ଦିଗପହଣ୍ଡି,୧୨|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ପଞ୍ଚାୟତ ଅନ୍ତର୍ଗତ ସଅଁଢେପ ଗ୍ରାମର ଏକ ବନ ବିଭାଗ ଜଳାଶୟ ପ୍ରକଳ୍ପରୁ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି। ବନ୍ୟଜନ୍ତୁମାନଙ୍କ ପାଇଁ ପାଣି ପିଇବାର ବ୍ୟବସ୍ଥା ନିମନ୍ତେ ବନ ବିଭାଗ ପକ୍ଷରୁ କରାଯାଇଥିବା ଏହି ପ୍ରକଳ୍ପରୁ ମଙ୍ଗଳବାର ରାତିରେ କିଛି ଦୁର୍ବୃତ୍ତ ପାଣି ମୋଟର, ସୋଲାର ପ୍ୟାନେଲ ଏବଂ ବ୍ୟାଟେରୀ ଚୋରି କରି ନେଇଥିଲେ।
ଘଟଣା ସମ୍ପର୍କରେ ବନ ବିଭାଗ ୱାଚର୍ ପାଟପୁର ବନ ବିଭାଗ ସେକ୍ସନ କାର୍ଯ୍ୟାଳୟକୁ ଅବଗତ କରାଇବା ପରେ ଫରେଷ୍ଟର ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ ଏବଂ ବୁଧବାର ପାଟପୁର ଥାନାରେ ଏତଲା ଦେଇଥିଲେ। ପାଟପୁର ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ମାମଲା ନଂ.୨୩୪/୨୬ ଏବଂ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍) ର ଦଫା ୩୦୨(୩)/୩(୫) ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ।
ତଦନ୍ତକାରୀ ଅଧିକାରୀ ତଥା ପୋଡ଼ାମାରି ଫାଣ୍ଡି ଏଏସଆଇ ପି.କେ. ବାଲିକାନା ଏହି ଚୋରି ଘଟଣାର ପର୍ଦ୍ଦାଫାଶ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ସେମାନଙ୍କ ନିକଟରୁ ସମସ୍ତ ଚୋରି ସାମଗ୍ରୀ, ଚୋରିରେ ବ୍ୟବହୃତ ସରଞ୍ଜାମ ଏବଂ ୨ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି।
ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ପାଟପୁର ଥାନା ବିଷ୍ଣୁସାଗର ଗ୍ରାମର ରାଜୁ ଶବର (୨୭), ରାମେଶ୍ବର ରଇତ (୨୨) ଏବଂ ଉସ୍ତପଲ୍ଲୀ ଗ୍ରାମର ମାଧବ ଶବର ଓରଫ ମାଧବ ବଡ଼ରଇତ (୨୦)। ବୁଧବାର ଅପରାହ୍ନରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟରେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ସେମାନଙ୍କୁ ଦିଗପହଣ୍ଡି ସବ୍ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।