ମୋହନା, ୨୩।୯ (ମନ୍ମଥ ମିଶ୍ର): କିଛିଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ମୋହନା ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ଏହି ବର୍ଷା ଯୋଗୁଁ ମୋହନା ଅନ୍ତର୍ଗତ ପିଣ୍ଡିକି ନିକଟରେ ରାସ୍ତାକଡ଼ରେ ଥିବା ଏକ ବିରାଟକାୟ ଗଛ ଉପୁଡ଼ି ପଡ଼ିବାରୁ ୩୭୬(ଏ) ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।
ଏହି ରାଜପଥ ମୋହନାକୁ ପାରଳାଖେମୁଣ୍ଡି ସହ ସଂଯୋଗ କରୁଥିବାରୁ ଗଛ ପଡ଼ିବା ପରେ ଉଭୟ ପାର୍ଶ୍ୱରେ ଯାନବାହନ ଚଳାଚଳ ଠପ୍ ହୋଇଯାଇଥିଲା। ଫଳରେ ବହୁ ସଂଖ୍ୟକ ଯାନବାହନ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଅଟକି ରହିଥିଲା। ଯାତ୍ରୀ ଓ ଚାଳକମାନେ ଏଥିପାଇଁ ନାନା ସମସ୍ୟାର ସମ୍ମୁଖୀନ ହୋଇଥିଲେ।
ଖବର ପାଇ ମୋହନା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ଅଗ୍ନିଶମ କର୍ମଚାରୀମାନେ ମେସିନ୍ ସାହାଯ୍ୟରେ ରାସ୍ତା ଉପରେ ପଡ଼ିରହିଥିବା ଗଛକୁ କାଟି ଖଣ୍ଡଖଣ୍ଡ କରି ହଟାଇଥିଲେ। ଗଛ ହଟାଯିବା ପରେ ରାଜପଥରେ ଯାନବାହନ ଚଳାଚଳ ପୁଣି ସ୍ୱାଭାବିକ ହୋଇଥିଲା।