ଓଡ଼ିଶାରେ ମାଓବାଦୀ ହିଂସା କମିଛି

ଭୁବନେଶ୍ବର,୨୯ା୧୦(ବ୍ୟୁରୋ): ହରିୟାଣାର ସୂରଯକୁଣ୍ଡଠାରେ କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଆନୁକୂଲ୍ୟରେ ସମସ୍ତ ରାଜ୍ୟ ଗୃହମନ୍ତ୍ରୀଙ୍କୁ ନେଇ ଚିନ୍ତନ ଶିବିର ଆରମ୍ଭ ହୋଇଛି। ଏହି ସମ୍ମିଳନୀରେ ଓଡ଼ିଶାର ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇ ଜାତୀୟ ସଂହତି ଦୃଢ଼ୀଭୂତ କରିବାରେ ଓଡ଼ିଶାର ଅବଦାନ ଯଥେଷ୍ଟ ରହିଛି। ଆଭ୍ୟନ୍ତରୀଣ ନିରାପତ୍ତା ଓ ଆଇନଶୃଙ୍ଖଳା, ପୋଲିସ ବ୍ୟବସ୍ଥା, ବେସାମରିକ ପ୍ରତିରକ୍ଷା ଏବଂ ହୋମ୍‌ଗାର୍ଡ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ସେ ତଥ୍ୟ ଉପସ୍ଥାପନ କରିଛନ୍ତି। ଓଡ଼ିଶା ବାମପନ୍ଥୀ ଉଗ୍ରବାଦ ଦମନ କ୍ଷେତ୍ରରେ ବିଶେଷ ସଫଳତା ହାସଲ କରିବା ସହ ମାଓବାଦୀ ହିଂସା କମ୍‌ ଥିବା ପ୍ରକାଶ କରିଛନ୍ତି। ପୋଲିସ ଗୁପ୍ତଚର ବ୍ୟବସ୍ଥା ଓ ନିରାପତ୍ତା ଦୃଢ଼ୀକରଣ ଯୋଗୁ ଏହା ସମ୍ଭବ ହୋଇପାରିଛି। ବର୍ତ୍ତମାନ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ଯୋଗୁ ମାଲକାନଗିରିର ସ୍ବାଭିମାନ ଅଞ୍ଚଳ ସ୍ବାଭିମାନରେ ପରିଣତ ହୋଇଛି। ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ନୂଆପଡ଼ା ଜିଲାରେ ଜଏଣ୍ଟ ଟାସ୍କ ଫୋର୍ସ ମୁତୟନ ହୋଇଛନ୍ତି। ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକତା ପ୍ରଦାନ କରାଯାଇଥିବା ମନ୍ତ୍ରୀ ବେହେରା କହିଛନ୍ତି। ଓଡ଼ିଶାର ପୋଲିସ ଆଧୁନିକୀକରଣ, ସମୁଦ୍ରତଟ ସୁରକ୍ଷା, ଆଭ୍ୟନ୍ତରୀଣ ଆଇନଶୃଙ୍ଖଳାର ସ୍ଥିତି ଓ ମହତ୍ତ୍ୱ ସମ୍ବନ୍ଧରେ କହିବା ସହ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ପ୍ରଚେଷ୍ଟା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।