ମନୀଷ ଅନୁରାଗ ମୃତ୍ୟୁ ମାମଲା: ଆତ୍ମସମର୍ପଣ କଲେ ୨ ସନ୍ଦିଗ୍ଧ

ଭୁବନେଶ୍ୱର,୧୩ା୧୦(ବ୍ୟୁରୋ): ବରିଷ୍ଠ ଖବରଦାତା ନବୀନ ଦାସଙ୍କ ବଡ଼ ପୁଅ ମନୀଷଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ଟୁଇଷ୍ଟ ସବୁ ପଦାକୁ ଆସୁଛି। ପୂର୍ବରୁ ମନୀଷଙ୍କ ଦୁଇ ସହଯୋଗୀକୁ ପୋଲିସ ଅଟକ ରଖିଥିବାବେଳେ ରବିବାର ଆଉ ୨ଜଣ କନ୍ଧମାଳରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ଦୁଇ ଯୁବକଙ୍କୁ ପୋଲିସ ପଚରାଉଚରା ଜାରି ରଖିଛି।

ସୂଚନାଯୋଗ୍ୟ, ଗତ ରବିବାର ମନୀଷଙ୍କ ମୃତଦେହ ପାତ୍ରପଡ଼ାର ଏକ ପୋଖରୀରୁ ମିଳିଥିଲା। ମୃତ୍ୟୁର କାରଣ ସଠିକ୍‌ ଭାବେ ଜଣା ପଡ଼ି ନ ଥିଲା। ମନୀଷଙ୍କୁ ଭୋଜି ପାଇଁ ସାଙ୍ଗମାନେ ଡାକି ନେଇ ତାଙ୍କୁ ହତ୍ୟା କରିଛନ୍ତି ବୋଲି ନବୀନ ଦାସ ଅଭିଯୋଗ କରିଥିଲେ ଓ ସେ ଆହୁରି ମଧ୍ୟ କହିଥିଲେ ଯେ, ରବିବାର ଭୋର ୪.୧୧ ମିନିଟରେ ସେ ମନୀଷଙ୍କ ସହ କଥା ହୋଇଥିଲେ ଓ ତାଙ୍କୁ ମାଡ଼ ମରାଯାଉଥିବା ମନୀଷ କହିଥିଲେ।

ଅନ୍ୟପକ୍ଷରେ ମନୀଷ ସାଙ୍ଗମାନଙ୍କ ସହ ଯାଇଥିବା ହୋଟେଲ ସାଉଥ୍‌ ସିଟିକୁ ମଧ୍ୟ ସିଲ୍‌ କରାଯାଇଛି । ତେବେ ଆତ୍ମସମର୍ପଣ କରିଥିବା ଦୁଇଜଣଙ୍କୁ ପଚରାଉଚରା ପରେ ମନୀଷଙ୍କ ମତ୍ୟୁର ସତ୍ୟତା ଜଣାପଡ଼ିବ ବୋଲି କୁହାଯାଉଛି।