ଆଚାର, ବିଚାର, ସଂସାର

ଗତ ବର୍ଷ ଡିସେମ୍ବର ମଧ୍ୟଭାଗରେ ଗଣମାଧ୍ୟମରେ ଚର୍ଚ୍ଚିତ ଦୁଇଟି ଲୋମହର୍ଷଣକାରୀ ଘଟଣା ଏମିତି ଥିଲା ଯେ, ଯାହା ବାଧ୍ୟ କରିଥିଲା ସାଂସାରିକ ଜୀବନକୁ ନେଇ କିଛି ଲେଖିବାକୁ। ପ୍ରଥମ ଘଟଣାଟି ଇସ୍ପାତ ନଗରୀ ରାଉରକେଲାର। ବିବାହର ବର୍ଷଟିଏ ବି ଯାଇନାହିଁ ସାତମାସର ଗର୍ଭବତୀ ତରୁଣୀଟି ନିଜ ସ୍ବାମୀଙ୍କ ଦ୍ୱାରା ହତ୍ୟାର ଶିକାର ହୁଏ। ସେମିତି ବେଙ୍ଗାଲୁରୁର ଜଣେ ଯୁବ ଇଞ୍ଜିନିୟର ଆତ୍ମହତ୍ୟାକୁ ଆପଣାଇ ନିଏ, ଦିନକୁ ଦିନ ସ୍ତ୍ରୀ ନିର୍ଯାତନା ଅସହ୍ୟ ହେବାରୁ। ‘ଗୃହମେବ ସର୍ବତ୍ର, ସର୍ବଦା, ସର୍ବଥା ସନ୍ତୋଷଦାୟକଂ।’ ଅର୍ଥାତ୍‌ ନୀଡ଼ ବା ଗୃହ ବା ପରିବାର ସବୁସ୍ଥାନରେ, ସବୁବେଳେ, ସବୁମତେ ସନ୍ତୋଷଦାୟକ ହୋଇଥାଏ। ସାମାନ୍ୟ ଚଢ଼େଇ କଥା ବି ଧରାଯାଉ। ଆହାର ସନ୍ଧାନରେ ଯେତେଦୂର ଯାଇଥିଲେ ବି ସା ହେଲେ ଫେରି ଆସିଥାଏ ତା’ ଟିକି ଘରକୁ। କାରଣ ତା’ପାଇଁ ସେଇ ଛୋଟ ବସା ହିଁ ସବୁଠୁ ଆରାମ ଦାୟକ ଓ ନିରାପଦ। ଗୃହ ଅଗଣାରେ ନିଜ ଆତ୍ମୀୟଜନଙ୍କ ଗହଣରେ ଆମକୁ ଯେଉଁ ଶାନ୍ତି ଓ ସନ୍ତୋଷଭାବ ମିଳିଥାଏ, ତାହା ଦୁନିଆରେ ଆଉ କେଉଁଠି ମିଳି ନ ଥାଏ। ସେଥିପାଇଁ ଆମ ଶାସ୍ତ୍ରରେ ଉଲ୍ଲେଖ ଅଛି, ”ପରିଜନା: ସର୍ବେଷାମ ଶ୍ରେଷ୍ଠ:।“ ଆହୁରି ବି କୁହାଯାଇଛି, କୁଟୁମ୍ବମ ସର୍ବ ଅସ୍ତି। ପରିବାର ହେଉଛି ସବୁକିଛି। ଅର୍ଥାତ୍‌ ପରିବାର ହିଁ ଆମର ଶକ୍ତି। ପରିବାର ହିଁ ଆମର ସମ୍ପଦ। ଗୃହ ହେଉଛି ବ୍ୟକ୍ତିର ପ୍ରଥମ ପାଠଶାଳା। ପରିବାର ପରି ଉତ୍ତମ ଶିକ୍ଷକ ଆଉ କେଉଁଠି ମିଳି ନ ପାରେ। କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି ବସ୍ତୁବାଦୀ ଦୁନିଆ ପ୍ରତି ମୋହଗ୍ରସ୍ତ ମଣିଷ ବୁଝେନା ଗୃହର ଗୁରୁତ୍ୱ, ପରିବାରର ମହତ୍ତ୍ୱ ଓ ମହକ। ଏପରିକି ଆଜିକାର ଆଣ୍ଡ୍ରଏଡ୍‌ ଯୁଗର ଯୁବପିଢ଼ି ପରିବାର ବା ସଂସାରଟିଏ ଗଢ଼ିବାକୁ ବି ଅମଙ୍ଗ। ବିଶେଷକରି ଝିଅମାନେ ବେଶି ବିମୁଖ ହେଉଛନ୍ତି ସଂସାର ରଚିବାକୁ। ବ୍ୟାସକବିଙ୍କ ଭାଷାରେ, ”ଯହିଁ ନାରୀ ତହିଁ ଲକ୍ଷ୍ମୀ, ତହିଁ ସ୍ବର୍ଗଧାମ/ ଶ୍ମଶାନ ସେ ଗୃହ, ଯହିଁ ନାହିଁ ନାରୀ ନାମ।