ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା: ବଦଳିଲା ପ୍ରଶ୍ନପତ୍ର ପହଞ୍ଚିବା ସମୟ

କଟକ ଅଫିସ, ୧୫ା୩: ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା ପାଇଁ ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପହଞ୍ଚିବା ସମୟ ପରିବର୍ତ୍ତନ ହୋଇଛି। ବାକିଥିବା ୩ଟି ପରୀକ୍ଷା ପାଇଁ ଏହା ଲାଗୁ କରାଯିବ। ନୋଡାଲ ସେଣ୍ଟରରୁ ସକାଳ ସାଢେ ୬ଟା ପରେ ପ୍ରଶ୍ନପତ୍ର ନେଇ ପରୀକ୍ଷା କେନ୍ଦ୍ରକୁ ଟିମ୍‌ ବାହାରିବ। ପରୀକ୍ଷା କେନ୍ଦ୍ରରେ ୬ଟା ୪୫ମିନିଟ୍‌ରୁ ସାଢେ ୭ଟା ମଧ୍ୟରେ ପ୍ରଶ୍ନପତ୍ର ପହଞ୍ଚିବା ପରେ କେନ୍ଦ୍ର ସୁପରିଟେଣ୍ଡେଣ୍ଟଙ୍କୁ ହସ୍ତାନ୍ତର କରାଯିବ। ଏ ସମ୍ପର୍କରେ ସମସ୍ତ ନୋଡାଲ ସେଣ୍ଟର ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଗୁରୁବାର ବିଜ୍ଞାନ ପରୀକ୍ଷାଠାରୁ ଏହି ନୂଆ ବ୍ୟବସ୍ଥା ଲାଗୁ କରାଯିବ ବୋଲି ବୋର୍ଡ ଉପସଭାପତି ଡ. ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ଏହି ନିୟମରେ ଖିଲାପ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।