ସାଂସ୍କୃତିକ ପୃଷ୍ଠଭୂମିରେ ଓଳକଣା ମେଳଣ

ଶୁଭେନ୍ଦୁ କୁମାର ଭୂୟାଁ

ବସନ୍ତର ଆଗମନ ସହିତ ପ୍ରକୃତି ଓ ପରିବେଶ ଭିତରେ ଏବେ ଦେଖାଦେଇଛି ଏକ ଅପୂର୍ବ ପରିବର୍ତ୍ତନର ଦୃଶ୍ୟପଟ। ଏଇ ସୁନ୍ଦର ସୁଶୋଭିତ ଏବଂ ରମଣୀୟ ପରିବେଶ ସହିତ ଓହ୍ଲାଇ ଆସିଛି ଦୋଳଯାତ୍ରାର ସାଂସ୍କୃତିକ ପରିଚୟ। ପୁରାତନ ଉତ୍କଳର ଧର୍ମ, ସଂସ୍କୃତି, ଐତିହ୍ୟର ଚେତନା ଭିତରେ ଦୋଳପର୍ବର ଆବାହନ ଓ ପାଳନ ଆମ ସାମାଜିକ ଜୀବନରେ ଏକ ସ୍ମରଣୀୟ ଅଧ୍ୟାୟ। ପ୍ରେମମୟ ପୁରୁଷୋତ୍ତମ ଶ୍ରୀକୃଷ୍ଣ ଓ ପ୍ରେମର ରାଣୀ ଶ୍ରୀରାଧାଙ୍କ ମିଳନ ହେଉଛି ଏହି ଦୋଳୋତ୍ସବର ମୁଖ୍ୟ ଆଧାର।
ପୁରୀ ଶ୍ରୀକ୍ଷେତ୍ରରେ ପାଳିତ ଦୋଳମିଳନ, ଯାଜପୁର ଜିଲା ଧର୍ମଶାଳାରେ ଅନୁଷ୍ଠିତ ପୁରାତନ ମୁନ୍‌ସୀ ମେଳଣ, ନେମାଳପୀଠର ଦୋଳଯାତ୍ରା, ବ୍ରହ୍ମଗିରିରେ ହରିହର ଭେଟ, ଏରଞ୍ଚ ନୃସିଂହନାଥଙ୍କ ଦୋଳପର୍ବ, ବୟାଳିଶ ମାୈଜାର ଗୋପୀନାଥ ଦୋଳ ଭଳି ଅବିଭକ୍ତ କଟକ ଜିଲାର ଓଳକଣା ଦୋଳ ମେଳଣ ପାୈରାଣିକ ପୃଷ୍ଠଭୂମିର ଦୋଳମିଳନ ଭାବରେ ସର୍ବଜନବିଦିତ। ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହେଉଥିବା ଦୋଳ ମେଲଣ ଯାତ୍ରାଠାରୁ ଓଳକଣା ମେଳଣ ଅନ୍ୟ କେତୋଟି ଦୃଷ୍ଟିକୋଣରୁ ବେଶ୍‌ ନିଆରା। ସ୍ବାଭାବିକ ଭାବରେ ମେଳଣ ଯାତ୍ରାରେ ଆସୁଥିବା ଠାକୁରବାଡ଼ିଗୁଡ଼ିକର ବିମାନଙ୍କୁ ଆନୁଷ୍ଠାନିକ ଭାବରେ ନିମନ୍ତ୍ରଣ କରାଯିବା ସହିତ ଯଥାବିଧି ବିଦାକି ସମ୍ମାନ ଦେବାର ପରମ୍ପରା ଥାଏ। କିନ୍ତୁ ଓଳକଣା ଯାତ୍ରାରେ ଅଂଶଗ୍ରହଣ କରୁଥିବା ପ୍ରାୟ ଦେଢ଼ଶହ ବିମାନଙ୍କୁ ଆମନ୍ତ୍ରଣ କରାଯାଇ ନ ଥାଏ। ବହୁ ପ୍ରାଚୀନ କାଳରୁ ଆୟୋଜିତ ଏହି ଦୋଳ ଯାତ୍ରାରେ ଠାକୁରମାନେ ଆପଣାଛାଏଁ ଆସିଥାନ୍ତି। ଠାକୁରମାନଙ୍କୁ ମଧ୍ୟ ବିଦାକି ଦିଆଯାଇ ନ ଥାଏ। ଥାଟବାଟ, ରଙ୍ଗରୋଶଣୀର ଭିଡ଼ରେ ମହାଆଡ଼ମ୍ବରରେ ଆସୁଥିବା ବିମାନଗୁଡ଼ିକୁ କିନ୍ତୁ ସୁନ୍ଦର ଭାବରେ ପରିଚର୍ଯ୍ୟା କରାଯାଇଥାଏ। ମେଳଣ ପରେ ଦେବସଭା ଭଙ୍ଗପରେ ଠାକୁରମାନେ ବ୍ରାହ୍ମମୁହୂର୍ତ୍ତରେ ବିଦାୟ ନେଲାବେଳେ ସେମାନଙ୍କ ବିମାନ ସାମ୍ନାରେ ବିଛା ହୋଇଥିବା ନବବସ୍ତ୍ର ବିପୁଳ ନୈବେଦ୍ୟଭାରରେ ଭରିଯାଇଥାଏ।
ସର୍ବତ୍ର ଦେଖାଯାଏ, ଦୋଳମିଳନ ଶ୍ରୀରାଧା-କୃଷ୍ଣଙ୍କ ଚେତନାର ପ୍ରତୀକ। କିନ୍ତୁ ଓଳକଣା ମେଳଣର ପୃଷ୍ଠଭୂମି ସୃଷ୍ଟିକର୍ତ୍ତା ଶ୍ରୀହରି ଓ ସଂହାର କର୍ତ୍ତା ହରହର ମହାଦେବଙ୍କ ମିଳନର ବାର୍ତ୍ତା ପ୍ରଚାର କରିଥାଏ। କାରଣ ଓଳକଣା ମେଳଣର ଉପତ୍ତ୍ତି ‘ହରି-ହର ଦର୍ଶନ’ ମୂଳଭିତ୍ତି ଉପରେ ହିଁ ପ୍ରତିଷ୍ଠିତ। ପରମଭକ୍ତ ମହାତ୍ମା ବିଦୂରଙ୍କ ଭକ୍ତି ଓ ସମର୍ପଣ ଭାବରେ ସନ୍ତୁଷ୍ଟ ହୋଇ ଭକ୍ତର ମନୋବାଞ୍ଛା ପରିପୂରଣ ପାଇଁ ଶ୍ରୀକୃଷ୍ଣ ତାଙ୍କୁ ଫାଲ୍‌ଗୁନ ଶୁକ୍ଳ ଚତୁର୍ଦ୍ଦଶୀ ତିଥିର ବ୍ରାହ୍ମ ମୁହୂର୍ତ୍ତରେ ହରିହର ରୂପରେ ଦର୍ଶନ ଦେବାକୁ ସମ୍ମତି ପ୍ରଦାନ କରିଥିଲେ। ଓଳକଣା ମେଳଣର ଅନ୍ତିମ ତିଥିରେ ସୂକ୍ଷ୍ମରୂପୀ ବିଦୂରଙ୍କ ସମେତ ସମାଗମ ସହସ୍ରାଧିକ ଭକ୍ତଜନ ଏହି ଦେବଦୁର୍ଲଭ ରୂପ ଦର୍ଶନ କରିଥାନ୍ତି। ଏହି ମେଳଣକୁ ବିଜେ ହୋଇଥିବା ଶତାଧିକ ବିମାନଗୁଡ଼ିକରେ ରାଧାକୃଷ୍ଣଙ୍କର ବିଗ୍ରହ ଆସିଥିଲା ବେଳେ ଏକମାତ୍ର ଭଦ୍ରେଶ୍ୱରଙ୍କ ବିମାନରେ ରାଧାକୃଷ୍ଣଙ୍କ ସହିତ ଶ୍ରୀ ଶ୍ରୀ ବୀରଭଦ୍ରେଶ୍ୱରଙ୍କ ପ୍ରତୀକ ‘ହର’ ହିଁ ଓଳକଣା ମେଳଣକୁ ଆସିଥାନ୍ତି। ମାହାଙ୍ଗାର ଭଦ୍ରେଶ୍ୱର ଗ୍ରାମରୁ ଆସୁଥିବା ଶ୍ରୀ ବୀରଭଦ୍ରେଶ୍ୱର ବିମାନ ମେଳଣର ଅନ୍ୟତମ ଆକର୍ଷଣ। କାରଣ ସେ ହେଉଛନ୍ତି ମେଲଣପଡ଼ିଆର ଅଧିପତି। ଭଦ୍ରେଶ୍ୱର ବିମାନରେ ଠାକୁର ‘ରାଧାକୃଷ୍ଣ’ଙ୍କ ବିଗ୍ରହ ସହିତ ଶିବଶକ୍ତିର ପ୍ରତୀକ ‘ଚୂଳମାଳ’ ଆସିଥାଏ। ମେଳଣକୁ ଆସିବା ଦିନ ଭଦ୍ରେଶ୍ୱର ଶୈବମନ୍ଦିରରେ ବଡ଼ପଣ୍ଡା ଚୂଳମାଳ ଚଢ଼ାଇବା ସହିତ ପହଡ଼ ପକାଇଥାନ୍ତି। ଇତିମଧ୍ୟରେ ବିମାନରେ ରାଧାକୃଷ୍ଣ ବିଗ୍ରହ ଗ୍ରାମରୁ ଭୋଗ ଖାଇ ଆସିବା ପରେ ଅନ୍ନପ୍ରସାଦ ଅର୍ପଣ କରାଯାଇଥାଏ। ଏହାପରେ ବୀରଭଦ୍ରେଶ୍ୱରଙ୍କ ପାଖରୁ ଭଗବତୀଙ୍କୁ ଅବିର ଦିଆଯାଇଥାଏ। ରାଧାକୃଷ୍ଣଙ୍କ ବିଗ୍ରହ ସହ ଯାତ୍ରା ପାଇଁ ‘ହର’ଙ୍କର ପ୍ରତୀକ ଭାବରେ ଅର୍ପଣ କରାଯାଇଥିବା ଚୂଳମାଳ ଭଦ୍ରେଶ୍ୱରଙ୍କଠାରୁ ଛାଏଁ ଖସିଥାଏ। ଏହା ଖସିଲେ ଶ୍ରୀ ବୀରଭଦ୍ରେଶ୍ୱରଙ୍କ ଆଦେଶ ବୋଲି ଗ୍ରହଣ କରାଯାଏ। ଏହାପରେ ଚୂଳମାଳକୁ ନେଇ ରାଧାକୃଷ୍ଣ ବସିଥିବା ପୁଷ୍ପକ ବିମାନରେ ସ୍ଥାପନ କରାଯାଇଥାଏ। ଏହି ଚୂଳମାଳକୁ ଜଗିବା ପାଇଁ ଦୁଇଟି ତମ୍ବାନିର୍ମିତ ନାଗବିଗ୍ରହ ଦ୍ୱାରପାଳ ରୂପରେ ବିମାନରେ ସ୍ଥାପିତ ହୋଇଥାନ୍ତି। ପୁଷ୍ପକବିମାନ ମେଳଣକୁ ଯାତ୍ରାରମ୍ଭ କରିବା ପୂର୍ବରୁ ତାଙ୍କୁ ମଙ୍ଗଳ ଆରତି କରାଯାଇଥାଏ। ଏହାକୁ ‘ବିଜେ ଆଳତି’ ବା ‘ବିଜୟୀ ଆଳତି’ ମଧ୍ୟ କୁହାଯାଏ। ରାଜସ୍ବ ଗ୍ରାମ ଗୋବିନ୍ଦପୁରର ଗ୍ରାମ ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କୁ ଅବିର ପ୍ରଦାନ କରି ସେଠାରୁ ଆଜ୍ଞାମାଳ ଆସିବା ପରେ ହିଁ ବିଜୟୀ ଆରତି କରାଯାଇଥାଏ। ପୁଷ୍ପକବିମାନ ଭଦ୍ରେଶ୍ୱରଙ୍କ ମନ୍ଦିର ପରିକ୍ରମା କରିବା ପରେ ଯାଇ ଠାକୁରଙ୍କୁ ଚୂଳମାଳ ବିମାନରେ ବିଜେ ହୋଇଥାନ୍ତି।