“ ଅର୍ଥାତ୍‌ ନାରୀ ହିଁ ପରିବାରର କେନ୍ଦ୍ରବିନ୍ଦୁ। ନାରୀ ହିଁ ଅସଲ ଆଧାର ସଂସାର ରଚିବା ନିମିତ୍ତ। ନାରୀ ବିନା ଘର ବି ଘର ଭଳି ଲାଗେନାହିଁ। ଶୃଙ୍ଖଳ ଓ ଶୃଙ୍ଖଳାହୀନ ଜୀବନ ପାଇଁ ହେଉ ଅବା ନିଜ ଇଚ୍ଛାର ମାଲିକ ହେବା ପାଇଁ ଅବା ସଂସାରକୁ ଜଞ୍ଜାଳ ଓ ଯନ୍ତ୍ରଣାର କାରଣ ବୋଲି ଭାବୁଥିବା ଯୋଗୁ ହେଉ, ଯେଉଁମାନେ ସଂସାର ରଚିବାକୁ ନାପସନ୍ଦ କରୁଛନ୍ତି, ସେମାନେ କିନ୍ତୁ ସମାଜ ପ୍ରତି ପ୍ରତାରଣା କରୁଛନ୍ତି ବୋଲି ମନେହୁଏ। କାରଣ ମଣିଷ ହେଉଛି ଏକ ସାମାଜିକ ପ୍ରାଣୀ। ସାମାଜିକ ପ୍ରାଣୀ ବୋଲି ମଣିଷ ସେତେବେଳେ ବିବେଚିତ ହୁଏ, ଯେତେବେଳେ ସେ ସମାଜ ବ୍ୟବସ୍ଥା, ସାମାଜିକ ବନ୍ଧନକୁ ସ୍ବୀକୃତି ଦିଏ। ବିବାହ ହେଉଛି ସାମାଜିକ ବନ୍ଧନର ଆଦ୍ୟ ଆଧାର। ମନୁଷ୍ୟ ଜୀବନର ପୂର୍ଣ୍ଣତାର ପ୍ରାରମ୍ଭ ପାଣିଗ୍ରହଣ ସଂସ୍କାର ପରେ ହିଁ ହୋଇଥାଏ। ଯେମିତି ବିଦ୍ୟାଳୟ ହେଉଛି ମହାବିଦ୍ୟାଳୟର ପ୍ରବେଶ ଦ୍ୱାର, ଠିକ୍‌ ସେମିତି ବିବାହ ହେଉଛି ଗୃହସ୍ଥାଶ୍ରମ ମହାବିଦ୍ୟାଳୟର ପ୍ରବେଶ ଦ୍ୱାର। ସଂସାର ରଚନା ଏକ ସାଧନା। ଅପରପକ୍ଷେ ଯେଉଁମାନେ (କୌଣସି କାରଣରୁ ବି ହେଉ) ବିବାହ କରୁନାହାନ୍ତି, ସେମାନଙ୍କ ମଧ୍ୟରୁ ବହୁଳାଂଶ ଭୀଷଣ ମନସ୍ତାପରେ କାଳାତିପାତ କରୁଥା’ନ୍ତି ଜୀବନର ସାୟାହ୍ନରେ। ବୃତ୍ତିଗତ ଜୀବନରୁ ଅବସର ନେବା ପରେ ନିଃସଙ୍ଗ, ଏକାକିତ୍ୱ ଜୀବନରେ ଟିକିଏ ସୁଖ-ଦୁଃଖ ବାଣ୍ଟିବାକୁ, ଭଲ-ମନ୍ଦ ବୁଝିବାକୁ ପାଖରେ ନିଜର ବୋଲି କେହି ନ ଥା’ନ୍ତି। ସାମାନ୍ୟ ଦୁଃସ୍ଥିତିରେ ଭାରାକ୍ରାନ୍ତ ହୋଇପଡ଼େ ମନ। ବୋଝ ଭଳି ମନେହୁଏ ଜୀବନ।
ବିବାହ ଅର୍ଥ ବିଶେଷ ଭାବେ ବହନ କରିବା। ପରସ୍ପରର ଦାୟିତ୍ୱ ନିର୍ବାହ କରିବା। ପାଣିଗ୍ରହଣ କରିବା ଅର୍ଥ ସୁଖଦ ଦାମ୍ପତ୍ୟ ଜୀବନ ପାଇଁ ପରସ୍ପର ପ୍ରତିଶ୍ରୁତିବଦ୍ଧ ହେବା। ସେଥିପାଇଁ ବିବାହବେଦିରେ ବର ଘୋଷଣା କରେ, ”ହେ ପ୍ରିୟତମା! ଜୀବନର ଏହି ପୁଣ୍ୟ ପର୍ବରେ ସବୁ ଦେବତାଙ୍କୁ ସାକ୍ଷୀ ରଖି ମୁଁ ତୁମର ପାଣିଗ୍ରହଣ କରୁଛି। ହେ ସୁହାଗିନୀ! ତୁମେ ଚିରକାଳ ମୋ ସହିତ ସୌଭାଗ୍ୟଶାଳିନୀ ହୋଇ ରହିଥାଅ। ମୁଁ ନିଜର ଗୃହ ସଞ୍ଚାଳନ ଦାୟିତ୍ୱ ତୁମକୁ ଅର୍ପଣ କରୁଛି। ତୁମେ ସୁଖ ପୂର୍ବକ ଏହାକୁ ନିର୍ବାହ କର।“ ଜୀବନର ଶେଷ ପର୍ଯ୍ୟନ୍ତ କନ୍ୟା ପ୍ରତି ସ୍ନେହଶୀଳ ହୋଇ ତାକୁ ସୁଖ ଶାନ୍ତିରେ ରଖିବାକୁ ସର୍ବ ସମ୍ମୁଖରେ ବର ପ୍ରତିଜ୍ଞା କରିଥାଏ। ପତି ପ୍ରତି ସମର୍ପଣ ଭାବ ନେଇ ଧର୍ମପତ୍ନୀ ମଧ୍ୟ ସେଠାରେ ପ୍ରତିଜ୍ଞା କରେ, ”ମୁଁ ପତି ବିନା ସୁଖ ଚାହେଁ ନାହିଁ, ପତି ବିନା ମୋର ସ୍ବର୍ଗ ଆବଶ୍ୟକ ନାହିଁ, ପତି ବିନା ଧନ-ସମ୍ପଦର କିଛି ମୂଲ୍ୟ ନାହିଁ, ପତି ବିନା ମୁଁ ବଞ୍ଚତ୍ବାକୁ ଚାହେଁ ନାହିଁ।“ ସଂସାର ଚଳେଇବା ଏକ ଦୁର୍ବିଷହ, କଷ୍ଟକର ବ୍ୟାପାର ବୋଲି ବିଚାରୁଥିବା ଝିଅପୁଅମାନେ ଯଦି ‘ଆଚାର’ର ବୈଶିଷ୍ଟ୍ୟକୁ ସାମାନ୍ୟମାତ୍ର ଅନୁଧ୍ୟାନ ଏବଂ ଅନୁଶୀଳନ କରନ୍ତେ, ତେବେ ବୁଝିପାରନ୍ତେ ସୁଖ-ସଂସାର ରଚନାର ସରଳ ସୂତ୍ରକୁ। ଉତ୍ତରମେରୁ – ଦକ୍ଷିଣମେରୁ ମଧ୍ୟରେ ସମ୍ପର୍କ ପରି ଖଟା ଓ ମିଠାର ସମ୍ପର୍କ। ଲବଣ ଓ କଷାର ଦୂରତା ମଧ୍ୟ ଅବନୀ ଓ ଅମ୍ବରର ଦୂରତା ପରି। ରାଗ ସହିତ ଏହି ଚିଜଗୁଡିକର ସମ୍ପର୍କର ଦୂରତା ତ ସଭିଙ୍କୁ ଜଣା। ତଥାପି ଏ ସବୁ ସାମଗ୍ରୀ ସ୍ବ ସ୍ବ ମଧ୍ୟେ ସୁସାମଞ୍ଜସ୍ୟ ବଜାୟ ରଖି ଏକାଠି ରହି ସଭିଙ୍କର ଆଦର ଲାଭ କରିଥା’ନ୍ତି; ଯାହାକୁ ଆମେ ଆଚାର ବୋଲି କହୁ। ସ୍ବାଦରେ ଆମ୍ବ ଖଟା, ଶର୍କରା ଥାଏ ମିଠା। ସେମିତି ବି ମେଥି, ସୋରିଷ କଷା ଜାତୀୟ। ମାତ୍ର ଖଟା, ମଧୁରତା, କଷା, ଲବଣତା, ରାଗ ମଧ୍ୟରେ ଏତେ ସୁନ୍ଦର ସାମଯୋଜନ, ବୁଝାମଣା ରହିଥାଏ ଯେ ସେଗୁଡ଼ିକର ସମ୍ମିଶ୍ରଣରେ ତିଆରି ଆଚାରଟି ସଭିଙ୍କ ଗ୍ରହଣୀୟ ଏବଂ ଆଦରଣୀୟ ହୋଇଯାଏ। ଗୋଟିଏ ପାତ୍ର/ପରିସରରେ ରହିଥିଲେ ବି ନିଜ ନିଜର ସତ୍ତା ଲୋପ ପାଏନାହିଁ। ବରଂ ନିଜ ନିଜର ଅସ୍ତିତ୍ୱକୁ ଅକ୍ଷୁଣ୍ଣ ରଖି ସଭିଏ ସମ୍ମାନର ସହିତ ନିଜ ଉପସ୍ଥିତି ଜାହିର କରିଥାନ୍ତି। ଆଚାର ଏତେ ସୁସ୍ବାଦୁ ବା ଆଦରଣୀୟ ହୋଇଥାଏ ଏଇଥିପାଇଁ, ଯେହେତୁ ମିଶ୍ରିତ ସାମଗ୍ରୀଗୁଡ଼ିକ ପରସ୍ପରକୁ ଅଗ୍ରାହ୍ୟ ନ କରି ସ୍ବୀକୃତି ପ୍ରଦାନ କରିଥା’ନ୍ତି। କିନ୍ତୁ ସେମାନେ ଯଦି ନିଜ ନିଜ ବଡ଼ିମା ବା ଜିଦିପଣ ବଜାୟ ରଖିଥା’ନ୍ତେ, ତେବେ ସେମାନେ କ’ଣ ଏତେ ଆଦରଣୀୟ ହୋଇପାରନ୍ତେ? ଆମ୍ବ ଯଦି କୁହେ ମୁଁ ମୋ ସ୍ବଭାବ ବା ଖଟାପଣକୁ ଟିକିଏ ବି ହ୍ରାସ କରିବାକୁ ଦେବିନାହିଁ, ଲଙ୍କା ଯଦି କୁହେ ମୁଁ କଦାପି ମୋ ରାଗପଣ କମେଇବି ନାହିଁ, ଶର୍କରା ଯଦି କୁହେ ମୁଁ ଆଦୌ ନରମିବି ନାହିଁ ବା ମଧୁରତା ହ୍ରାସ ହେବାକୁ ଦେବି ନାହିଁ, ତେବେ ଆଚାର କଦାପି ସ୍ବାଦିଷ୍ଠ ହେବ ନାହିଁ କି ସଭିଙ୍କର ଆଦରଣୀୟ ହୋଇପାରିବ ନାହିଁ। ଅର୍ଥାତ୍‌ ଭିନ୍ନ ବା ଅଲଗା ହେବାକୁ ଚେଷ୍ଟା କଲେ ସୌନ୍ଦର୍ଯ୍ୟ ନଷ୍ଟ ହେବ। ଏଣୁ ନିଜର ଅନ୍ତର୍ନିହିତ ସୌନ୍ଦର୍ଯ୍ୟ, ଗୁଣାବଳୀ, ଗରିମା ବଜାୟ ରଖିବାକୁ ହେଲେ ବ୍ୟକ୍ତିଗତ ମହତ୍ତ୍ୱାକାଂକ୍ଷା, ଅଯଥା ଜିଦିପଣ ପରିହାର କରିବାକୁ ହେବ। ସେମିତି ଗୃହ ଅଗଣାରେ ରହି ଜଣେ ଅନ୍ୟର ଗୁଣ ବା ପ୍ରକୃତିକୁ ବିରୋଧ ନ କରି ଟିକେ ଗ୍ରହଣ କରିନେଲେ ଗୃହର ମର୍ଯ୍ୟାଦା ବୃଦ୍ଧିପାଇବା ସହିତ ଆମେ ସୁଖ ଓ ଶାନ୍ତିରେ ଜୀବନ ନିର୍ବାହ କରିପାରନ୍ତୁ। ଅନ୍ୟ ଏକ ଅର୍ଥରେ ଚଳଣି ଓ ଚରିତ୍ରକୁ ଫୁଟେଇ ତୋଳିବାର ଅର୍ଥ ହେଉଛି ଆଚାର। ଠିକ୍‌ ଏହି କଥା ହିଁ କହିଥାଏ ସ୍ବାଦଯୁକ୍ତ ଦ୍ରବ୍ୟ ଆଚାର। ଚଳଣି ଓ ଚରିତ୍ରରେ ଚମକ ଖେଳିଲେ, ସ୍ବର୍ଗ ସମ ମନେହେବ ସଂସାର। ସେଥିପାଇଁ ତ କୁହାଯାଇଛି, ”ବୈକୁଣ୍ଠ ସମାନ ଆହା ଅଟେ ସେହି ଘର/ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର।“

ଉପେନ୍ଦ୍ର ବିଶ୍ୱାଳ
ମୋ: ୯୪୩୭୪୩୬୦୭୩


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri