କରାଯାଇ ସେଗୁଡିକ ସୁରକ୍ଷିତ ଭାବେ ରଖାଯାଇଛି। କାର୍ଯ୍ୟାଳୟକୁ ଆସୁଥିବା ଛାତ୍ରୀଛାତ୍ର, ଅଭିିଭାବକ, ବିଭିନ୍ନ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶିକ୍ଷକଙ୍କ ପାଇଁ ଏହା ଯଥେଷ୍ଟ ଉପାଦେୟ ପାଲଟିଯାଇଛି ା ରଘୁନାଥଙ୍କ ପିଲାଟି ଦିନରୁ ଚିତ୍ରାଙ୍କନ ପ୍ରତି ପ୍ରବଳ ଆଗ୍ରହ ଥିଲା ା ଯାହାକୁ ସିଏ ପରିଣତ ବୟସରେ ମଧ୍ୟ ଅନ୍ୟମାନଙ୍କ ହିତରେ ଲଗାଇ ପାରୁଛନ୍ତି ା ଶିକ୍ଷକ ରଘୁନାଥଙ୍କ କହିବା ଅନୁଯାୟୀ ଯେତେବେଳେ ଟିକେ ଚୁପଚାପ୍‌ ହୋଇବସନ୍ତି, ଶିକ୍ଷଣ ସରଞ୍ଜାମକୁ ନେଇ ନୂଆ ନୂଆ ଚିନ୍ତା ତାଙ୍କ ମୁଣ୍ଡକୁ ଆସିଥାଏ ବୋଲି କହିଛନ୍ତି ା