ଗାଲେରୀ କାଳୀ ମନ୍ଦିରରୁ ବଡ଼ ଧରଣର ଚୋରି; କୋଟି କୋଟି ଟଙ୍କାର ଅଳଙ୍କାର ଲୁଟ୍‌

ଭଞ୍ଜନଗର, ୫।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଅଞ୍ଚଳରେ ଚୋରି ଓ ଡକାୟତି ଘଟଣା ଦିନକୁ ଦିନ ବଢ଼ୁଥିବା ବେଳେ ରବିବାର ସକାଳେ ଆଉ ଏକ ବଡ଼ ଧରଣର ଚୋରି ଘଟଣା ସାମ୍ନାକୁ ଆସିଛି। ତାରସିଂ ଥାନା ଅନ୍ତର୍ଗତ ପ୍ରସିଦ୍ଧ ଗାଲେରୀ କାଳୀ ମନ୍ଦିରରୁ ଦୁର୍ବୃତ୍ତମାନେ ବହୁ ମୂଲ୍ୟବାନ ସୁନା ଓ ରୂପା ଅଳଙ୍କାର ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ମନ୍ଦିର କମିଟିର ପ୍ରାଥମିକ ଆକଳନ ଅନୁଯାୟୀ, ଲୁଟ୍‌ ହୋଇଥିବା ଅଳଙ୍କାରର ମୂଲ୍ୟ ୩ କୋଟି ଟଙ୍କାରୁ ଅଧିକ ହୋଇପାରେ।

ସୂଚନା ଅନୁଯାୟୀ, ଶନିବାର ରାତିରେ ଲଗାଣ ବର୍ଷା ଯୋଗୁ ଗାଲେରୀ ଗ୍ରାମ ସନ୍ଧ୍ୟାରୁ ପ୍ରାୟ ଜନଶୂନ୍ୟ ହୋଇପଡ଼ିଥିଲା। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ମନ୍ଦିରରେ ପ୍ରବେଶ କରି ଦେବୀଙ୍କ ସମସ୍ତ ଅଳଙ୍କାର ଲୁଟି ନେଇଥିଲେ। ରବିବାର ସକାଳେ ପୂଜାରୀ ପୂଜା କରିବା ପାଇଁ ମନ୍ଦିରକୁ ଆସିବା ବେଳେ ଚୋରି ଘଟଣା ସମ୍ପର୍କରେ ଜାଣିଥିଲେ। ପରେ ସେ ମନ୍ଦିର କମିଟିର ସଦସ୍ୟ ଓ ପୋଲିସକୁ ସୂଚନା ଦେଇଥିଲେ।

ଖବର ପାଇ ତାରସିଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛି। ଦୁର୍ବୃତ୍ତମାନେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମନ୍ଦିରରେ ଲାଗିଥିବା ସିସିଟିଭି କ୍ୟାମେରାର ହାର୍ଡଡିସ୍କ ମଧ୍ୟ ସାଙ୍ଗରେ ନେଇଯାଇଥିବା ଜଣାପଡ଼ିଛି। ଗାଁର ମଝିରେ ଥିବା ଏହି ପ୍ରସିଦ୍ଧ ମନ୍ଦିରରେ ଏଭଳି ଚୋରି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଗାଲେରୀ କାଳୀ ମନ୍ଦିର ଗଞ୍ଜାମ ଜିଲାର ଏକ ପ୍ରମୁଖ ଶକ୍ତିପୀଠ ଭାବେ ପରିଚିତ। ଭକ୍ତମାନେ ବର୍ଷସାରା ଏଠାରେ ସୁନା, ରୂପା ଓ ଅନ୍ୟାନ୍ୟ ଦାନ ସାମଗ୍ରୀ ଅର୍ପଣ କରୁଥିବାରୁ ମନ୍ଦିରରେ ବହୁ ମୂଲ୍ୟବାନ ଅଳଙ୍କାର ସଂରକ୍ଷିତ ରହିଥିଲା। ଏହି ଚୋରି ଘଟଣା ପରେ ଭକ୍ତମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଓ ଉଦ୍‌ବେଗ ପ୍ରକାଶ ପାଇଛି।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଭଞ୍ଜନଗର ସତ୍ୟ ସାଇ ମନ୍ଦିରରୁ ବହୁ ମୂଲ୍ୟବାନ ଅଳଙ୍କାର ଏବଂ ନାରାୟଣପାଟଣା ମନ୍ଦିରରୁ ବିରଳ ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଥିଲା। ଏହି ଦୁଇଟି ବଡ଼ ଘଟଣାର ପର୍ଦ୍ଦାଫାଶ କରିବାରେ ପୋଲିସ ଏପର୍ଯ୍ୟନ୍ତ ସଫଳ ହୋଇନଥିବା ବେଳେ ଗାଲେରୀ କାଳୀ ମନ୍ଦିର ଚୋରି ଘଟଣା ପୋଲିସ ପାଇଁ ଆଉ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ତଦନ୍ତରେ ସାମିଲ ଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ସମ୍ପୂର୍ଣ୍ଣ ଯାଞ୍ଚ ପରେ ପ୍ରକୃତରେ କେତେ ପରିମାଣର ଅଳଙ୍କାର ଚୋରି ହୋଇଛି ତାହା ସ୍ପଷ୍ଟ ହେବ। ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଥିବା ବେଳେ ଦୁର୍ବୃତ୍ତମାନଙ୍କୁ ଠାବ କରିବା ପାଇଁ ପ୍ରୟାସ ଜାରି ରହିଛି।

Dharitri – Odisha’s No.1 Odia Daily

Share