ମାଟ୍ରିକ ପରୀକ୍ଷା: ୬ରୁ ପୁନଃ ଯାଞ୍ଚ ପାଇଁ ଆବେଦନ

କଟକ ଅଫିସ,୫ା୮ : ମାଟ୍ରିକ ପରୀକ୍ଷାର ବିଭିନ୍ନ ବିଷୟ ପୁନଃ ଯାଞ୍ଚ, ପରୀକ୍ଷା ଖାତାର ନକଲ ପାଇଁ ଦରଖାସ୍ତ ଓ ଫି’ ଦାଖଲ ପ୍ରକ୍ରିୟା ଆସନ୍ତା ୬ ତାରିଖରୁ ଆରମ୍ଭ ହେବ। ଅଗଷ୍ଟ ୧୮ ମଧ୍ୟରାତ୍ରି ସୁଦ୍ଧା ଫି’ ଦାଖଲ କରାଯିବ। ଯେଉଁମାନେ ଶେଷ ମୁହୂର୍ତ୍ତରେ ଫି’ ଦାଖଲ କରିବେ, ସେମାନଙ୍କ ପାଇଁ ଫର୍ମ ଦାଖଲର ଶେଷ ତାରିଖ ୧୯ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ସମୟ ରହିଛି। ୨୪ ଘଣ୍ଟିଆ ଅନ୍‌ଲାଇନ୍‌ ଆବେଦନ ଚାଲୁ ରହିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଖାତାର ଅବିକଳ ନକଲ ବୋର୍ଡର ୱେବ୍‌ସାଇଟ୍‌ରୁ ଡାଉନଲୋଡ୍‌ କରିହେବ। ମଧ୍ୟମା,ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷାର୍ଥୀ ଅଫ୍‌ଲାଇନ୍‌ରେ ଆବେଦନ କରିବେ। କେବଳ କାର୍ଯ୍ୟ ଦିବସରେ ବୋର୍ଡ ମୁଖ୍ୟ ଓ ଶାଖା ଅଫିସରେ ଆବେଦନ ସୁବିଧା ରହିବ ବୋଲି ବୋର୍ଡର ଉପସଭାପତି ତଥା ପରୀକ୍ଷା ନିୟନ୍ତ୍ରକ ଡ. ନିହାର ରଞ୍ଜନ ମହାନ୍ତି କହିଛନ୍ତି।