ମଣିପୁର ବର୍ବରତା ତୁଳନୀୟ ନୁହେଁ

ଗତ ମେ’ ମାସରେ ମଣିପୁରରେ ସଂଖ୍ୟାଗରିଷ୍ଠ ମେଇତେଇ ସମ୍ପ୍ରଦାୟର ଏକ ଉନ୍ମତ୍ତ ଭିଡ଼ ଦ୍ୱାରା ଦୁଇ ଜଣ କୁକି ଆଦିବାସୀ ସମ୍ପ୍ରଦାୟର ମହିଳାଙ୍କୁ ଉଲଗ୍ନ କରି ସେମାନଙ୍କୁ ରାସ୍ତାରେ ପରେଡ୍‌ କରାଇ ଶେଷରେ ସାମୂହିକ ବଳାତ୍କାର କରିବା ଭିଡିଓ ଭାଇରାଲ ହେବା ପରେ ଦେଶ ଓ ବାହାରେ ହଇଚଇ ସୃଷ୍ଟି ହୋଇଛି। ସ୍ବାଭାବିକ ଭାବେ ଏହି ଘଟଣାକୁ ସମାଜର ସବୁ ମହଲରୁ ତୀବ୍ର ନିନ୍ଦା କରାଯିବା ସହ ସବୁଆଡ଼େ ବିଭିନ୍ନ ସାମାଜିକ ଓ ରାଜନୈତିକ ସଙ୍ଗଠନମାନଙ୍କ ପକ୍ଷରୁ ଜୋରଦାର ପ୍ରତିବାଦ ଦେଖିବାକୁ ମିଳିଛି।
ମଣିପୁରରେ ସଂଘଟିତ ଉପରୋକ୍ତ ବର୍ବରତା କୌଣସି ବିଚ୍ଛିନ୍ନ ଘଟଣା ନୁହେଁ। ଗତ ପ୍ରାୟ ତିନି ମାସ ଧରି ସେଠାରେ ଯେଉଁଭଳି ସାମ୍ପ୍ରଦାୟିକ ବିଦ୍ୱେଷ ଓ ହିଂସା ସମଗ୍ର ରାଜ୍ୟକୁ ଗ୍ରାସ କରିଛି ଏବଂ ସରକାରରେ ଥିବା ଲୋକେ ସେଥିପ୍ରତି ଆଖିବୁଜି ଦେଇଛନ୍ତି, ଏହି ଘଟଣା ତା’ର ତାର୍କିକ ପରିଣାମ ମାତ୍ର। ବରଂ ଏହି ଘଟଣା ପ୍ରଧାନମନ୍ତ୍ରୀଙ୍କ ବହୁପ୍ରଚାରିତ ୫୬ ଇଞ୍ଚର ଛାତି ଏବଂ ଭାଜପାର ଡବଲ ଇଞ୍ଜିନର ସରକାର ଯେ ସେଠାକାର ସାଧାରଣ ଜନତାଙ୍କ ଜୀବନ ଓ ମହିଳାଙ୍କ ଇଜ୍ଜତକୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି, ତାକୁ ପ୍ରମାଣିତ କରିଛି।
ଗତ ତିନି ମାସ ମଧ୍ୟରେ ବାରମ୍ବାର ବିଦେଶ ଗସ୍ତ କରିବାକୁ ସମୟ ପାଇଥିବା ପ୍ରଧାନମନ୍ତ୍ରୀ ଥରୁଟିଏ ମଣିପୁରକୁ ଯିବା ଦୂରର କଥା ସେଠାକାର ଲୋକଙ୍କୁ ଶାନ୍ତିରକ୍ଷା ପାଇଁ ପଦୁଟିଏ ନିବେଦନ କରି ବିବୃତି ଦେବା ଦେଖାଯାଇ ନ ଥିଲା। ତେବେ ମଣିପୁରର ଉପରୋକ୍ତ ସାମୂହିକ ବଳାତ୍କାରର ଭିଡିଓ ଏବଂ ତାକୁ ନେଇ ଦେଶର ଜନମାନସରେ ସୃଷ୍ଟି ହୋଇଥିବା ଭୟଙ୍କର ପ୍ରତିକ୍ରିୟା ଶେଷରେ ଆମର ଅନିଚ୍ଛାକୃତ ପ୍ରଧାନମନ୍ତ୍ରୀଙ୍କୁ ବିବୃତି ଦେବାକୁ ବାଧ୍ୟ କରିଛି। ବିଶେଷ କରି ଦେଶର ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଏହି ଘଟଣାକୁ ସ୍ବତଃ ସଜ୍ଞାନ ନେବା ଏବଂ ଅପରାଧୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ଯଦି ସକ୍ଷମ ନୁହଁ, ତା’ହେଲେ ଆମେ ନେବାକୁ ବାଧ୍ୟହେବୁ ବୋଲି ସରକାରକୁ ଚେତାବନୀ ଦେବା ପରେ ପ୍ରଧାନମନ୍ତ୍ରୀ ଏକ ବିବୃତି ଦେବାକୁ ବାଧ୍ୟ ହୋଇଛନ୍ତି। ଏପରି କି ଏଭଳି ବର୍ବରୋଚିତ ଘଟଣା ଘଟିବାର ଏତେଦିନ ପର୍ଯ୍ୟନ୍ତ ନୀରବତା ଅବଲମ୍ବନ କରି ଆସିଥିବା ରାଜ୍ୟ ସରକାର ଶେଷରେ ନ୍ୟାୟାଳୟର ଚେତାବନୀ ପରେ ଘଟଣାରେ ଅପରାଧୀଙ୍କୁ ଗିରଫ କରିବା ଆରମ୍ଭ କରିଛନ୍ତି।
ଦୀର୍ଘ ୭୮ ଦିନର ନୀରବତା ପରେ ପ୍ରଧାନମନ୍ତ୍ରୀ ସଂସଦ ଚାଲିଥିବା ବେଳେ ଗୃହ ଭିତରେ ବିବୃତି ନ ଦେଇ ଗୃହ ବାହାରେ ଏଭଳି ଏକ ସ୍ପର୍ଶକାତର ପ୍ରସଙ୍ଗରେ ମାତ୍ର ୩୬ ସେକେଣ୍ଡର ଯେଉଁ ବିବୃତି ଦେଇଛନ୍ତି ସେଥିରୁ ତାଙ୍କର ମଣିପୁରର ସମସ୍ୟା ନେଇ ଆନ୍ତରିକତା ଓ ଗମ୍ଭୀରତାର ଅଭାବକୁ ସ୍ପଷ୍ଟ କରୁଛି। ସେ ରାଜନୀତି କରିବାକୁ ବି ପଛେଇ ନାହାନ୍ତି। ଘଟଣା ପାଇଁ ସେ ସିଧାସଳଖ ନିଜର ତଥା ନିଜ ସରକାରର ଅପାରଗତାକୁ ସ୍ବୀକାର କରିବା ବଦଳରେ ମଣିପୁରର ବର୍ବରତା ସହିତ ଛତିଶଗଡ଼, ରାଜସ୍ଥାନ ଓ ପଶ୍ଚିମବଙ୍ଗ ପରି ଅନ୍ୟ ବିରୋଧୀ ଦଳ ଶାସିତ ରାଜ୍ୟଗୁଡ଼ିକର କିଛି ଘଟଣାକୁ ଏକାଠି ଉଲ୍ଲେଖ କରିଛନ୍ତି। ସତେଯେପରି ମଣିପୁର ଘଟଣାଟି ଦେଶର ସବୁ ରାଜ୍ୟରେ ପ୍ରତିଦିନ ଘଟୁଥିବା ଏକ ସାଧାରଣ ଘଟଣା ! ତେବେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଆସିବାର ତୁରନ୍ତ ପରେ ପରେ, ଭାଜପାର ସବୁ ନେତା ମିଡିଆରେ ମଣିପୁର ଘଟଣାକୁ ନିନ୍ଦା କରିବା ଛାଡ଼ି ଦେଇ ତାକୁ ବିରୋଧୀ ଶାସିତ ରାଜ୍ୟଗୁଡ଼ିକ ଆଇନ ଶୃଙ୍ଖଳା ପରିସ୍ଥିତି ସହିତ ତୁଳନା କରିବା ଆରମ୍ଭ କରିଦେଇଛନ୍ତି। ଏପରି କି ଏହି ଘଟଣାରେ ବ୍ୟଥିତ ହୋଇ ମାମଲାର ସ୍ବତଃ ସଜ୍ଞାନ ନେଇଥିବା ଦେଶର ମୁଖ୍ୟ ବିଚାରପତିଙ୍କୁ ସେମାନଙ୍କ ଟ୍ରୋଲ ବାହିନୀ ପକ୍ଷରୁ ଟ୍ରୋଲ କରିବା ଦେଖାଯାଇଛି।
ତେବେ ମଣିପୁର ହେଉ କି ଦେଶର ଅନ୍ୟ କେଉଁଠି ହେଉ, ମହିଳା କିମ୍ବା ଆଦିବାସୀଙ୍କ ଉପରେ ଏଭଳି ହିଂସା ଗ୍ରହଣୀୟ ନୁହେଁ। ସରକାରମାନେ ଏଭଳି ଘଟଣାରେ ଅପରାଧୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଦରକାର। କିନ୍ତୁ ମହିଳାଙ୍କ ବିରୋଧରେ ଯୌନ ହିଂସାର ଅନ୍ୟ ଉଦାହରଣ ଦେଇ ମଣିପୁରର ବୀଭତ୍ସତାକୁ ଛୁପାଯାଇ ପାରିବନି। ମହିଳାଙ୍କ ଉପରେ ହିଂସା କେବଳ ପଶ୍ଚିମବଙ୍ଗ କିମ୍ବା ରାଜସ୍ଥାନ କାହିଁକି ବରଂ ସାରା ଦେଶରେ ସବୁ ଦଳଙ୍କ ଶାସନରେ ଅବ୍ୟାହତ ରହିଛି। କିନ୍ତୁ ମଣିପୁରର ହିଂସା କେବଳ ବର୍ବରତାପୂର୍ଣ୍ଣ ନୁହେଁ ବରଂ ତାହା ସୁନିୟୋଜିତ ଭାବେ ଏକ ନିର୍ଦ୍ଦିଷ୍ଟ ଆଦିବାସୀ ସମ୍ପ୍ରଦାୟର ଓ ନିର୍ଦ୍ଦିଷ୍ଟ ଧର୍ମର ବୋଲି ହୋଇଛି। ଅତଏବ ଯେଉଁମାନେ ମଣିପୁରର ବୀଭତ୍ସତାକୁ ଅନ୍ୟ କିଛି ଘଟଣା ସହ ତୁଳନା କରି ତା’ର ବର୍ବରତାକୁ ହାଲୁକା କରି ଦେଖାଇବାକୁ ଚେଷ୍ଟା କରୁଛନ୍ତି, ସେମାନେ ଅପରାଧୀଙ୍କ ସହିତ ଗୋଟିଏ ଧାଡ଼ିରେ ଠିଆ ହୋଇଛନ୍ତି ବୋଲି କୁହାଯାଇପାରେ।
ଭାଇରାଲ ଭିଡିଓ ସାମ୍‌ନାକୁ ଆସିବା ପରେ ସେଠାକାର ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂ ସେଠାରେ ଏପରି ଶହ ଶହ ମାମଲା ଘଟିଛି ବୋଲି ଆଉ ଏକ ଦାୟିତ୍ୱହୀନ ମନ୍ତବ୍ୟ ଦେଇ ଘଟଣାକୁ ହାଲୁକା କରିବାକୁ ଚେଷ୍ଟା କରିଛନ୍ତି। ତେବେ ଭାଜପାର ନେତାମାନେ ନିଜକୁ ବଞ୍ଚେଇବା ପାଇଁ ଯାହା ବି କୁହନ୍ତୁ ମଣିପୁରର ବର୍ବରତା ଆଦୌ ଏକ ସାଧାରଣ ଅପରାଧ ଘଟଣା ନୁହେଁ। ଦୁଇ କୁକି ଆଦିବାସୀ ମହିଳାମାନଙ୍କ ନଗ୍ନ ପରେଡ୍‌ର ଭାଇରାଲ ଭିଡିଓ ସାମ୍‌ନାକୁ ଆସିବା ପରେ ମିଜୋରାମରେ ଥିବା ହଜାର ହଜାର ମେଇତେଇ ଲୋକଙ୍କୁ ନିଜର ଘରଦ୍ୱାର ଛାଡ଼ି ମଣିପୁର ଫେରିବାକୁ ପଡ଼ିଛି। ସେଠାକାର ଆଦିବାସୀ ସଙ୍ଗଠନମାନେ ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ଛାଡ଼ିବାକୁ ସେମାନଙ୍କୁ ଧମକ ଦେବା ପରେ ସରକାର ସ୍ବତନ୍ତ୍ର ବିମାନରେ ସେମାନଙ୍କୁ ମଣିପୁର ପଠାଇବାର ବ୍ୟବସ୍ଥା କରିଛନ୍ତି। ମଣିପୁରରେ ସରକାର ପ୍ରାୟୋଜିତ ଜାତିଗତ ହିଂସା, ସଂଖ୍ୟାଲଘୁ ସମ୍ପ୍ରଦାୟର ଶହ ଶହ ଉପାସନା ପୀଠକୁ ଭିଡ଼ ଦ୍ୱାରା ପୋଡ଼ିବା ତଥା ମହିଳାଙ୍କୁ ଅସଦାଚରଣ ଓ ବଳାତ୍କାର ନେଇ ୟୁରୋପୀୟ ୟୁନିୟନ ଓ ବ୍ରିଟେନ୍‌ ସଂସଦରେ ଆଲୋଚନା ହୋଇ ଉଦ୍‌ବେଗ ପ୍ରକାଶ କରାଯାଇଛି।
ମଣିପୁରରେ ଗତ ପ୍ରାୟ ତିନି ମାସ ଧରି ଗଣତନ୍ତ୍ର ନୁହେଁ, ଭିଡ଼ତନ୍ତ୍ରର ରାଜୁତି ଚାଲିଛି। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହଜାର ହଜାର ସଂଖ୍ୟାରେ ଉଗ୍ର ଭିଡ଼ ଅନ୍ୟ ସମ୍ପ୍ରଦାୟର ଲୋକ ଓ ସେମାନଙ୍କ ଗାଁଗଣ୍ଡା ତଥା ଘରଦ୍ୱାର ଉପରେ ଆକ୍ରମଣ କରୁଛନ୍ତି। ଏହି ସାମ୍ପ୍ରଦାୟିକ ହିଂସାରେ ସରକାରୀ ଭାବେ ଏଯାଏ ୧୬୦ରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଥିବା ବେଳେ ଲକ୍ଷାଧିକ ଲୋକ ପ୍ରାଣ ବିକଳରେ ନିଜର ଘରଦ୍ୱାର ଛାଡ଼ି ରାଜ୍ୟ ଓ ରାଜ୍ୟ ବାହାରେ ଥିବା ରିଲିଫ୍‌ ଶିବିରରେ ଆଶ୍ରୟ ନେଇଥିବା ଜଣାପଡ଼ିଛି। ଗତ ପ୍ରାୟ ତିନି ମାସ ଧରି ସେଠାରେ ଦୋକାନ ବଜାର, ସ୍କୁଲ କଲେଜ ଏପରି କି ଇଣ୍ଟରନେଟ୍‌ ସେବା ସମ୍ପୂର୍ଣ୍ଣ ବନ୍ଦ ହୋଇ ରହିଛି। ଆଇନ ଶୃଙ୍ଖଳା ରକ୍ଷା କରିବାରେ ସମ୍ପୂର୍ଣ୍ଣ ବିଫଳ ରାଜ୍ୟର ପୋଲିସ ବାହିନୀ ଜାତି ଆଧାରରେ ଖୋଲାଖୋଲି ଭାବେ ଦୁଇ ଭାଗ ହୋଇଯାଇଛି। ରାଜ୍ୟରେ ସମ୍ବିଧାନର ଧାରା ୩୫୫ ଲଗାଇ କେନ୍ଦ୍ର ସରକାର ଆଇନ ଶୃଙ୍ଖଳା ରକ୍ଷାର ଦାୟିତ୍ୱ ନେଇଛନ୍ତି। ମାତ୍ର ପ୍ରତିଦିନ ହତ୍ୟା, ଗୃହଦାହ, ବଳାତ୍କାର ଘଟଣା ଲଗାତର ଆସିବାରେ ଲାଗିଛି। ସଂଖ୍ୟାଗରିଷ୍ଠ ସମ୍ପ୍ରଦାୟରୁ ଆସିଥିବା ସେଠାକାର ମୁଖ୍ୟମନ୍ତ୍ରୀ ଖୋଲାଖୋଲି ଭାବେ ନିଜ ସମ୍ପ୍ରଦାୟର ଲୋକଙ୍କ ଦ୍ୱାରା ହିଂସାକୁ ପ୍ରଶ୍ରୟ ଦେଉଥିବାର ଅଭିଯୋଗ ଆସିବା ପରେ ବି ତାଙ୍କୁ କେନ୍ଦ୍ର ସରକାର ବରଖାସ୍ତ କରିବାକୁ ସାହସ କରିପାରୁନାହାନ୍ତି। ଏଭଳି ପରିସ୍ଥିତିରେ ସେଠାରେ ଚାଲିଥିବା ଭିଡ଼ତନ୍ତ୍ରର ହିଂସାକୁ ଅନ୍ୟ ରାଜ୍ୟର ହିଂସା ସହିତ ତୁଳନା କରିବା ଅବିବେକିତା ବୋଲି କୁହାଯାଇପାରେ।

  • ଭାଲଚନ୍ଦ୍ର ଷଡ଼ଙ୍ଗୀ
    ମୋ:୯୪୩୭୧୭୬୩୭୪

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri