ପୁଣି ଲାଗିଲା ମାଓବାଦୀ ପୋଷ୍ଟର: ୧୫ରୁ ୭ ଜିଲାକୁ ବନ୍ଦ ଡାକରା

ବାଲିଗୁଡ଼ା,୧୪।୫:(ଡି.ଏନ୍‌.ଏ.): କନ୍ଧମାଳ ଜିଲାରେ ପୁଣି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ମାଓବାଦୀ ସଂଗଠନ। ଦାରିଙ୍ଗବାଡ଼ି ଥାନା ଅଧୀନ ୫୯ ନମ୍ବର ଜାତୀୟ ରାଜପଥର ଏକାଧିକ ସ୍ଥାନରେ ରବିବାର ମାଓବାଦୀ ବ୍ୟାନର ଏବଂ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଏପରିକି କୋଟଗଡ଼ ଥାନା ବଣ୍ଡାପିପିଲି ଅଞ୍ଚଳରେ ମଧ୍ୟ ମାଓବାଦୀ ପୋଷ୍ଟର, ବ୍ୟାନର ଦେଖିବାକୁ ମିଳିଛି । ୫୯ ନମ୍ବର ଜାତୀୟ ରାଜପଥର ସିମନବା ଟୋଲଗେଟ ନିକଟ ଓ ବୁଡ଼ାଗୁଡ଼ା ଛକ ଏବଂ ବଣ୍ଡାପିପିଲିରାସ୍ତା କଡ଼ରେ ୧୨ ଦଫା ଦାବି ନେଇ ମେ ୧୫ ତାରିଖରେ ୭ଜିଲାକୁ ବନ୍ଦ ଡାକରା ଦେଇଛି ସିପିଆଇ ମାଓବାଦୀ। ୭ ଜିଲା ମଧ୍ୟରେ କନ୍ଧମାଳ, ଗଜପତି, ଗଞ୍ଜାମ, ରାୟଗଡ଼ା, ବୌଦ୍ଧ, କଳାହାଣ୍ଡି ଓ ନୟାଗଡ଼ ଜିଲା ଅନ୍ତର୍ଭୁକ୍ତ ।

ଦୁଇଦିନ ତଳେ ଫିରିଙ୍ଗିଆ ଥାନା ସୁମେରବନ୍ଧ ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କୁ ମାଓବାଦୀମାନେ ଘରୁ ଡାକିନେଇ ଗୁଳିକରି ହତ୍ୟା କରିଥିଲେ । ଶନିବାର ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲଙ୍କ ସହିତ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଆଇଜି ଅପେରଶନ ଅମିତାଭ ଠାକୁର, ଦକ୍ଷିଣାଞ୍ଚଳ ଆଇଜି , ସିଆର୍‌ପିଏଫ କମାଣ୍ଡାଣ୍ଟ ସଞ୍ଜୀବ କୁମାର, ବିଏସ୍‌ଏଫ ଆଇଜି ଦୀନେଶ କୁମାର ଶର୍ମାଙ୍କ ସମେତ ରାଜ୍ୟର ୫ ବରିଷ୍ଠ ପୋଲିସ ଅଧିକାରୀ କନ୍ଧମାଳ ଗସ୍ତରେ ଆସି ବିଭିନ୍ନ ସିଆର୍‌ପିଏଫ ଓ ବିଏସ୍‌ଏଫ କ୍ୟାମ୍ପ ବୁଲିବା ସହ ମାଓବାଦୀଙ୍କ ଗତିବିଧି ଉପରେ ସମୀକ୍ଷା କରି ଫେରିଥିଲେ। ଏଭଳିସ୍ଥିତିରେ ରବିବାର ଦାରିଙ୍ଗବାଡ଼ି ଓ କୋଟଗଡ ଥାନା ଅଞ୍ଚଳରେ ମାଓବାଦୀ ବ୍ୟାନର୍‌ ପୋଷ୍ଟର ମାରି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ମାଓବାଦୀ ସଂଗଠନ। ଅନ୍ୟପକ୍ଷରେ କିଛି ବର୍ଷ ହେବ ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ଜଣାପଡ଼ୁ ନ ଥିବା ବେଳେ ବର୍ତ୍ତମାନ ପୁଣି ମାଓବାଦୀ ଅଞ୍ଚଳରେ ଉପସ୍ଥିତି ଜାହିର କରିବା ଅଞ୍ଚଳବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।