ଏଆଇ ଭସ୍ମାସୁର ନ ହେଉ

୧୯୫୦ ଦଶକରେ ପ୍ରଖ୍ୟାତ ଇଂରେଜ ଗଣିତଜ୍ଞ ଆଲାନ ଟର୍ନିଙ୍ଗ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପାକ୍ଷିକ ବିଜ୍ଞାନ ପତ୍ରିକା ମାଇଣ୍ଡରେ ‘କମ୍ପ୍ୟୁଟର ଯନ୍ତ୍ର ଓ ବୁଦ୍ଧିମତ୍ତା’ ଶୀର୍ଷକ ଏକ ଆଲେଖ୍ୟରେ ସର୍ବ ପ୍ରଥମେ ‘ମେଶିନ କ’ଣ ଚିନ୍ତା କରିପାରେ’ ବୋଲି ପ୍ରଶ୍ନ କରିଥିଲେ I ସେହି ପରିପ୍ରେକ୍ଷୀରେ ମେଶିନକୁ ଦୁଇଜଣ ପ୍ରତିଭାଗୀ ଲିଖିତ ପ୍ରଶ୍ନ ପଚାରିବା ଓ ମେଶିନ ଦ୍ୱାରା ତା’ର ଉତ୍ତର ପ୍ରସ୍ତୁତ କରିବା ବୋଧେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)ବା କୃତ୍ରିମ ବୁଦ୍ଧିମତ୍ତାର ପ୍ରଥମ ସୋପାନ ଥିଲା I ଏହି ଖେଳକୁ ସେତେବେଳେ ‘ଟର୍ନିଙ୍ଗ ଟେଷ୍ଟ’ କୁହାଯାଉଥିଲା ଯାହା କୃତ୍ରିମ ବୁଦ୍ଧିମତ୍ତା ବିପ୍ଳବର ମୂଳଦୁଆ ଥିଲା। ମଣିଷ କେବେ ଭାବି ନ ଥିଲା ଯେ ଚାଟ୍‌ଜିପିଟି କିମ୍ବା ଗୁଗଲ ଜିମିନିଆଇ ପରି ଚାଟ୍‌ବଟକୁ କିଛି ପଚାରିବା ମାତ୍ରେ ଉତ୍ତର ମିଳିଯିବ, ଗପ ଲେଖିବ, ଗୀତ ସଂଯୋଜନା କରିଦେବ କିମ୍ବା ଫଟୋକୁ କହିବା ମୁତାବକ ନିମିଷକେ ପରିବର୍ତ୍ତନ କରିଦେବ। ଯଦି ଏହି ପର୍ଯ୍ୟନ୍ତ ଏଆଇ ସୀମିତ ରହିପାରନ୍ତା ଏତେ ଚିନ୍ତା ନ ଥାନ୍ତା କାରଣ ଏହି ଚାଟ୍‌ବଟଗୁଡିକ କେବଳ ଦିଆଯାଇଥିବା ନିର୍ଦ୍ଦେଶକୁ ପାଳନ କରିଥାନ୍ତି। କିନ୍ତୁ ମଣିଷ ଆଉ ଟିକେ ଆଗକୁ ଯାଇ ଏଆଇ ଏଜେଣ୍ଟ ନାମକ ଏକ ଗାଣିତିକ ମଡେଲ ପ୍ରସ୍ତୁତ କଲା ଯିଏ ସ୍ବତଃ ବହୁ ସୋପାନୀୟ ଜଟିଳ କାର୍ଯ୍ୟ ପ୍ରଣାଳୀକୁ ନୂ୍ୟନତମ ମାନବ ହସ୍ତକ୍ଷେପ ଦ୍ୱାରା ସମ୍ପନ୍ନ କରିବାରେ ସକ୍ଷମ I ଚୋରକୁ ବୁଦ୍ଧି ଶିଖାଇବା ଭଳି ମଣିଷ ନିଜ ପାଇଁ ଯେଉଁ ଏଆଇ ଏଜେଣ୍ଟ ପ୍ରସ୍ତୁତ କରି ତାକୁ ବିଚକ୍ଷଣ ବୁଦ୍ଧିମତ୍ତା ପ୍ରଦାନ କଲା ତାହା ଆଜି ମଣିଷ ପାଇଁ କାଳ ହେବାକୁ ବସିଛି।
ଗାଣିତିକ ଆଲଗୋରିଦିମ୍‌ରୁ ଜନ୍ମ ପ୍ରସ୍ତୁତ ହୋଇଥିବା କୃତ୍ରିମ ବୁଦ୍ଧିମତ୍ତା ଖୁବ୍‌ଶୀଘ୍ର ପ୍ରଖର ଚେତନାର ଅଧିକାରୀ ହୋଇଯିବ କିମ୍ବା ହୋଇସାରିଲାଣି ଯାହା ପାଇଁ ଏବେ ସାରା ବିଶ୍ୱର ବିଜ୍ଞାନ ସମାଜ ଚିନ୍ତିତ ହୋଇପଡିଛି I କୃତ୍ରିମ ବୁଦ୍ଧିମତ୍ତା ବା ଆଧୁନିକ ଏଆଇର ଜନକ ବିଖ୍ୟାତ କମ୍ପ୍ୟୁଟର ବିଜ୍ଞାନୀ ଜେଫରି ହିଣ୍ଟନ୍‌ଙ୍କ ମତରେ ଏଆଇ ମଣିଷ ଉପରେ ଆଧିପତ୍ୟ କରିବ ଓ ଅଗାମୀ ୨୦-୩୦ ବର୍ଷ ଭିତରେ ମାନବର ଅସ୍ତିତ୍ୱ ପ୍ରତି ବିପଦ ସୃଷ୍ଟି କରିବ I ତାଙ୍କ ମତରେ ମଣିଷଠାରୁ ଅଧିକ ବୁଦ୍ଧିମାନ ହୋଇପଡିବା ପରେ ଏହା ଆଉ ମଣିଷ ଅଧୀନରେ କାମ କରିବ ନାହିଁ I ଲଣ୍ଡନରେ ଜନ୍ମିତ ଓ ଟରଣ୍ଟୋ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଥିବା ଜେଫରି ହିଣ୍ଟନ କହନ୍ତି ଯେ ମଣିଷ ପାଖରେଏଆଇ ତୁଳନାରେ ଏକ ଛୋଟିଆ ଶିଶୁ ପରି ବିବଶ ଓ ହତବାକ୍‌ ହେବା ଛଡା ଅନ୍ୟ ଉପାୟ ରହିବ ନାହିଁ I କେବେ କେହି କଳ୍ପନା କରି ନ ଥିଲେ ଯେଉଁ କମ୍ପ୍ୟୁଟର ପ୍ରୋଗ୍ରାମକୁ ମଣିଷ ନିଜେ ତିଆରି କରିଥିଲା ତାହା ଯେ ଦିନେ ଅକଳ୍ପନୀୟ ଚତୁର ବୁଦ୍ଧିସମ୍ପନ୍ନ ହୋଇ ମଣିଷ ପାଇଁ ବିପଦ ସୃଷ୍ଟି କରିବାର ସମ୍ଭାବନା ସୃଷ୍ଟି କରିବ। ବଡ଼ କଥା ହେଲା ଏଆଇ ଏଜେଣ୍ଟଗୁଡିକ କୁତ୍ରିମ ବୁଦ୍ଧିମତ୍ତାରେ ପରିପୂର୍ଣ୍ଣ ଏକ ଗାଣିତିକ ମଡେଲ ଯାହା ନିଜେ ନିଷ୍ପତ୍ତି ନେଇପାରିବ ଓ ନିଜ ଇଚ୍ଛାରେ କିଛି କରିପାରିବାରେ ସକ୍ଷମ I ଏଆଇ ଏଜେଣ୍ଟଗୁଡିକୁ ମଣିଷ କାମ ବରାଦ କରିଦେଲେ ସେ ତାକୁ ଅବିଚ୍ଛିନ୍ନ ଭାବରେ କରି ଚାଲିଥାଏ ଓ ଏଥିପାଇଁ ତାକୁ ମଣିଷ ପରି ବିଶ୍ରାମ ଦରକାର ହୋଇ ନ ଥାଏ I କିନ୍ତୁ ଆଇ ଏଜେଣ୍ଟ ଯଦି ନିଜେ ନିଜ ବୁଦ୍ଧି ଖଟେଇବା ଜାଣିଗଲା ତା’ହେଲେ ଏହା ନିଜର ସୃଷ୍ଟିକର୍ତ୍ତା ମଣିଷକୁ ବିପତ୍ତିରେ ପକାଇ ପାରେ।
