ଭଦ୍ରକ,୩।୫(ସନାତନ ରାଉତ): ୟଟ୍ୟୁବ୍ ଦେଖି ଜଣେ ମ୍ୟାଟ୍ରିକ ପରୀକ୍ଷାର୍ଥୀ ସ୍କୁଟର ନିର୍ମାଣ କରି ବେଶ ଚର୍ଚ୍ଚାରେ । ସେହି ଛାତ୍ର ଜଣକ ହେଉଛନ୍ତି ଭଦ୍ରକ ଜିଲା ଚରମ୍ପା ପଥରଆଡି ଗ୍ରାମର କାର୍ତ୍ତିକ ମହାରଣାଙ୍କ ପୁଅ ବିନୋଦ (୧୬ ବର୍ଷ)। ସେ ଚଳିତ ବର୍ଷ ଦଶମ ଶ୍ରେଣରେ ପରୀକ୍ଷା ଦେଇଥିଲେ। ବିନୋଦ ଇଲେକ୍ଟ୍ରି ସ୍କୁଟର କିଣିବା ପାଇଁ ଇଚ୍ଛା କରିଥିଲେ। ଇଲେକ୍ଟ୍ରି ସ୍କୁଟର ଅଧିକ ଦାମ ରହିଥିବାରୁ ସେ ନିଜେ ତିଆରି କରିବେ ବୋଲି ଆଗ୍ରହ କରିଥିଲେ। ଘରେ ୟଟ୍ୟୁବ୍ ଦେଖି ଇଲେକ୍ଟ୍ରି ସ୍କୁଟର ନିର୍ମାଣ କରିବା କୌଶଳ ଶିଖିଥିଲେ। ପରେ ଇଲେକ୍ଟ୍ରି ସ୍କୁଟର ନିର୍ମାଣ ମଧ୍ୟ ଆରମ୍ଭ କଲେl ସେ ଘରେ ଥିବା ଭଙ୍ଗା ସାଇକେଲର ହ୍ୟାଣ୍ଡାଲ ସହ କିଛି ଷ୍ଟିଲ ପାଇପ ଓ ସିଟକୁ ଯୋଡି ନିର୍ମାଣ ଆରମ୍ଭ କରିଥିଲେ। ପରେ ଅନଲାଇନ୍ ମାଧ୍ୟମରେ ଦୁଇଟି ଚକ ଓ ମଟର ସଂଗ୍ରହ କରିଥିଲେ। ନିଜ ଉଦ୍ୟମରେ ଏକ ବ୍ୟାଟେରୀ ନିର୍ମାଣ ମଧ୍ୟ କରିଛନ୍ତି ଏହି ସବୁକୁ ଯୋଡିବା ସହ ହ୍ୟାଣ୍ଡେଲରେ ଏକ ସୁଇଚ ଓ ଏକ୍ସଲିଟର ଲଗାଇଛନ୍ତି । ଏହି ଷ୍ଟାଣ୍ଡିଙ୍ଗ ସ୍କୁଟରଟି ବହୁ ସ୍ପିଡ଼ ରେ ଯାଉଥିବାରୁ ତାର ଗତି ରୋକିବା ପାଇଁ ବ୍ରେକ ଲଗାଇଛନ୍ତି। ଏସ୍କୁଟରକୁ ଦେଢ଼ ଘଣ୍ଟା ଚାର୍ଜ କଲେ ୧୫ କିଲୋମିଟର ଯାଉଛି ବୋଲି ବିନୋଦ କହିଛନ୍ତି । ଏହି ଷ୍ଟାଣ୍ଡିଙ୍ଗ ସ୍କୁଟର ରେ ଜଣେ କିମ୍ବା ଦୁଇ ଜଣ ଠିଆ ହୋଇ ଯାଇ ପାରୁଛନ୍ତ। ସ୍କୁଟର ନିର୍ମାଣ କରିବା ପାଇଁ ବିନୋଦଙ୍କୁ ଏକ ମାସ ସମୟ ଲାଗିଥିଲା । ଏହି ସ୍କୁଟର ନିର୍ମାଣରେ ୧୫ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବିନୋଦ କହିଛନ୍ତି । ଆଗାମୀ ଦିନରେ ବସି ଚଳାଇବା ଭଳି ସ୍କୁଟର ନିମାଣ କରିବା ନେଇ ଲକ୍ଷ୍ୟ ରଖିଛନ୍ତି। ଇଞ୍ଜିନିୟରିଂ ପାଠ ପଢିବେ ବୋଲି ଇଚ୍ଛା ରଖିଛନ୍ତି ବିନୋଦ। ଯୁବପିଢି ଘରେ ନ ବସି କିଛିନା କିଛି ନୂଆ ଅନୁସନ୍ଧାନ କରିବା ନେଇ ସେ କହିଛନ୍ତି।


