ବନ୍ୟା ବିପନ୍ନଙ୍କୁ ସମ୍ପୂର୍ଣ୍ଣ କ୍ଷତିପୂରଣ ଦାବିରେ ୧୩ରେ ଗଣଧାରଣା: ଡିସେମ୍ବର ୩ରେ…

ଛତ୍ରପୁର, ୧୦/୧୧ (ଦିଲ୍ଲୀପି ସାମଲ): ଗଞ୍ଜାମ ଜିଲ୍ଲାର ବନ୍ୟା ବିପନ୍ନ, କ୍ଷତିଗ୍ରସ୍ତ ଚାଷୀ ଓ ସାଧାରଣ ଜନତାଙ୍କୁ ସମ୍ପୂର୍ଣ୍ଣ କ୍ଷତିପୂରଣ ଓ ଉପଯୁକ୍ତ ସହାୟତା ଦାବିରେ ଆସନ୍ତା ୧୩ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବ ସିପିଆଇ। ଏଥିସହ ଡିସେମ୍ବର ୩ରେ ଆଇନ ଅମାନ୍ୟ ଆନ୍ଦୋଳନ କରିବାକୁ ଦଳ ନିଷ୍ପତ୍ତି ନେଇଛି।

ଏନେଇ ଛତ୍ରପୁର, ଚମାଖଣ୍ଡି ଓ ଗଞ୍ଜାମ ଆଞ୍ଚଳିକ ପରିଷଦର ମିଳିତ ବୈଠକ ଛତ୍ରପୁରସ୍ଥିତ ଲକ୍ଷ୍ମଣ ଭବନରେ ରାଜୀବ ଲୋଚନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ବୈଠକରେ ଦଳୀୟ ନେତା ଓ କର୍ମୀମାନେ ବନ୍ୟା କ୍ଷୟକ୍ଷତିର ସମ୍ପୂର୍ଣ୍ଣ ଭରଣା, ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ସହାୟତା, ଆହତଙ୍କୁ ଚିକିତ୍ସା ଓ ଆର୍ଥିକ ସହାୟତା ଏବଂ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର କ୍ଷତିପୂରଣ ପ୍ୟାକେଜ୍ ଦାବି କରିଥିଲେ।

ଏଥିସହ ଜାନିବିଲି ଆନିକଟର ପୁନରୁଦ୍ଧାର, ନଦୀଘୋରରୁ ସତୀମଠ ପର୍ଯ୍ୟନ୍ତ ପଥର ବନ୍ଧ, ମାଧପୁରରୁ ଋଷିକୁଲ୍ୟା ପର୍ଯ୍ୟନ୍ତ ଆଡ଼ିବନ୍ଧ ନିର୍ମାଣ, ଜଳ ନିଷ୍କାସନ ବ୍ୟବସ୍ଥା, ଚାଷୀଙ୍କୁ ଫସଲ ବୀମା ପ୍ରଦାନ ଓ କୃଷି ଋଣ ଛାଡ଼ ଦାବି ଉଠିଥିଲା।

ବୈଠକରେ ସିପିଆଇ ଜିଲ୍ଲା ସମ୍ପାଦକ ଶ୍ରୀହର୍ଷ ରଥ, ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡୀ, ପ୍ରକାଶ ପାତ୍ର, ନୀଳକଣ୍ଠ ଦାଶଙ୍କ ସମେତ ବହୁ ଦଳୀୟ ନେତା, କର୍ମୀ ଓ ଚାଷୀ ଉପସ୍ଥିତ ଥିଲେ। ବନ୍ୟା ବିପନ୍ନଙ୍କ ସମସ୍ୟାର ସମାଧାନ ଓ ଦୀର୍ଘସ୍ଥାୟୀ ବନ୍ୟା ନିୟନ୍ତ୍ରଣ ବ୍ୟବସ୍ଥା ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଦଳ ଦାବି କରିଛି।

Dharitri – Odisha’s No.1 Odia Daily

Share