ନଭେମ୍ବର ପହିଲାରୁ ସାମୁଦ୍ରିକ ପ୍ରବେଶ କଟକଣା: ସୀମା ଅତିକ୍ରମ କଲେ ବନ୍ଧା ହେବେ ମତ୍ସ୍ୟଜୀବୀ

ମହାକାଳପଡ଼ା,୩୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ କୂଳଠାରୁ ୨୦ କିମି ପରିଧି କୋର୍‌ ଓ ବଫର ଜୋନ୍‌ ଅଞ୍ଚଳରେ ବର୍ଷ ସାରା ପ୍ରବେଶ କଟକଣା ରହିଛି। ଅପରପକ୍ଷରେ ଏହି ଅଞ୍ଚଳରେ ନଭେମ୍ବର ପହିଲାଠାରୁ ମେ’ ଶେଷ ପର୍ଯ୍ୟନ୍ତ ସାମୁଦ୍ରିକ ପ୍ରବେଶ କଟକଣା କରାଯାଇଛି। ଏହି ସମୟରେ ଅଲିଭ ରିଡ୍‌ଲେ କଇଁଛମାନଙ୍କ ଆଗମନ ଓ ପ୍ରଜଜନ ଋତୁରେ ଟ୍ରଲର ଓ ମାଛ ଧରା ବୋଟର ଗାଞ୍ଜ ଜାଲରେ ଛନ୍ଦି ହୋଇ ଅକାଳରେ କଇଁଛମାନଙ୍କ ଜୀବନ ଯାଉଛି। ସେଥିପାଇଁ ଟ୍ରଲର ଓ ବୋଟ୍‌ ପ୍ରବେଶ କରି କଇଁଛମାନଙ୍କ ପାଇଁ ବିପଦ ପୂର୍ଣ୍ଣ କରୁଛନ୍ତି ବୋଲି ଅଭିଯୋଗ ହେଉଛି।

ଏହି ସମୟରେ ପ୍ରଚୁର ପରିମାଣରେ ମାଛ ପଡୁଥିବାରୁ ମତ୍ସ୍ୟଜୀମାନଙ୍କ ଲୋଲୁପ ଦୃଷ୍ଟି ପଡ଼ିଥାଏ। ଏହି ବ୍ଲକରେ ଦୁଇ ହଜାର ବୋଟ୍‌ ଓ ଦଶ ହଜାରରୁ ଅଧିକ ପାରମ୍ପରିକ ମତ୍ସ୍ୟଜୀବୀ ଅଛନ୍ତି। ଏହି ସମୟରେ ଲୁଚି ଛପି ସମୁଦ୍ରରୁ ଟ୍ରଲର ମାଲିକ ମାନେ ମାଛ ଧରି ମଲାମାଲ୍‌ ହୁଅନ୍ତି। ଏହି ୭ ମାସ ପ୍ରବେଶ କଟକଣା ଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୀବିକା ନିର୍ବାହ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି। ସ୍ଥାନୀୟ ମତ୍ସ୍ୟଜୀବୀମାନେ। ବିଶେଷ କରି ଏହି ନିଷିଦ୍ଧାଞ୍ଚଳରେ ବାଲେଶ୍ୱର, ଭଦ୍ରକ, ଦୀଘା, ବଳରାମ ଗଡ଼ି, କଷାଫଳ, ଧାମରା ଆଦି ଅଞ୍ଚଳର ମତ୍ସ୍ୟଜୀବୀମାନେ ଜବରଦସ୍ତ ପ୍ରବେଶ କରି ମାଛ ମାରୁଥିବା କୁହାଯାଉଛ। ଅପରପକ୍ଷରେ ଜଳ ସୀମା ଚିହ୍ନଟ ପାଇଁ ବନ ବିଭାଗ ପକ୍ଷରୁ ୧୪ଟି ଅତ୍ୟାଧୁନିକ ସୋଲାର ଭାସମାନ ଖମ୍ବ ସ୍ଥାପନ କରାଯାଇଛି। ସୀମା ଅତିକ୍ରମ ପାଇଁ ରାତିରେ ସୋଲାର ଲାଇଟ ଦୃଶ୍ୟମାନ ହେବ। ବନ ବିଭାଗ, ସାମୁଦ୍ରିକ ମତ୍ସ୍ୟ ବିଭାଗ, ସାମୁଦ୍ରିକ ଥାନା ଓ ତଟରଖି ବାହିନୀ ସ୍ବତନ୍ତ୍ର ପଇଁତରା ମାରିବା ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ କେବଳ ଗହୀରମଥା ରେଞ୍ଜ କର୍ମଚାରୀମାନେ ଏକ ସ୍ପିଡ୍‌ ବୋଟ୍‌ରେ ପାଟ୍ରୋଲିଂ କରୁଛନ୍ତି ବୋଲି ରେଞ୍ଜ ପକ୍ଷରୁ କୁହାଯାଉଛି।

ଏ ସମ୍ପର୍କରେ ଗହୀରମଥା ରେଞ୍ଜ ଅଧିକାରୀ ଚିତ୍ରସେନ ଜେନାଙ୍କ ମତାମତ ନେବାରୁ ପ୍ରବେଶ କଟକଣା ରହିଛି, ବେଆଇନ ଅନୁପ୍ରବେଶ କଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

Share