ବଦଳିଲା ମାଟ୍ରିକ ପରୀକ୍ଷା ଢାଞ୍ଚା

କଟକ ଅଫିସ,୨୫ା୫: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଢାଞ୍ଚା ପୁଣି ପରିବର୍ତ୍ତନ କରାଯାଇଛି। ଚଳିତ ଶିକ୍ଷାବର୍ଷଠାରୁ ଦୁଇଟି ସମ୍ମେଟିଭ ପରୀକ୍ଷା ବଦଳରେ ବର୍ଷକୁ ଗୋଟିଏ ବୋର୍ଡ ପରୀକ୍ଷା ହେବ। ଅର୍ଥାତ୍‌ ମାଟ୍ରିକ ପରୀକ୍ଷାର୍ଥୀ ଗୋଟିଏ ଥରରେ ୬୦୦ ମାର୍କର ପରୀକ୍ଷା ଦେବେ। ଏହା ମାଧ୍ୟମା ପାଇଁ ମଧ୍ୟ ଲାଗୁହେବ। ଦଶମ ଶ୍ରେଣୀରେ ପିଲାମାନଙ୍କୁ ସମ୍ମେଟିଭ ଆସେସ୍‌ମେଣ୍ଟ-୧ ଏବଂ ସମ୍ମେଟିଭ ଆସେସ୍‌ମେଣ୍ଟ-୨ ପରୀକ୍ଷା ଦେବାକୁ ପଡିବନି। ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି କହିଛନ୍ତି, ଇଣ୍ଟରନାଲ ଆସେସ୍‌ମେଣ୍ଟରେ କୌଣସି ପରିବର୍ତ୍ତନ ହେବ ନାହିଁ। ଏଥିରେ ୪ଟି ଫର୍ମେଟିଭ ଆସେସ୍‌ମେଣ୍ଟ ରହିବ। ଏହାର ମାର୍କିଂ ୪ଟି କ୍ୱାର୍ଟରରେ କରାଯିବ। ଏହାର ଫଳାଫଳର ୨୦ ପ୍ରତିଶତ ମାର୍କ ବାର୍ଷିକ ପରୀକ୍ଷାରେ ଯୋଡ଼ାହେବ। ଏଥିସହିତ ଆସ୍ପେରେସନାଲ କମ୍ପୋନେଟକୁ ମିଶାଇ ପିଲାଙ୍କୁ ମାର୍କ ଦିଆଯିବ। ଏହି ମାର୍କ ସମୁଦାୟ ୬୦୦ ମାର୍କରେ ସାମିଲ ହେବ ବୋଲି ସେ କହିଛନ୍ତି। ସେହିପରି ସମାନ ଢଙ୍ଗରେ ନବମ ଶ୍ରେଣୀ ପରୀକ୍ଷାରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ନବମ ଶ୍ରେଣୀର କୌଣସି ପରୀକ୍ଷା ବୋର୍ଡ ପକ୍ଷରୁ କରାଯିବ ନାହିଁ ବୋଲି ବୁଧବାର କଟକସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅନୁମୋଦନକ୍ରମେ ନବମ ଓ ଦଶମ ଶ୍ରେଣୀ ପରୀକ୍ଷା ପଦ୍ଧତିରେ ପରିବର୍ତ୍ତନ ଆଣିଛୁ। ଅଭ୍ୟାସ ପାଇଁ ପୂର୍ବରୁ ଯେଉଁଭଳି ଛାତ୍ରୀଛାତ୍ରମାନେ ଷଡ଼ମାସିକ ପରୀକ୍ଷା ଦେଉଥିଲେ, ସେହି ପ୍ରକ୍ରିୟା ଜାରି ରହିବ। ସେହିପରି ନବମ ଶ୍ରେଣୀରେ ଆଉ ସମ୍ମେଟିଭ୍‌ ପରୀକ୍ଷା ହେବନାହିଁ। କେବଳ ବାର୍ଷିକ ପରୀକ୍ଷା ହେବ। ସେଥିପାଇଁ ବୋର୍ଡ ପ୍ରଶ୍ନପତ୍ର ଯୋଗାଇଦେବ। ପ୍ରଶ୍ନପତ୍ରଗୁଡିକ ଜିଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କ ନିକଟକୁ ପଠାଯିବ। ତା’ପରେ ସେଠାରୁ ସ୍କୁଲକୁ ପ୍ରଶ୍ନପତ୍ର ଯିବ। ସ୍କୁଲ ପରୀକ୍ଷା ପରିଚାଳନା କରିବ ଓ ଖାତା ମୂଲ୍ୟାୟନ କରି ପରୀକ୍ଷାଫଳ ପ୍ରକାଶ କରିବ ବୋଲି ବୋର୍ଡ ସଭାପତି କହିଛନ୍ତି।
ବାରମ୍ବାର ପରୀକ୍ଷା ଢାଞ୍ଚା ପରିବର୍ତ୍ତନକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ଏନେଇ ବୋର୍ଡ ଉପସଭାପତି ମହାନ୍ତି କହିଛନ୍ତି ଯେ, କୋଭିଡ୍‌ ସମୟରେ ଗୋଟିଏ ବର୍ଷ ମାଟ୍ରିକ୍‌ ପରୀକ୍ଷା ହୋଇପାରି ନ ଥିଲା। ତେଣୁ ବୋର୍ଡ ପକ୍ଷରୁ ନବମ ଏବଂ ଦଶମ ଶ୍ରେଣୀ ପାଇଁ ଦୁଇଟି ସମ୍ମେଟିଭ ଆସେସ୍‌ମେଣ୍ଟ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହା ଛାତ୍ରୀଛାତ୍ର ଏବଂ ଅଭିଭାବକଙ୍କ ଉପରେ ଚାପ ସୃଷ୍ଟି କରିଥିଲା। ବର୍ତ୍ତମାନ କୋଭିଡ୍‌ ପ୍ରକୋପ ନ ଥିବାରୁ ପୂର୍ବଭଳି ଗୋଟିଏ ଥର ବାର୍ଷିକ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ମହାନ୍ତି କହିଛନ୍ତି।