ଟଙ୍କା ପାଇଁ ୧୪ଜଣଙ୍କୁ ବିବାହ

ଭୁବନେଶ୍ୱର,୧୫।୨(ବ୍ୟୁରୋ):ସରକାରୀ ଉଚ୍ଚ ପଦସ୍ଥ ଅଧିକାରୀ ପରିଚୟ ଦେଇ ଫସାଉଥିଲେ। ନାଁ ବଦଳାଇ ରାଜ୍ୟରୁ ରାଜ୍ୟ ବୁଲି ଠକେଇ କରୁଥିଲେ। ଜଣଙ୍କ ପରେ ଆଉଜଣଙ୍କୁ ବିବାହ କରି ଟଙ୍କା, ସୁନା ଲୁଟୁଥିଲେ। ୧୯୮୨ରୁ ଏପର୍ଯ୍ୟନ୍ତ ୭ ରାଜ୍ୟର ୧୪ଜଣ ମହିଳାଙ୍କୁ ବିବାହ କରିଥିବା ରସିକିଆ ଠକ ତଥା ନକଲି ଡାକ୍ତର ଶେଷରେ କମିଶନରେଟ ପୋଲିସ ହାତରେ ଧରାପଡିଛନ୍ତି। ସେ ହେଲେ କେନ୍ଦ୍ରାପଡ଼ା ଜିଲା ପାଟକୁରା ଥାନା ଅନ୍ତର୍ଗତ ସିଙ୍ଗୋଳର ରମେଶ ଚନ୍ଦ୍ର ସ୍ବାଇଁ ଓରଫ ବିଧୁ ପ୍ରକାଶ ସ୍ବାଇଁ ଓରଫ ରମଣୀ ରଞ୍ଜନ ସ୍ବାଇଁ (୫୪)। ଭୁବନେଶ୍ୱର ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ତାଙ୍କୁ ଖଣ୍ଡଗିରି ଅଞ୍ଚଳରୁ ଗିରଫ କରିବା ସହ ତାଙ୍କଠାରୁ ୩ଟି ମୋବାଇଲ୍‌ ଫୋନ୍‌, ବିଭିନ୍ନ ଜାଲ୍‌ ପରିଚୟପତ୍ର, ଏକାଧିକ ଏଟିଏମ୍‌ କାର୍ଡ ଜବତ ହୋଇଛି। ଏସମ୍ପର୍କରେ ଡିସିପି ଉମାଶଙ୍କର ଦାଶ ସୋମବାର ଖବରଦାତା ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ଦିଲ୍ଲୀର ଜଣେ ସ୍କୁଲ୍‌ ଶିକ୍ଷୟିତ୍ରୀଙ୍କ ଅଭିଯୋଗ ଆଧାରରେ ମାମଲା ନଂ.୮୬/୨୦୨୧ ରୁଜୁ କରାଯାଇଥିଲା। ଉକ୍ତ ଶିକ୍ଷୟିତ୍ରୀଙ୍କୁ ରମେଶ ୨୦୧୮ରେ ନୂଆଦିଲ୍ଲୀର ଆର୍ଯ୍ୟ ସମାଜ ମଣ୍ଡଳ ଜନକପୁରୀରେ ବିବାହ କରିଥିଲେ। ସେତେବେଳେ ସେ ନିଜକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଡେପୁଟି ଡାଇରେକ୍ଟର ଜେନେରାଲ ବୋଲି ପରିଚୟ ଦେଇଥିଲେ। ଗତବର୍ଷ ଭୁବନେଶ୍ୱର ଆଣି ତାଙ୍କୁ ପାଖରେ ରଖିଥିଲେ। କିଛିଦିନ ରହିବା ଭିତରେ ଶିକ୍ଷୟିତ୍ରୀ ଜଣକ ତାଙ୍କର ଅସଲ ରୂପ ଜାଣିବାକୁ ପାଇଥିଲେ। ରମେଶ ପୂର୍ବରୁ ଅନେକ ମହିଳାଙ୍କୁ ବିବାହ କରିଥିବା ଜାଣିବା ପରେ ସେ୨୦୨୧ ଜୁଲାଇ ୫ରେ ଭୁବନେଶ୍ୱର ମହିଳା ଥାନାରେ ଏତଲା ଦାଏର କରିଥିଲେ। ତଦନ୍ତବେଳେ ତାଙ୍କ କଳାକାର୍‌ନାମା ଜଣାପଡିଥିଲା। ଏହାପରେ ତାଙ୍କୁ ଗିରଫ ପାଇଁ ସ୍ପେଶାଲ ସ୍କ୍ବାଡ୍‌ ସହାୟତାରେ ଏକ ଟିମ୍‌ ଗଠନ କରାଯାଇଥିଲା। ଖଣ୍ଡଗିରି ଅଞ୍ଚଳରେ ଏକ ଭଡାଘରୁ ଅଭିଯୁକ୍ତ ରମେଶଙ୍କୁ ଗିରଫ କରାଯାଇଥିଲା। ଆଇପିସି ଦଫା ୪୯୮(ଏ), ୪୧୯, ୭୬୮, ୪୭୧, ୪୯୪ରେ ତାଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି। ତାଙ୍କ ଠକେଇ ସାମ୍ରାଜ୍ୟ ସମ୍ପର୍କରେ ଡିସିପି ପୂରା ତଥ୍ୟ ଦେବା ସହ ଅଧିକ ତଦନ୍ତ ପାଇଁ ତାଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି।