Categories: ଜାତୀୟ

ବିବାହ ଦ୍ୱାରା ଧର୍ମାନ୍ତରୀକରଣ ନିୟମ ହଟୁ : ସୁପ୍ରିମ୍‌କୋର୍ଟରେ ଗୁଜରାଟ ସରକାରଙ୍କ ସତ୍ୟପାଠ…

ନୂଆଦିଲ୍ଲୀ,୪।୧୨ : ବାଧ୍ୟତାମୂଳକ ଧର୍ମାନ୍ତରୀକରଣ ପ୍ରସଙ୍ଗରେ ଗୁଜରାଟ ସରକାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି। ଦେଶରେ ଧର୍ମାନ୍ତରୀକରଣ ବିରୁଦ୍ଧରେ କଡା ଆଇନ ପ୍ରଣୟନ କରିବାକୁ ସରକାର ମଧ୍ୟ ସମର୍ଥନ କରିଛନ୍ତି। ଲୋଭ, ପ୍ରଲୋଭନ, ଧମକ ଦ୍ୱାରା ବାଧ୍ୟତାମୂଳକ ଧର୍ମାନ୍ତରୀକରଣ ବିରୋଧରେ ରାଜ୍ୟ ବିଧାନସଭା ଏକ ଆଇନ ପ୍ରଣୟନ କରିଛି ବୋଲି ମଧ୍ୟ ସରକାର କହିଛନ୍ତି।

ଏହା ସହିତ ଗୁଜରାଟ ସରକାର ମଧ୍ୟ ସର୍ବୋଚ୍ଚ ଅଦାଲତକୁ ଗୁଜରାଟ ହାଇକୋର୍ଟଙ୍କ ଧାର୍ମିକ ସ୍ବାଧୀନତା ଅଧିନିୟମ, ୨୦୦୩ର ଧାରା ୫ ଉପରୁ ରୋକ ହଟାଇବାକୁ ଦାବି କରିଛନ୍ତି। ଯେଉଁଥିରେ କୁହାଯାଇଛି ଯେ ବିବାହ ମାଧ୍ୟମରେ ଧର୍ମାନ୍ତରୀକରଣ ପାଇଁ ଜଣେ ମାଜିଷ୍ଟ୍ରେଟଙ୍କ ଅନୁମତି ବାଧ୍ୟତାମୂଳକ ହେବ। ଗୁଜରାଟ ସରକାର କହିଛନ୍ତି ଯେ ହାଇକୋର୍ଟଙ୍କ ଷ୍ଟେ ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ପିଟିଶନ ରାଜ୍ୟ ସରକାର ଦାଖଲ କରିଛନ୍ତି।

ନଭେମ୍ବର ୧୪ ରେ ବରିଷ୍ଠ ଆଡଭୋକେଟ ଅଶ୍ୱିନୀ ଉପାଧ୍ୟାୟଙ୍କର ଜନସ୍ବାର୍ଥ ମାମଲା ଶୁଣାଣି ବେଳେ ସୁପ୍ରିମକୋର୍ଟ ଧର୍ମାନ୍ତରୀକରଣ ଉପରେ କଠୋର ମନ୍ତବ୍ୟ ଦେଇଥିଲେ। ଜଷ୍ଟିସ ଏମଆର ଶାହାଙ୍କ ନେତୃତ୍ୱରେ ଏକ ବେଞ୍ଚ କହିଥିଲେ ଯେ ଧର୍ମର ସ୍ବାଧୀନତା ଥାଇପାରେ, କିନ୍ତୁ ବାଧ୍ୟତାମୂଳକ ଧର୍ମାନ୍ତରୀକରଣ କରିବାର ସ୍ବାଧୀନତା ନାହିଁ। ସମ୍ବିଧାନ ଅନୁଯାୟୀ ଧର୍ମାନ୍ତରୀକରଣ ଆଇନଗତ, କିନ୍ତୁ ଏହାକୁ ବାଧ୍ୟତା ମୂଳକ ଭାବେ କରାଯାଇପାରିବ ନାହିଁ। ଏଥିସହିତ ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ଜାତୀୟ ସୁରକ୍ଷା ପ୍ରତି ବିପଦ ବୋଲି କହତଥିଲେ। ଏହି ମାମଲାରେ କୋର୍ଟ କେନ୍ଦ୍ର ସରକାରଙ୍କୁ ଏହାର ଜବାବ ଦାଖଲ କରିବାକୁ କହିଥିଲେ।

କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଭାରତର ସମ୍ବିଧାନ ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ ଧର୍ମକୁ ମୁକ୍ତ ଭାବରେ ପାଳନ କରିବାର ଅଧିକାର ଦେଇଥାଏ। ଅବଶ୍ୟ, ଏଥିରେ ଅନ୍ୟ ଲୋକଙ୍କୁ ଏକ ନିର୍ଦ୍ଦିଷ୍ଟ ଧର୍ମରେ ଧର୍ମାନ୍ତରୀକରଣ କରିବା କ୍ଷେତ୍ରରେ କାହାର ମୌଳିକ ଅଧିକାର ଅନ୍ତର୍ଭୁକ୍ତ ନାହିଁ। ତେଣୁ, ଅର୍ଥନନୈତିକ ଏବଂ ସାମାଜିକ ଦୃଷ୍ଟିରୁ ପଛୁଆ ତଥା ସମାଜର ଦୁର୍ବଳ ବର୍ଗର ମହିଳାଙ୍କ ଅଧିକାରର ସୁରକ୍ଷା ପାଇଁ ବେଆଇନ ଧର୍ମାନ୍ତରୀକରଣ ବିରୁଦ୍ଧରେ ଏକ କଠୋର ଆଇନ ଆବଶ୍ୟକ।

 

Share