ଆଳି ରାଜାଙ୍କ ବିମାନକୁ ମଧ୍ୟ ମେଳଣରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଥାଏ। ଏହି ସୁପ୍ରସିଦ୍ଧ ଦୋଳ ମେଲଣ, ପୂର୍ବରୁ ମୋଗଲବନ୍ଦୀ ଓ ରାଜଯୋଡ଼ା ଅଞ୍ଚଳର ସୀମା କ୍ଷେତ୍ରରେ ଆୟୋଜିତ ହେଉଥିବାରୁ ଆଳିର ସୂର୍ଯ୍ୟବଂଶୀ ରାଜା ଏହି ଦୁଇ ଶାସନାଧୀନ ଅଞ୍ଚଳରେ ସଂହତି ରକ୍ଷା ପାଇଁ ଏହି ଓଳକଣା ମେଳଣକୁ ପୃଷ୍ଠପୋଷକତା କରିଆସୁଥିଲେ। ପୂର୍ବରୁ ଓଳକଣା ମୋଗଲବନ୍ଦୀ ଓ ନିକଟସ୍ଥ ଅରାଖଣ୍ଡ ରାଜବନ୍ଦୀ ଅଞ୍ଚଳରେ ଥିଲା। ଡେରାବିଶର ରାଜନଗରଠାରେ ଆଳି ରାଜାଙ୍କର ଦ୍ୱିତୀୟ ରାଜଧାନୀ ଥିଲା। ସେଠାରୁ ଆସୁଥିବା ବିମାନ ହିଁ ପ୍ରଥମେ ଓଳକଣା ପଡ଼ିଆକୁ ପ୍ରବେଶ କରିବା ପରେ ଅନ୍ୟ ସମସ୍ତ ବିମାନ ପ୍ରବେଶ କରିଥାନ୍ତି। ସେହିପରି ଏକମାତ୍ର ଆଳି ରାଜାଙ୍କ ବିମାନ ଉପରେ ଚନ୍ଦ୍ରାତାପ ଟଙ୍ଗା ଯାଇଥାଏ। ରାଜାଙ୍କ ବିମାନ ସହିତ ଡେରାବିଶରୁ ରାଣୀଙ୍କ ବିମାନରେ ଲକ୍ଷ୍ମୀଠାକୁରାଣୀ ମଧ୍ୟ ଏହି ମେଳଣକୁ ବିଜେ କରିଥାନ୍ତି। ମେଳଣ ପଡ଼ିଆରେ ପ୍ରବେଶ ପାଇଁ ତିନି ଦିଗରେ ତିନୋଟି ପ୍ରବେଶ ଫାଟକ ରହିଛି। ପ୍ରତ୍ୟେକ ଫାଟକରେ ଥିବା ସ୍ତମ୍ଭ ଦୁଇଟିରେ ବୃଷଭ ଓ ଗରୁଡ଼ଙ୍କର ବିଗ୍ରହ ରହିଥିବା ପ୍ରକାଶ। ହରି ଓ ହରଙ୍କ ବାହନ ଭାବରେ ଏହି ପ୍ରତୀକ ବିଗ୍ରହ ସ୍ଥାନ ପାଇବା ମଧ୍ୟ ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ।
ଏହି ମେଳଣ ମଧ୍ୟରାତ୍ରରୁ ଆରମ୍ଭ ହୋଇ ପ୍ରାତଃକାଳରେ ହିଁ ଶେଷ ହୋଇଥାଏ। କିନ୍ତୁ ଅପରାହ୍ନରୁ ଓଳକଣା ମେଳଣପଡ଼ିଆରେ ହାଟବଜାର ଖୋଲି୦ଯାଏ। ଭଦ୍ରେଶ୍ୱରଙ୍କ ବିମାନ ସହିତ ୧୦୮ଟି ଘଣ୍ଟ ଓ ଦୁଇଟି ମଶାଲ ମଧ୍ୟ ଆସିଥାଏ। ଏହି ୧୦୮ଜଣ ଘଣ୍ଟପାଟିଆ ମେଳଣର ଅନ୍ୟତମ ଆକର୍ଷଣ। ଭଦ୍ରେଶ୍ୱରଙ୍କ ୧୦୮ଜଣ ଘଣ୍ଟବାଦକ ସହିତ ପବିତ୍ର ‘ଚୂଳମାଳ’ ମେଳଣ ପଡ଼ିଆର ଉତ୍ତର ଦିଗରେ ଥିବା ବିଦୂର ମନ୍ଦିର ନିକଟକୁ ଯାତ୍ରାରମ୍ଭ କରିଥାଏ। ବିଦୂରଙ୍କ ବିଗ୍ରହର ନିକଟରେ ପୂଜାର୍ଚ୍ଚନା ପରେ ମୁଖ୍ୟ ପୂଜକ ମଙ୍ଗଳ ଆରତି ପ୍ରଦର୍ଶନ କରିଥାନ୍ତି। ଏହି ସମୟରେ ମେଳଣ ପଡ଼ିଆରେ ଥିବା ଭଦ୍ରେଶ୍ୱରଙ୍କ ବିମାନ ସମ୍ମୁଖରେ ଆରତି କରାଯାଇଥାଏ। ଏହି ଉଭୟ ଆରତିର ମହାମିଳନ ଘଟିବା ସହିତ ପୁରାଣ ପ୍ରସିଦ୍ଧ ଓଳକଣା ମେଳଣର ଅନ୍ତିମ ମୁହୂର୍ତ୍ତ ଉପଗତ ହୋଇଥାଏ। ମେଲଣର ଅଧିପତି ଭଦ୍ରେଶ୍ୱର ବିମାନ ଦେବସଭା ଭଙ୍ଗ କରି ପ୍ରଥମେ ଆସ୍ଥାନରୁ ଉଠିବା ପରେ ଅନ୍ୟ ବିମାନଗୁଡ଼ିକ ମଧ୍ୟ ନିଜ ନିଜ ଆସନରୁ ବିଦାୟ ନିଅନ୍ତି। ଅବିଭକ୍ତ କଟକ ଜିଲାର ସୀମାନ୍ତ କ୍ଷେତ୍ର ଯାଜପୁର, କଟକ ଓ କେନ୍ଦ୍ରାପଡ଼ା ଜିଲା ଠାକୁରବାଡ଼ିରୁ ବିମାନଗୁଡ଼ିକ ପ୍ରତିବର୍ଷ ଓଳକଣା ମେଳଣ ପଡ଼ିଆକୁ ଆସିଥାନ୍ତି। ଆଇନ ଶୃଙ୍ଖଳା ଓ ପ୍ରଶାସନିକ ବ୍ୟବସ୍ଥା ତଦାରଖ ପାଇଁ ଉଭୟ କଟକ ଓ କେନ୍ଦ୍ରାପଡ଼ା ଜିଲାର ପ୍ରଶାସନିକ ଅଧିକାରୀ, ପୋଲିସ ଅଧିକାରୀ, ସ୍ଥାନୀୟ ଲୋକପ୍ରତିନିଧି ଓ ଠାକୁରବାଡ଼ିର ପ୍ରତିନିଧିମାନେ ଏକାଠି ଏହି ମେଳାର ସୁପରିଚାଳନା କରିଥାନ୍ତି।
ପଲାଇ (ବାଲିଚନ୍ଦ୍ରପୁର), ଯାଜପୁର
ମୋ : ୯୪୩୭୨୨୬୭୯୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri