ଲଦାପଦର ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଠାବ: ଖସିଗଲେ କ୍ୟାଡର ମାଓବାଦୀ

ଫୁଲବାଣୀ ଅଫିସ, ୩ା୭- କନ୍ଧମାଳ ଜିଲା ପୋଲିସ ପକ୍ଷରୁ କୋମ୍ବିଂ ବେଳେ ଫିରିଙ୍ଗିଆ ଥାନା ସୁମେରବନ୍ଧ ପଞ୍ଚାୟତ ଲଦାପଦର ସଂରକ୍ଷିତ ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଠାବ ହୋଇଛି। ସେଠାରୁ ବିପୁଳ ପରିମାଣର ବିସ୍ଫୋରକ ସହ ମାଓବାଦୀ ସାମଗ୍ରୀ ଜବତ କରାଯାଇଛି। ମାତ୍ର ସୂଚନା ପାଇ ମାଓବାଦୀମାନେ କ୍ୟାମ୍ପ ଛାଡି ପଳାଇଛନ୍ତି। କନ୍ଧମାଳ ଏସ୍‌ପି ପ୍ରତୀକ୍‌ ଗୀତା ସିଂ ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି।
ଏସ୍‌ପିଙ୍କ ସୂଚନା ଅନୁଯାୟୀ, ଜୁନ୍‌ ୨୯ରେ ପୋଲିସ ଓ ଯବାନ ମିଳିତ ଭାବେ ଜଙ୍ଗଲରେ କୋମ୍ବିଂ ଅପରେଶନ ଚଳାଇଥିଲେ। ସୁମେରବନ୍ଧ ପଞ୍ଚାୟତ ଲଦାପଦର ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଚାଲିଥିବା ଗୁଇନ୍ଦା ସୂତ୍ରରୁ ଖବର ମିଳିଥିଲା। ସେଠାରେ କୋମ୍ବିଂ ବେଳେ ଯବାନମାନେ ମାଓବାଦୀ କ୍ୟାମ୍ପ ଠାବ କରିଥିଲେ। ଯବାନମାନେ ପହଞ୍ଚତ୍ବା ପୂର୍ବରୁ ମାଓବାଦୀମାନେ ଆଗୁଆ ସୂଚନା ପାଇ ଖସି ପଳାଇଥିଲେ। ଶିବିରରୁ ୧୫ କେଜି ବିସ୍ଫୋରକ ସହ ୨୮ ଡିଟୋନେଟର, ୩ ମଲ୍ଟି ମିଟର, ବ୍ୟାଟେରି, ବ୍ୟାଗ୍‌, ପୋଷାକ, ମାଓବାଦୀ ବ୍ୟାନର, ପୋଷ୍ଟର, ଲିଫ୍‌ଲେଟ୍‌ ଆଦି ଜବତ କରାଯାଇଛି। ଶିବିରରେ ମହିଳା ମାଓବାଦୀଙ୍କ ସମେତ ୧୫ରୁ ୨୦ ଜଣ ଥିବା ଅନୁମାନ କରାଯାଉଛି। ସେମାନଙ୍କ ମଧ୍ୟରେ କେକେବିଏନ୍‌ ସଙ୍ଗଠନର ଦାମୁଲୁ, ଆକାଶ ଭଳି କ୍ୟାଡର ମାଓବାଦୀ ନେତା ଥିବା ଅନୁମାନ କରାଯାଉଛି। ଆସନ୍ତା ୨୬ରୁ ମାଓବାଦୀଙ୍କ ଶହୀଦ୍‌ ସପ୍ତାହ ଆରମ୍ଭ ହେବ। ତେଣୁ ଜିଲାରେ ବଡ ଧରଣର ଅଘଟଣ ପାଇଁ ଯୋଜନା ଚାଲିଥିବା ସନ୍ଦେହ କରାଯାଉଛି ବୋଲି ଏସ୍‌ପି ସିଂ କହିଛନ୍ତି।