ଅନ୍‌ଲାଇନ୍‌ ଟ୍ରେଡିଂ ନାମରେ ଠକେଇ, ଆନ୍ଧ୍ରରୁ ଗିରଫ ହେଲେ ମାଷ୍ଟରମାଇଣ୍ଡ୍‌

କୋରାପୁଟ,୧୧ା୫(ଅମିତାଭ ବେହେରା): ଅନ୍‌ଲାଇନ୍‌ ଟ୍ରେଡିଂରେ ଅଧିକ ଲାଭ ଦେବା ଲୋଭ ଦେଖାଇ ଜୟପୁରର ଜଣେ ବ୍ୟକ୍ତିଙ୍କୁ ୨୦ ଲକ୍ଷ ୫୦ ହଜାର ଟଙ୍କା ଠକେଇ କରାଯାଇଥିବା ଘଟଣାରେ କୋରାପୁଟ ସାଇବର କ୍ରାଇମ ଓ ଇକନୋମିକ ଅଫେନ୍ସ ଥାନା ପୋଲିସ ଆନ୍ଧ୍ରପ୍ରଦେଶ ଅଞ୍ଚଳରୁ ଠକେଇର ମାଷ୍ଟରମାଇଣ୍ଡ୍‌ ସୀଦାରାପୁ ତମ୍ମାୟାଙ୍କୁ ଗିରଫ କରିଛି। ଅଭିଯୋଗକାରୀ ରାଜେଶ ପାତ୍ର ଫେସ୍‌ବୁକରେ ସଞ୍ଜନାଶ୍ରୀ ନାମକ ଜଣେ ମହିଳାଙ୍କ ସହ ପରିଚିତ ହୋଇଥିଲେ। ପରେ ସେ ହ୍ବାଟ୍ସଆପ୍‌ ମାଧ୍ୟମରେ ଅନ୍‌ଲାଇନ୍‌ ଟ୍ରେଡିଂରେ ଲାଭ ହେବ ବୋଲି ବିଶ୍ୱାସ ଜଗାଇ ବିଭିନ୍ନ ଖାତାକୁ ଟଙ୍କା ପଠାଇବାକୁ କୁହାଯାଇଥିଲା। ସେ ପର୍ଯ୍ୟାୟକ୍ରମେ ୨୦.୫୦ ଲକ୍ଷ ଟଙ୍କା ପଠାଇଥିଲେ।
ତଦନ୍ତରେ ପୋଲିସ ୧୨.୪୬ ଲକ୍ଷ ଟଙ୍କା ହୋଲ୍ଡ କରିଥିବାବେଳେ ୪ ଲକ୍ଷ ଟଙ୍କା ଅଭିଯୋଗକାରୀଙ୍କୁ ଫେରାଇ ଦିଆଯାଇଛି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ମୋବାଇଲ, ଏଟିଏମ୍‌ କାର୍ଡ, ଚେକ୍‌ବୁକ୍‌, ପାସ୍‌ବୁକ୍‌ ଓ ବିଭିନ୍ନ ଦସ୍ତାବିଜ୍‌ ଜବତ କରାଯାଇଛି। ଘଟଣାରେ କୋରାପୁଟ ସାଇବର ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରଖିଥିବା ଡିଏସ୍‌ପି ଭବାନୀ ପ୍ରଧାନୀ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Share