ଭୁବନେଶ୍ୱର,୮।୭(ତ୍ରିନାଥ ମହାନ୍ତି): ଭୁବନେଶ୍ବର ବିମାନବନ୍ଦରରୁ ପୁଣି ଜବତ ହୋଇଛି ୫କୋଟି ଟଙ୍କା ମୂଲ୍ୟର ମାରିଜୁଆନା। ବ୍ୟାଙ୍କକ୍ରୁ ଭୁବନେଶ୍ୱର ଚାଲାଣ ବେଳେ ୧୧କେଜି ମାରିଜୁଆନା ଜବତ କରାଯାଇଛି। ଏହି ମାରିଜୁଆନା ଚାଲାଣ କରୁଥିବା ଦୁଇ ଜଣ ଯାତ୍ରୀକୁ ଅଟକ ରଖି ପଚରାଉଚରା କରୁଛି ଡିଆର୍ଆଇ। ବ୍ୟାଙ୍କକ୍ରୁ ଭୁବନେଶ୍ୱର ଚାଲାଣ ବେଳେ ଏହି ସୂଚନା ପାଇ ଡିଆର୍ଆଇ ଚଢ଼ଉ କରିଥିଲା। ଦୁଇ ଜଣ ଯାତ୍ରୀଙ୍କୁ ବିମାନବନ୍ଦରରେ ଯାଞ୍ଚ କରିବା ପରେ ସେମାନଙ୍କ ଠାରୁ ମାରିଜୁଆନା ଜବତ କରାଯାଇଥିଲା। ସେମାନଙ୍କୁ ପଚରାଉଚରା ପରେ ଏହି ର଼୍ୟାକେଟର ପର୍ଦ୍ଦାଫାଶ୍ ହୋଇଛି। ଜବତ ମାରିଜୁଆନାର ମୂଲ୍ୟ ୫କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଏହି ନିଶା ଦ୍ରବ୍ୟ କିଏ ବ୍ୟାଙ୍କ୍କରୁ ପଠାଉଥିଲା ଏବଂ ଭୁବନେଶ୍ୱରରୁ କିଏ ରିସିଭ୍ କରୁଥିଲେ ସେନେଇ ଖୋଳତାଡ଼ କରୁଛି ଡିଆର୍ଆଇ। ରାଜଧାନୀର ଷ୍ଟାର ହୋଟେଲକୁ ଏହି ମାରିଜୁଆନା ଚାଲାଣ କରାଯାଉଥିବା ଜଣାପଡ଼ିଛି। ବିଦେଶରୁ ଆସୁଥିବା ଗ୍ରାହକଙ୍କୁ ଏହି ମାରିଜୁଆନା ଉପହାର ସୂରୂପ ଦିଆଯାଉଛି। ସେମାନେ ଏହି ନିଶାକୁ ଖାଇ ଝୁମୁଛନ୍ତି। ବଡ଼ କଥା ହେଲା ବ୍ୟାଙ୍କକ୍ରେ ଏହି ମାରିଜୁଆନା ଶସ୍ତାରେ ମିଳୁଛି। ଏହାକୁ ନିଶା ମାଫିଆମାନେ ସଂଗ୍ରହ କରି ବ୍ୟାଙ୍କକ୍ ବିମାନବନ୍ଦରରୁ ଓଡ଼ିଶା ସମେତ ବିିଭିନ୍ନ ରାଜ୍ୟକୁ ଚାଲାଣ କରୁଛନ୍ତି। ବିଶେଷ କରି ଓଡ଼ିଶା ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା ଢିଲା ଥିବାରୁ ନିଶା ମାଫିଆମାନେ ଏଠାକୁ ଟାର୍ଗେଟ କରୁଛନ୍ତି। ଏଠାରେ ନିଶାଦ୍ରବ୍ୟ ପହଞ୍ଚିବା ପରେ କୋର୍ଟ ଓ୍ବାର୍ଡ ଓ୍ବାର ମାଫିଆମାନେ ବିମାନବନ୍ଦରରୁ ସଂଗ୍ରହ କରି ନେଉଛନ୍ତି। ବଡ଼ କଥା ହେଲା ଏହି ର଼୍ୟାକେଟରେ କେହି କାହାକୁ ଜାଣି ନ ଥାନ୍ତି। ଫଳରେ ସେମାନେ କୋର୍ଡ ଓ୍ବାର୍ଡରେ ଏହି ର଼୍ୟାକେଟ କାରବାର କରୁଛନ୍ତି। ଯେଉଁମାନେ ଏହି ମାରିଜୁଆନା ଚାଲାଣ କରୁଛନ୍ତି ସେମାନେ ଏଥିରେ ୩୦ ପ୍ରତିଶତ ଟଙ୍କା ନେଉଛନ୍ତି। ଚାଲାଣ ପୂର୍ବରୁ ସେମାନେ ୨୦ପ୍ରତିଶତ ନେବା ବେଳେ ବାକି ଟଙ୍କା ଚାଲାଣ କରିବା ପରେ ନେଇଥାନ୍ତି ବୋଲି ଜଣାପଡ଼ିଛି।