ଥୁଆମୂଳ ରାମପୁର, ୩ା୫ (ଦୁର୍ଗା କୀର୍ତ୍ତି): ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ଶିକ୍ଷା କ୍ଷେତ୍ରରେ ଏକ ନୂତନ ଉତ୍ସାହ ଦେଖିବାକୁ ମିଳିଛି। ବ୍ଲକର ବିଭିନ୍ନ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜର କଠିନ ପରିଶ୍ରମ ବଳରେ ଚଳିତ ବର୍ଷ ଉଲ୍ଲେଖନୀୟ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଚଳିତ ବର୍ଷ ଡୁମେରପଦର ସରକାରୀ ଏସଏସଡି ହାଇସ୍କୁଲର ଛାତ୍ର ଘନଶ୍ୟାମ ନାଏକ ସର୍ବାଧିକ ୫୨୫ ନମ୍ବର ରଖି ବ୍ଲକ ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଗୋଦେଲ ଫାସ ଗ୍ରାମର ଗିରି ନାଏକ ଓ ସ୍ୱର୍ଗତ ଉସାବତି ନାଏକଙ୍କ ପୁଅ ଘନଶ୍ୟାମ ଆଗାମୀ ଦିନରେ ଜଣେ UPSC ଅଧିକାରୀ ହେବାକୁ ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି।
ସେହିପରି ଥୁଆମୂଳ ରାମପୁର ସରକାରୀ ହାଇସ୍କୁଲର ଛାତ୍ରୀ ତଥା ତାଳବନ୍ଧ ପଡ଼ାର ଜିତେନ୍ଦ୍ର ମୋହରିଆଙ୍କ କନ୍ୟା ଏଞ୍ଜେଲିନା ମୋହରିଆ ୫୨୨ ନମ୍ବର ରଖି ବ୍ଲକରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଏଞ୍ଜେଲିନା ଭବିଷ୍ୟତରେ ଜଣେ OAS ଅଧିକାରିଣୀ ହେବାକୁ ମନବଳାଇଥିବା ବେଳେ କାଚେଲେଖା ସରକାରୀ ୟୁଜିଏଚଏସର ଛାତ୍ର ଲିଙ୍ଗରାଜ ନାଏକ ମଧ୍ୟ ସମାନ ୫୨୨ ନମ୍ବର ରଖି ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଏଥିସହ କିଆପଦର ସରକାରୀ ହାଇସ୍କୁଲର ବନିତା ଗୌଡ଼ ୫୨୧ ନମ୍ବର ରଖି ବ୍ଲକର ଶ୍ରେଷ୍ଠ ପରୀକ୍ଷାର୍ଥୀ ତାଲିକାରେ ସ୍ଥାନ ପାଇଛନ୍ତି। ଏହି ସଫଳ ପରୀକ୍ଷାର୍ଥୀମାନେ ନିଜର ସଫଳତାର ଶ୍ରେୟ ନିଜର ମାତା-ପିତା, ଗୁରୁଜନ ଏବଂ କୋଚିଂ ଶିକ୍ଷକଙ୍କୁ ପ୍ରଦାନ କରିଛନ୍ତି। ଶିକ୍ଷା ବିଭାଗରୁ ମିଳିଥିବା ପରିସଂଖ୍ୟାନ ଅନୁଯାୟୀ, ବ୍ଲକର ପାସ୍ ହାର ବେଶ ଉନ୍ନତ ରହିଛି। ବ୍ଲକରେ ସର୍ବମୋଟ ୮୩ ଜଣ ଛାତ୍ରଛାତ୍ରୀ A1 ଗ୍ରେଡ୍ ହାସଲ କରିଥିବା ବେଳେ ୨୯୦ ଜଣ B1, ୨୦୩ ଜଣ B2, ୧୩୨ ଜଣ C, ୨୮ ଜଣ D ଏବଂ ୫ ଜଣ E ଗ୍ରେଡ୍ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଦ୍ୟାଳୟ ଭିତ୍ତିକ ଫଳାଫଳକୁ ଦେଖିଲେ ଗୋପାଳପୁର ସରକାରୀ SSD ହାଇସ୍କୁଲରୁ ୯୬ ଜଣ ଏବଂ ଗୋପାଳପୁର ସରକାରୀ SSD ବାଳିକା ହାଇସ୍କୁଲରୁ ୭୭ ଜଣ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ସେହିପରି ଡୁମେରପଦର SSD ହାଇସ୍କୁଲରୁ ୮୮ ଜଣ, ଗୁଣୁପୁର SSD ହାଇସ୍କୁଲରୁ ୬୮ ଜଣ, ଓଡ୍ରି ୟୁଜିଏଚଏସରୁ ୬୬, ବଡ଼ଛତ୍ରଙ୍ଗରୁ ୫୫ ଏବଂ କାଣୀଗୁମା ସରକାରୀ ଏଚଏସଏସରୁ ୪୭ ଜଣ ପରୀକ୍ଷାର୍ଥୀ ସଫଳତା ପାଇଛନ୍ତି।
ଅନ୍ୟାନ୍ୟ ବିଦ୍ୟାଳୟ ମଧ୍ୟରେ ଶ୍ରୀମସ୍କା MP SHRI ସରକାରୀ ହାଇସ୍କୁଲରୁ ୪୬ ଜଣ, ଥୁଆମୂଳ ରାମପୁର ସରକାରୀ ହାଇସ୍କୁଲରୁ ୩୫, ମହୁଲପାଟଣା ଏଚଏସଏସରୁ ୩୪, ଗ୍ରାମ ବିକାଶ ଶିକ୍ଷା ନିକେତନରୁ ୩୧, କର୍ଲାପାଟରୁ ୪୧ ଏବଂ ତାଲନାଗି ୟୁଜିଏଚଏସରୁ ୨୦ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାଡେପଦର (୧୬), କାଚେଲେଖା (୧୨), କୁମାରକାନି (୮) ଏବଂ ମାଝୀଗାଁ (୭) ବିଦ୍ୟାଳୟର ଛାତ୍ରଛାତ୍ରୀ ମଧ୍ୟ ଭଲ ନମ୍ବର ରଖିଛନ୍ତି। ବ୍ଲକର ଏହି ଗୌରବମୟ ସଫଳତା ଅଞ୍ଚଳର ଶିକ୍ଷା ବ୍ୟବସ୍ଥା ପ୍ରତି ଜନସାଧାରଣଙ୍କ ଆସ୍ଥା ବୃଦ୍ଧି କରିଛି। ୧୯ଟି ହାଇସ୍କୁଲର ଏଭଳି ପ୍ରଦର୍ଶନକୁ ନେଇ ବିଭିନ୍ନ ମହଲରୁ କୃତୀ ଛାତ୍ରଛାତ୍ରୀଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।