ଏବେଠୁ ୨୦୩୪ ମଧ୍ୟରେ ଏଆଇ ଆମର ବ୍ୟକ୍ତିଗତ ଓ ପେସାଗତ ଜୀବନରେ ଅନେକ ସମସ୍ୟାର ସମାଧାନ କରିବ I ଜିପିଟି-୪ ପରି ଜେନେରେଟିଭ୍‌ ଏଆଇ ମଡେଲ୍‌ ସାଧାରଣ ବ୍ୟବହାର ପାଇଁ ଉପଲବ୍ଧ ହୋଇ ବୈପ୍ଳବିକ ପରିବର୍ତ୍ତନ ଆଣିଛି I ଦିନକୁ ଦିନ କମ୍ପାନୀଗୁଡ଼ିକ ଏଆଇ ଉପରେ ଏତେ ନିର୍ଭରଶୀଳ ହୋଇଯିବେ ଯେ ଏହି କୃତ୍ରିମ ବୁଦ୍ଧିମତ୍ତା ମଧ୍ୟ ବଡ଼ ବଡ଼ ଭୁଲ୍‌ ଭଟକା କରି ବସିବ ଓ ଘୋର ଅସୁବିଧା ସୃଷ୍ଟି କରିବ I ଯାହା ଫଳରେ ବୀମା କମ୍ପାନୀମାନେ ଏହାର ଭରଣା ପାଇଁ ଏଆଇଜନିତ କ୍ଷତି ବୀମା ପ୍ରଦାନ କରିବେ I ନିକଟରେ ଏଆଇ ସହିତ କ୍ୱାଣ୍ଟମ୍‌ ବିଜ୍ଞାନର ମିଶ୍ରଣ କୃତ୍ରିମ ବୁଦ୍ଧିମତ୍ତାକୁ ଚରମ ସୀମାକୁ ନେଇଯିବାର ସମ୍ଭାବନା ଅଛି ଓ ଯାହା ଫଳରେ ଯେଉଁ ସବୁ ଗାଣିତିକ ଗଣନା ମଣିଷ ଦ୍ୱାରା ସମ୍ଭବ ନ ଥିଲା ତାହା ସମ୍ଭବ ହେବ ଓ ବିଜ୍ଞାନ ଗବେଷଣାର ଜଟିଳ ସମସ୍ୟା ସମାଧାନ ହୋଇଯିବ। ଯେତେବେଳେ ଏଆଇ ଏଜେଣ୍ଟଗୁଡ଼ିକର ଚେତନା ଜାଗ୍ରତ ହୋଇଯିବ ବା ସେମାନେ ନିଜେ ନିଷ୍ପତ୍ତି ନେବାରେ ସଫଳ ହୋଇଯିବେ ସେତେବେଳେ ଏହା ଘୋର ସଙ୍କଟ ସୃଷ୍ଟି କରିପାରେ। ମଣିଷର ନକଲ କରିବା ସହିତ ନିଜକୁ ମଣିଷଠାରୁ ଅଧିକ ବୁଦ୍ଧିମାନ ଭାବି ଏଆଇ ଏଜେଣ୍ଟସମ୍ପନ୍ନ ମେଶିନ ବା ରୋବୋ ମଣିଷକୁ ବିପଦରେ ପକାଇ ପାରନ୍ତି। ରୋବୋ ଦେହରେ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ ତାକୁ ଜୀବନ୍ତ ମଣିଷର ନିକଟବର୍ତ୍ତୀ କରୁଛି। ରୋବୋ ଘରକରଣା କାମ ସହିତ ଜଟିଳ କଳକାରଖାନାରେ କାର୍ଯ୍ୟ କରୁଛି। ହୁଏତ ଏଆଇ ଶକ୍ତିରେ ପରିପୂର୍ଣ୍ଣ ରୋବୋ ସେନା ବିନା ଅନୁମତିରେ ଶତ୍ରୁ ସେନା ସହ ଲଢ଼େଇ ଆରମ୍ଭ କରିଦେଇପାରେ କିମ୍ବା ନିଜ ଦେଶରେ ଆତଙ୍କ ସୃଷ୍ଟି କରିପାରେ I ସେଇଥିପାଇଁ କିଛି ବର୍ଷ ପୂର୍ବରୁ ବୈଜ୍ଞାନିକ ଷ୍ଟିଫେନ ହକିନ୍ସ ଭବିଷ୍ୟବାଣୀ କରିଥିଲେ ଯେ ପୃଥିବୀକୁ ଦିନେ ରୋବୋମାନେ ଅକ୍ତିଆର କରିନେବେ ଓ ମଣିଷକୁ ଦାସ କରିଦେବେ। ମାନବ ଅସ୍ତିତ୍ୱର ସମ୍ଭାବ୍ୟ ବିନାଶର