ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ ମାଟ୍ରିକ ଡ୍ରପ୍‌ଆଉଟ୍‌ ପିଲା: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର, ୧୪ା୩(ବ୍ୟୁରୋ): ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ ମାଟ୍ରିକ୍‌ ଡ୍ରପଆଉଟ୍‌ ପିଲା । ମଙ୍ଗଳବାର ବିଧାନସଭାରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ଖର୍ଚ୍ଚ ଦାବି ଆଲୋଚନା ପରେ ଉତ୍ତର ରଖି ଏନେଇ ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି, ୨୦୨୧-୨୨ରେ ମାଟ୍ରିକ୍‌ ପରୀକ୍ଷା ପାଇଁ ୫ ଲକ୍ଷ ୭୧ ହଜାର ୯୦୯ ଛାତ୍ରୀଛାତ୍ର ଫର୍ମ ପୂରଣ କରିଥିଲେ। ସେଥିରୁ ୪୫ ହଜାର ୯୧ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇ ନ ଥିଲେ। ଚଳିତବର୍ଷ ଅର୍ଥାତ ୨୦୨୨-୨୦୨୩ରେ ୫ ଲକ୍ଷ ୩୨ ହଜାର ୬୦୩ ଜଣ ଛାତ୍ରୀଛାତ୍ର ଫର୍ମ ପୂରଣ କରିଥିଲେ। ସେଥିରୁ ୧୩ ହଜାର ୫୮ ଜଣ ପିଲା ପରୀକ୍ଷା ଦେଇନାହାନ୍ତି। ଗତବର୍ଷ ୪୫ ହଜାରରୁ ଅଧିକ ପିଲା ଡ୍ରପ୍‌ଆଉଟ୍‌ ହୋଇଥିବା ବେଳେ ଏଥର ୧୩ ହଜାର ପିଲା ପରୀକ୍ଷା ଦେଉନାହାନ୍ତି। ସେମାନେ କାହିଁକି ପରୀକ୍ଷା ଦେଉନାହାନ୍ତି ସେନେଇ ବିଭାଗ ତର୍ଜମା କାରିବ। ଛାତ୍ରୀଛାତ୍ରଙ୍କ ଅଭିଭାବକଙ୍କ ସହିତ ଯୋଗାଯୋଗ କରାଯିବ। ସେହି ପିଲାମାନେ କିପରି ସପ୍ଲିମେଣ୍ଟରୀ ପରୀକ୍ଷା ଦେବେ ସେଥିପାଇଁ ପ୍ରବର୍ତ୍ତାଇବୁ ବୋଲି ମନ୍ତ୍ରୀ କହିଛନ୍ତି।