Categories: ଖେଳ

ଅନ୍‌ଲାଇନ ବେଟିଂ ବିଜ୍ଞାପନରେ ମ୍ୟାକ୍‌କୁଲମ

ଲଣ୍ଡନ, ୧୫ା୪: ଇଂଲଣ୍ଡ ମୁଖ୍ୟ କୋଚ୍‌ ବ୍ରେଣ୍ଡନ ମ୍ୟାକ୍‌କୁଲମଙ୍କୁ ଅନ୍‌ଲାଇନ ବେଟିଂ ବିଜ୍ଞାପନରେ ଦେଖିବାକୁ ମିଳିବା ପରେ ସେ ଅଡୁଆରେ ପଡ଼ିଛନ୍ତି। ସେ ଦୁର୍ନୀତି ନିରୋଧୀ ନିୟମର ଉଲ୍ଲଂଘନ କରିଛନ୍ତି କି ନା ତାହା ଯାଞ୍ଚ କରି ଦେଖୁଛି ଦେଶର କ୍ରିକେଟ ବୋର୍ଡ ଇସିବି (ଇଂଲଣ୍ଡ ଆଣ୍ଡ ଓ୍ବେଲ୍ସ କ୍ରିକେଟ ବୋର୍ଡ)। ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ଗତ ଜାନୁୟାରୀରେ ‘୨୨ ବେଟ୍‌’ ନାମକ ଏକ ବେଟିଂ ସଂଗଠନରେ ଜଣେ ଆମ୍ବାସାଡର ଭାବେ ଯୋଗ ଦେଇଥିଲେ। ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ୨୨ବେଟ୍ସର ମାର୍କେଟ ପ୍ରମୋଟ କରିବା ଲାଗି ସେ ଏକ ଭିଡିଓ ଫେସ୍‌ବୁକ୍‌ରେ ଶେୟାର କରିଥିଲେ। ବ୍ରେଣ୍ଡନଙ୍କର ୨୨ ବେଟ୍‌ ସହ କି ସମ୍ପର୍କ ରହିଛି ସେ ସମ୍ପର୍କରେ ତାଙ୍କ ସହିତ ଆଲୋଚନା ଚାଲିଛି। ତେବେ ତାଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇ ନ ଥିବା ଇସିବି କହିଛି। ନ୍ୟୁଜିଲାଣ୍ଡର ପ୍ରୋବ୍ଲେମ ଗ୍ୟାମ୍ବଲିଂ ଫାଉଣ୍ଡେଶନ ବିବାଦୀୟ ବିଜ୍ଞାପନଟି ସମ୍ପର୍କରେ ଇସିବି ନିକଟରେ ଅଭିଯୋଗ କରିଥିଲା। ସୂଚନାଯୋଗ୍ୟ, ବ୍ରେଣ୍ଡନ ଗତ ଗ୍ରୀଷ୍ମଋତୁରେ କୋଚ୍‌ ଦାୟିତ୍ୱ ଗ୍ରହଣ କରିବା ପରେ ଗତ ୧୨ଟି ଟେଷ୍ଟ ମଧ୍ୟରୁ ୧୦ଟିରେ ବିଜୟ ଲାଭ କରିପାରିଛି।

Share