ଏସ୍‌ଆଇଟିର ଗିରଫଦାରି ପରେ ଅନେକ ପ୍ରଶ୍ନ

ନୟାଗଡ଼ ଅଫିସ,୨୨।୧୨: ପରୀ ଅପହରଣ ଓ ହତ୍ୟା ଘଟଣାରେ ଏସ୍‌ଆଇଟି ଜଣେ ଛାତ୍ରଙ୍କୁ ଗିରଫ କରିବା ପରେ ସାଧାରଣରେ ନାନା ପ୍ରଶ୍ନ ଉଠିଛି। ସାଢ଼େ ୪ ମାସର ତଦନ୍ତ ପରେ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ଫେଲ୍‌ ମାରିଥିଲା। ହେଲେ ୨୦ ଦିନରେ ଏସ୍‌ଆଇଟି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହେବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। କୋର୍ଟରେ ହାଜର କରାଯାଇଥିବା ଛାତ୍ର ପ୍ରକୃତରେ ଦୋଷୀ ନା ଭାଜପାର ପଦଯାତ୍ରାକୁ ଆଖି ଆଗରେ ରଖି ତାଙ୍କୁ ଅପରାଧୀ ସଜାଯାଇଛି, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅବଶ୍ୟ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ଗଣମାଧ୍ୟମକୁ କହିଛନ୍ତି, ଅଭିଯୁକ୍ତଙ୍କ ବିରୋଧରେ ତାଙ୍କ ପାଖରେ ବହୁ ପ୍ରମାଣ ରହିଛି। ମଙ୍ଗଳବାର ଏସ୍‌ଆଇଟି ଉକ୍ତ ଘଟଣାର ପର୍ଦ୍ଦାଫାଶ କରିବା ପରେ ଭାଜପା ଓ କଂଗ୍ରେସ ପକ୍ଷରୁ ଭିନ୍ନ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି। ଉକ୍ତ ଘଟଣାରେ ସଦର ଥାନା ଆଇଆଇସିଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଏସ୍‌ଡିପିଓଙ୍କ ବଦଳି କରାଯାଇଛି। ଏସ୍‌ପିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ପରୀର ମା’ବାପା, ବଡ଼ମା’, ବଡ଼ବାପାଙ୍କୁ ପୋଲିସ ବାରମ୍ବାର ଅଟକ ରଖି ନିର୍ଯାତନା ଦେଉଥିଲା କାହିଁକି। ଏଇଭଳି ଅନେକ ପ୍ରଶ୍ନ ସ୍ଥାନୀୟ ଲୋକଙ୍କୁ ଅଡୁଆରେ ପକାଇଛି।
ଝିଅ ବାହାଘର ଭାଙ୍ଗିଗଲା
ପୁଅ ଜେଲରେ, ଝିଅ ବାହାଘର ଭାଙ୍ଗିଗଲା। କ’ଣ କରିବେ, ନିର୍ଦ୍ଦୋଷ ପୁଅକୁ କିପରି ନ୍ୟାୟ ଦେବେ ସେ ଚିନ୍ତାରେ ଗିରଫ ଛାତ୍ରଙ୍କ ମା’। ସୋମବାର ଏସ୍‌ଆଇଟି ପକ୍ଷରୁ ତାଙ୍କୁ ଖରାପ ବ୍ୟବହାର କରାଯାଇଥିବା ଓ ସାଦା କାଗଜରେ ଦସ୍ତଖତ ନିଆଯାଇଥିବା ନେଇ ସେ ନୟାଗଡ ସଦର ଥାନାରେ ଅଭିଯୋଗ କରିଛନ୍ତି। ଏସ୍‌ଆଇଟି ତଦନ୍ତରେ ସ୍ବଚ୍ଛତା ନ ଥିବାରୁ ସିବିଆଇ ତଦନ୍ତ କରିବାକୁ ସେ ଅନୁରୋଧ କରିଛନ୍ତି।
ପୋଖରୀ ଜଳ ନିଷ୍କାସନ ହେଲାନି
ପୋଖରୀ ହୁଡ଼ାରୁ ପରୀର ମୃତଦେହ ମିଳିଥିଲା। ସେଠାରେ ପଡ଼ିଥିବା ଏକ ଅଖାବସ୍ତା ଭିତରୁ ୧୨ ଖଣ୍ଡ ହାଡ଼, ଖପୁରି ଓ ପରୀର ଶାର୍ଟ ମିଳିଥିଲା। ମୃତଦେହର ଅବଶିଷ୍ଟ ଅଂଶ ଓ ହତ୍ୟାରେ ବ୍ୟବହୃତ ସରଞ୍ଜାମ କାଳେ ପୋଖରୀରେ ପକାଇ ଦିଆଯାଇଥିବ, ସେନେଇ ପୋଖରୀରୁ ଜଳ ନିଷ୍କାସନ ପାଇଁ ନୟାଗଡ ସଦର ଥାନା ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ସୋମବାର ଦମଳକ ବାହିନୀ ଓ ନୟାଗଡ ପୌରାଞ୍ଚଳର ୩ଟି ଦଳ ଆସି ପୋଖରୀର ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରିଥିଲେ। ତେବେ ତାହା ଶେଷରେ ବାତିଲ କରାଯାଇଥିଲା।