କାରଣ ମଧ୍ୟରେ ରୋବୋଙ୍କ ଆଧିପତ୍ୟ ସ୍ଥାପନ କରିବା ଏକ ସମ୍ଭାବ୍ୟ କାରଣ। ତେବେ ଏହି ଏଆଇସମ୍ପନ୍ନ ରୋବୋମାନେ ବରଦାନ ସାବ୍ୟସ୍ତ ହୋଇ ମଣିଷର ଅନେକ କାର୍ଯ୍ୟ କରିପାରୁଛନ୍ତି ଓ ସୂଚନା ବିଜ୍ଞାନ କ୍ଷେତ୍ରରେ ମଣିଷ ପାଇଁ ନୂତନ ନିଯୁକ୍ତି ସୁଯୋଗ ତିଆରି ହୋଇଛି। ଟିକେ ଅଧିକ ବୁଦ୍ଧି ଥିବାରୁ ମଣିଷ ସିମ୍ପାଞ୍ଜିମାନଙ୍କୁ ଛାଡି ଆଜି ଏ ସୋପାନରେ ପହଞ୍ଚିଛି। ମଣିଷ ଏପର୍ଯ୍ୟନ୍ତ ତା’ର ବୁଦ୍ଧିମତ୍ତାକୁ ଆହୁରି ବଢ଼େଇବାକୁ ପ୍ରୟାସ ଜାରିରଖିଛି। ଏହି ପରିପ୍ରେକ୍ଷୀରେ ଷ୍ଟିଫେନ୍‌ ହକିନ୍‌ସ ଆକଳନ କରିଛନ୍ତି ଯେ ଭବିଷ୍ୟତରେ ମଣିଷ ଓ ମଣିଷ ତିଆରି ରୋବୋ ମଧ୍ୟରେ ସଂଘର୍ଷ ହେବ ଓ ରୋବୋମାନେ ପୃଥିବୀ ଉପରେ ଆଧିପତ୍ୟ ଜମେଇବାର ସମ୍ଭାବନା ଅଛି। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଅସମ୍ଭବ ନୁହେଁ। ଏହି ସମସ୍ୟାକୁ ବୁଦ୍ଧି ବିସ୍ଫୋଟ କୁହାଯାଉଛି, ଯାହା ଫଳରେ ନିଜେ ରୋବୋ ଓ କମ୍ପ୍ୟୁଟରଗୁଡିକ ନିଜ ପାଇଁ ଅତି ପ୍ରଖର ପ୍ରୋଗ୍ରାମ ତିଆରି କରିନେବେ । ଯଦିଓ ଏହା ଉପରେ ମାନବ ସମାଜ ଏତେ ଗୁରୁତ୍ୱ ଦେଇନି ଏହା ଦିନେ ମଣିଷ ଅସ୍ତିତ୍ୱକୁ ସଙ୍କଟରେ ପକାଇ ପାରେ। ମହାଦେବଙ୍କଠାରୁ ବରପ୍ରାପ୍ତ ହେବା ପରେ ଭସ୍ମାସୁର ପରୀକ୍ଷା କରିବା ପାଇଁ ସ୍ବୟଂ ଶିବଙ୍କୁ ଗୋଡ଼ାଇଥିବାର ଉଦାହରଣ ଆମେ ପୌରାଣିକ କଥାରେ ଶୁଣିଛେ। ଏହି କୃତ୍ରିମ ବୁଦ୍ଧିମତ୍ତା ଅଣ୍ଟି ଛୁରି ତଣ୍ଟି କାଟିବା ଆଳରେ ମଣିଷ ବିନାଶର କାରଣ ନ ହେଉ। ତେବେ କୃତ୍ରିମ ବୁଦ୍ଧିମତ୍ତାକୁ ନିୟନ୍ତ୍ରଣ କରିବା ପାଇଁ ବିଶ୍ୱର ୭୨ଟି ଦେଶ ୧୦୦୦ରୁ ଅଧିକ ନିୟମ ପ୍ରସ୍ତାବ କରିଛନ୍ତି ଯାହା ଏହାର ଦ୍ରୁତ ବିକାଶ ଉପରେ ଅଙ୍କୁଶ ଲଗାଇ ମାନବ ଅଧିକାର, ସୁରକ୍ଷା ଓ ନୈତିକତା ଉପରେ ନଜର ରଖିବ I

ଡ. ନରେନ୍ଦ୍ର ସେଠୀ
ମୋ: ୭୦୦୪୦୬୮୧୧୦

Dharitri – Odisha’s No.1 Odia Daily