ରାଷ୍ଟ୍ର ଉତ୍ଥାନର ମନ୍ତ୍ର

ଉପେନ୍ଦ୍ର ବିଶ୍ୱାଳ

 

ଅନେକ ସମୟରେ ଆନ୍ଦୋଳିତ ହୋଇଉଠେ ମନ। ପ୍ରଶ୍ନ ଆସେ ମନରେ। କ୍ଷୁଦ୍ରାତି-କ୍ଷୁଦ୍ର ପିମ୍ପୁଡ଼ି ପରି ଦେଶ ହସ୍ତୀସମ ବିଶାଳ ଆମ ଭାରତ ଅପେକ୍ଷା କିପରି ଏତେ ଅଗ୍ରଣୀ। ବୈଭବରେ ଭରା ଥିବା ଭୂଖଣ୍ଡ, ଯିଏକି ସମୃଦ୍ଧିର ଶୀର୍ଷସ୍ଥାନ ମଣ୍ଡନ କରିବା କଥା, କାହିଁକି ଏମାନଙ୍କ ପଛରେ। କ’ଣ ବା ନାହିଁ ମୋ ମାଟିର ମୁଲକରେ। ଭୂଗୋଳ, ଭୂ-ସମ୍ପଦଠାରୁ ବିଚାର ବିଭବ ପର୍ଯ୍ୟନ୍ତ ସବୁଥିରେ ତ ଏ ମାଟି ବେଶ୍‌ ସମୃଦ୍ଧ। ବିଧାତାଙ୍କ ସୃଷ୍ଟ ଏପରି ଭାଗ୍ୟବାନ୍‌ ଭୂଖଣ୍ଡ ଏ ଦୁନିଆରେ ଆଉ କେଉଁଠି ଅଛି? ଆମର ଅସଫଳତା ଓ ତାଙ୍କ ସଫଳତାର କାରଣ କ’ଣ? ମରୁଭୂମିର ଅତି କ୍ଷୁଦ୍ର ଦେଶଟିଏ ଇସ୍ରାଏଲ। ଏଇମାତ୍ର କେଇ ବର୍ଷ ତଳେ ସୃଷ୍ଟ ଦେଶଟି ଆର୍ଥିକ, ସାମରିକ, ସାମାଜିକ ଦୃଷ୍ଟିରୁ ସବୁଥିରେ ଖୁବ୍‌ ସମୃଦ୍ଧ। ଜନସଂଖ୍ୟା ଓ ଆୟତନ ଦୃଷ୍ଟିରୁ ତ ଓଡ଼ିଶାର ୫/୬ଟି ଜିଲାର ସମାହାର। ଅଦ୍ୟାବଧି ୧୨ରୁ ଊର୍ଦ୍ଧ୍ୱ ନୋବେଲ ପୁରସ୍କାର ପାଇ ସେ ମାଟି ମହିମାନ୍ବିତ। ଶକ୍ତି-ସାମର୍ଥ୍ୟ-ସମୃଦ୍ଧି ସବୁଥିର ମୂଳ ରହସ୍ୟ ହେଉଛି ଗଭୀର ଦେଶପ୍ରେମ ବା ରାଷ୍ଟ୍ରବୋଧ। ମାର୍ଟିନ୍‌ ଲୁଥରଙ୍କ ପରି ବିଶ୍ୱର ବହୁ ମାନ୍ୟଗଣ୍ୟ ମନୀଷୀମାନଙ୍କର ସେହି ଗୋଟିଏ ମତ ‘କୌଣସି ଦେଶର ସାମର୍ଥ୍ୟ ବା ସମୃଦ୍ଧି, ପରାକ୍ରମ ବା ପରାକାଷ୍ଠା ନିର୍ଭର କରେ ନା ସେ ଦେଶର ଭୂଗୋଳ, ଭୂସମ୍ପଦ ବା ଭରା ବୈଭବ ଉପରେ। ବରଂ ନିର୍ଭର କରେ ସେ ଦେଶର ଜନ ମାନସିକତା ଉପରେ। ନିର୍ଭରକରେ ମାଟିର ମଣିଷମାନଙ୍କର ମନୋବଳ, ମାଟିମନସ୍କ ଭାବ ଉପରେ।
କୌଣସି ଜାତିର ଉତ୍କର୍ଷତା ଭୂଇଁ ଫୁଟାଇ ଆପେ ଆପେ ଉପରକୁ ଉଠି ନଥାଏ, ଅବା ସମୃଦ୍ଧି ଖସି ନଥାଏ ସ୍ବର୍ଗରୁ। ମାଟିର ମଣିଷ ହିଁ ମାଟିକୁ ଗଢ଼େ, ଆଗକୁ ବଢ଼େ। ଇତିହାସରୁ ଅଦ୍ୟାବଧି ଦେଖିବାକୁ ମିଳେ, ଯେଉଁ ଦେଶର ଜନତା ଯେତିକି ଜାତି ଓ ମାଟିପ୍ରେମୀ, ସେ ଦେଶ ସେତିକି ଉଚ୍ଚକୁ ଉନ୍ନୀତ। ମାଟିକୁ ଭଲପାଇବା, ମାଟିର ମୌଳିକତାରେ ଅବଗାହନ କରିବା, ମାଟିର ପ୍ରକୃତି ଓ ସଂସ୍କୃତିକୁ ସାଦରେ ସ୍ବୀକାର କରିବା, ମାଟି-ମାଆ ପ୍ରତି ସମର୍ପିତ ହେବା- ଏହାହିଁ ତ ରାଷ୍ଟ୍ର ଉତ୍ଥାନର ଉତ୍କୃଷ୍ଟ ଉତ୍ସ। ‘ଜିଇବୁ ତ ଜାତି ପାଇଁ, ମରିବୁ ତ ମାଟି ପାଇଁ’- ଏହି ଭାବଧାରା ହିଁ ତ ରାଷ୍ଟ୍ରବୋଧ। ରାଷ୍ଟ୍ରର ଗୌରବଗୀତି। ଯେଉଁଠି, ଯେତେବେଳେ ଏହି ରାଷ୍ଟ୍ରବୋଧର ଅଭାବ ବା ଅବକ୍ଷୟ ଦେଖାଦେଇଛି ସେଇଠି, ସେତେବେଳେ ଆସି ଉପନୀତ ହୋଇଛି ବିପର୍ଯ୍ୟୟ ବା ବିଫଳତା। କାଲିର ଶହ ଶହ ବର୍ଷର ବିପର୍ଯ୍ୟୟ ଭାରତଠାରୁ ଆଜିର ଅସଫଳ ଭାରତ ପର୍ଯ୍ୟନ୍ତ ଆଖି ଆଗକୁ ଆସେ ସେହି ଅସଲ କାରଣ ‘ରାଷ୍ଟ୍ରବୋଧର ଅଭାବ’। ଯେଉଁଥିପାଇଁ କି ଏ ଦେଶ ଭୋଗିଛି ଅନେକ ଶୋଷଣ ଓ କଷଣା ଭୋଗିଛି ନାହିଁ ନଥିବା ହୀନସ୍ତା। ରାଷ୍ଟ୍ରବୋଧର ମଡ଼କ ହେଲେ ରାଷ୍ଟ୍ରର ଅସ୍ମିତାର ଏହିପରି ଅବକ୍ଷୟ ହୁଏ। ଅସ୍ତିତ୍ୱ ବା ଅଖଣ୍ଡତା ପ୍ରତି ବିପଦ ଦେଖାଦିଏ। ସମାଜ ସଙ୍କଟଗ୍ରସ୍ତ ହୁଏ। ରାଷ୍ଟ୍ରର ଭାଗ୍ୟାକାଶରେ ଦୁର୍ଦ୍ଦିନ ଦେଖାଦିଏ। ରାଷ୍ଟ୍ରବୋଧର ଅଭାବ ହେଲେ ରାଷ୍ଟ୍ରର ଚେତନା ଶୋଇ ରହେ ଗାଢ଼ ନିଦ୍ରାରେ। ଆତ୍ମପ୍ରତ୍ୟୟ ଭୁଲିଯାଏ ଜାତି, ଠିକ୍‌ ଓଟପକ୍ଷୀ ପରି। ପ୍ରଚଣ୍ଡ ସାମର୍ଥ୍ୟ ଓ ଶକ୍ତିଶାଳୀ ଥିବା ଓଟପକ୍ଷୀଟି ଶିକାର ହୁଏ ଇତର ପ୍ରାଣୀଙ୍କ ଦ୍ୱାରା। ଚିତାବାଘ ପରି ଅତି କ୍ଷିପ୍ର ଗତିରେ ଦୌଡ଼ି ପାରୁଥିବା, ଗୋଟିଏ ଗୋଟିଏ ଗୋଇଠାରେ ବାଘ-ସିଂହ ପରି ଜନ୍ତୁକୁ ଛତୁ କରିଦେବାର ସାମର୍ଥ୍ୟ ରଖିଥିବା ଓଟପକ୍ଷୀଟି ସାମାନ୍ୟ ମରୁଝଡ଼ରେ ମୃତ୍ୟୁର ଆଶଙ୍କା କରି ଆତ୍ମରକ୍ଷା ଆଳରେ ଯେବେ ବାଲି ଭିତରେ ଦୀର୍ଘ ସମୟ ମୁଣ୍ଡ ଗୁଞ୍ଜି ମୃତସମ ପଡ଼ିରହେ, ସେତେବେଳେ ବିଲୁଆ-କୁକୁରମାନେ ତାକୁ ଝୁମ୍ପି, ଖଣ୍ଡିଆଖାବରା କରି ପକାନ୍ତି; ଯେଉଁମାନେ କି ତା’ର ଗୋଟିଏ ଗୋଟିଏ ଗୋଇଠାକୁ ବି ସମକକ୍ଷ ନୁହନ୍ତି।
ସ୍ବାମୀ ବିବେକାନନ୍ଦଙ୍କ ଅନୁଯାୟୀ ‘ମନ୍ଦିରର ଦିଅଁପୂଜା ଅପେକ୍ଷା ରାଷ୍ଟ୍ରମାତାଙ୍କ ପୂଜନ ସହସ୍ର ଗୁଣେ ଶ୍ରେୟସ୍କର।’ ରାଷ୍ଟ୍ରମାତା ପୂଜନ ହିଁ ପ୍ରଗତିର ପାଠ୍ୟଖସଡ଼ା, ସର୍ଜନାର ସୂତ୍ର। ମାଟି ମାଆର ମଙ୍ଗଳାଚରଣ। ସ୍ବପ୍ନ ଓ ସମ୍ଭାବନାର ସଂଘୋଷ। ରାଷ୍ଟ୍ରବୋଧ ହେଉଛି ଜାଗୃତିର ଜପ। ଆଶିଷର ଆବାହନ। ଆଶ୍ୱାସନାର ଆସ୍ତରଣ। ଜାତି ନିର୍ମାଣର ନିର୍ମାଲ୍ୟ। ମାଆର ମହତ୍‌ ରକ୍ଷାର ମହାଦୀକ୍ଷା। ରାଷ୍ଟ୍ରବୋଧର ଜାଗରଣ ହିଁ ରାଷ୍ଟ୍ରକୁ ବିବିଧ ସଙ୍କଟରୁ ଉଦ୍ଧାର କରିପାରେ। ନାନାଦି ସମସ୍ୟାରୁ ସମାଜ ମୁକୁଳିଥାଏ। ମାଟିର ମଣିଷକୁ ମହାନତା ଆଡ଼େ ଟାଣିନିଏ। ମହତପଣିଆ ଉଜ୍ଜୀବିତ ହୁଏ। ମାଟିପ୍ରେମୀଟିଏ ମାଆର ମୂଲ ପାଇଁ ମନପ୍ରାଣ ଢାଳି ଦିଏ। ମାଟିର ଟେକ ଭେକ ରଖିବାକୁ ପଣ କରେ, ପ୍ରାଣାନ୍ତକ ପ୍ରୟାସ କରେ। ଏହି ରାଷ୍ଟ୍ରବୋଧ ହିଁ ପଢ଼ାଇଥାଏ ପ୍ରଶାନ୍ତିର ପୂଜାପାଠ। ପ୍ରଗତିର ମନ୍ତ୍ର। ବତାଇଥାଏ ବଢ଼ିବାର ବାଟ। ବଢ଼ାଇଥାଏ ଅସ୍ମିତା ପାଇଁ ଅଙ୍ଗୀକାରବଦ୍ଧତା। ଚେତନାର ଜାଗରଣ ସହିତ ସନ୍ତାନମାନଙ୍କ ମଧ୍ୟେ ବଢ଼ାଇଥାଏ ସେବା-ସମର୍ପଣ- ସାମାଜିକ ସମରସତାର ଭାବ। ହଟାଇଥାଏ ଜାତି ବିଦ୍ୱେଷ, ପର ଆପଣାର ଭେଦଭାବ। ଚାତୁରୀ ନୁହଁ, ଚେତନାର ଜାଗରଣ କରେ ରାଷ୍ଟ୍ରବୋଧ। ରାଷ୍ଟ୍ରବୋଧ ଭଲ ବାଟ ଦେଖାଏ। ଭଲ ମଣିଷ ହେବାକୁ ଆମକୁ ପ୍ରରୋଚିତ କରେ। ରାଷ୍ଟ୍ରପ୍ରେମୀ ମଣିଷମାନେ ସ୍ବଭାବତଃ ମାତୃଭକ୍ତ ହୋଇଥାଆନ୍ତି। ମାତୃଭକ୍ତ ମଣିଷମାନେ ସାଧାରଣତଃ ଶୁଦ୍ଧ ଓ ସଂସ୍କାରଯୁକ୍ତ। ଯିଏ ଯେତେ ମାତୃସର୍ବସ୍ବ, ସିଏ ସେତେ ସାଧୁ ଓ ସଜ୍ଜନ। ଶିବାଜୀ, ନେତାଜୀ, ବାପୁଜୀଙ୍କଠାରୁ ଆରମ୍ଭ କରି ଶ୍ରୀଅରବିନ୍ଦ, ସର୍ଦ୍ଦାର ପଟେଲଙ୍କ ପର୍ଯ୍ୟନ୍ତ ଏମାନେ ହେଉଛନ୍ତି ଜଣେ ଜଣେ ଜାଜ୍ଜ୍ୱଲ୍ୟମାନ ଦୃଷ୍ଟାନ୍ତ। ମାତୃଭକ୍ତିର ଗଭୀରତାରୁ ହିଁ ବ୍ୟକ୍ତିର ଭଲ ମଣିଷପଣିଆ ଜଣାଯାଏ। ଏହିପରି ସର୍ବୋତ୍କୃଷ୍ଟ ଜୀବନ ହେଉଛି ରାଷ୍ଟ୍ରମାତାଙ୍କ ଚରଣରେ ନିଜକୁ ସମର୍ପଣ କରିବା। ଏଣୁ ରାଷ୍ଟ୍ର ମନ୍ଦିରର ଆମେ କୋଟି ପୂଜାରୀଦଳ, ସୁପ୍ତ ଚେତନତା ଜାଗ୍ରତ କରିବା ମାତୃମନ୍ତ୍ରରେ ଦୀକ୍ଷିତ ହୋଇ। ଭାରତର ସର୍ବାଙ୍ଗୀନ ବିକାଶ ସହିତ ଉତ୍କର୍ଷତା, ଗୌରବ ଓ ଗରିମା ବୃଦ୍ଧିରେ ବ୍ରତୀ ହେବା। ରାଷ୍ଟ୍ରମାତାଙ୍କ ପ୍ରତିଟି ପୀଡ଼ାକୁ ମର୍ମେ ମର୍ମେ ଅନୁଭବ କରି ତାହାର ଉପଶମ ପାଇଁ ନିଜର ପ୍ରତିଟି ଶ୍ୱାସକୁ ସମର୍ପିତ କରିବା। ଅତଏବ ମାତୃପୂଜାରେ ଅର୍ପିତ ହେଉ ତନୁମନ। ରାଷ୍ଟ୍ରସେବାର ଯଜ୍ଞଜ୍ୱାଳାରେ ଆମ ସତ୍ତା ହେଉ ଲୀନ। କୋଟି କଣ୍ଠେ ଝରୁ ଜନନୀର ଜୟଗାନ। ପ୍ରତିଟି ପ୍ରାଣରୁ ଫୁଟି ଉଠୁ ଏହି ରାଷ୍ଟ୍ରବୋଧ।
ଗୋଡ଼ିଶୂଳ, ସଜନାଗଡ଼, ବାଲେଶ୍ୱର
ମୋ: ୯୪୩୭୪୩୬୦୭୩


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri