Categories: ଜାତୀୟ

ପିଏମ୍‌ କିଷାନ ଯୋଜନାରେ ହେରଫେର୍‌, ଟଙ୍କା ଫେରାଇବା ଲାଗି ୨୧ ଲକ୍ଷ ଚାଷୀ ତାଲିକାଭୁକ୍ତ…

ନୂଆଦିଲ୍ଲୀ, ୮।୯ : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ବହୁ ହେରଫେର ହୋଇଛି। ଅଯୋଗ୍ୟ ଚାଷୀ ମଧ୍ୟ ଏହି ଯୋଜନାରେ ପଞ୍ଜୀକୃତ ହୋଇ ଲାଭାନ୍ବିତ ହେବାରେ ଲାଗିଛନ୍ତି। ଏନେଇ ଖବର ମିଳିବା ପରେ ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁୂ ଯାଞ୍ଚ୍‌ କରାଯାଇ ୨୧ ଲକ୍ଷ ଚାଷୀଙ୍କୁ ତାଲିକାଭୁକ୍ତ କରିଛନ୍ତି। ସେମାନଙ୍କୁ ପାଣ୍ଠିର ଟଙ୍କା ଫେରସ୍ତ କରିବାକୁ ପଡିବ। ବିଶେଷ କଥା ହେଉଛି ଏହି ସମସ୍ତ କୃଷକ ଉତ୍ତରପ୍ରଦେଶର। ଅଯୋଗ୍ୟ କୃଷକମାନଙ୍କୁ ଶର୍ଟଲିଷ୍ଟ କରିବାର କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି।

ଖୁବ ଶୀଘ୍ର ଅନ୍ୟ କୃଷକଙ୍କ ତାଲିକା ମଧ୍ୟ ପ୍ରକାଶ ପାଇବ। ଏବେ ଯୋଗ୍ୟ ଚାଷୀମାନଙ୍କ ଆକାଉଣ୍ଟକୁ ଯୋଜନାର ଦ୍ୱାଦଶ କିସ୍ତି ପଠାଯିବ। ଏହା ପୂର୍ବରୁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ତାଲିକାଭୁକ୍ତ ହୋଇଥିବା ଚାଷୀ ଟଙ୍କା ଫେରାଇବା ଦ୍ୱାରା ଏବଂ କେବଳ ନିର୍ଦ୍ଦଷ୍ଟ ଯୋଗ୍ୟ ଚାଷୀଙ୍କୁ ଟଙ୍କା ପଠାଇବା ଦ୍ୱାରା ସରକାରଙ୍କର କୋଟି କୋଟି ଟଙ୍କା ସଞ୍ଚୟ ହେବ ବୋଲି କୁହାଯାଉଛି।

ଏକ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମିଳନୀରେ ଉତ୍ତରପ୍ରଦେଶ କୃଷି ମନ୍ତ୍ରୀ ସୂର୍ଯ୍ୟ ପ୍ରତାପ ଶାହି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ରର ଉଚ୍ଚାଭିଳାଷୀ ଯୋଜନା ଅନ୍ତର୍ଗତ କେନ୍ଦ୍ର ସରକାରଙ୍କ ତରଫରୁ ମୋଟ ଦୁଇ କୋଟି ୮୫ ଲକ୍ଷ କୃଷକଙ୍କର ତାଲିକା ଗ୍ରହଣ କରାଯାଇଛି। ସେଥିମଧ୍ୟରୁ ୨୧ ଲକ୍ଷ ଚାଷୀ ଯାଞ୍ଚରେ ଅଯୋଗ୍ୟ ବୋଲି ଜଣାପଡିଛି।

ଯଦି ଅନ୍ୟ ରାଜ୍ୟରେ ମଧ୍ୟ ସମାନ ଅନୁସନ୍ଧାନ କରାଯାଏ, ତେବେ ଦେଶର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଚାଷୀ ଶର୍ଟଲିଷ୍ଟ ହେବେ। ଯାଞ୍ଚ ସମୟରେ ଶର୍ଟଲିଷ୍ଟ ହୋଇଥିବା ଚାଷୀଙ୍କ ମଧ୍ୟରୁ ସର୍ବାଧିକ ଲୋକ ଆୟକର ଦେୟଧାରୀ ବୋଲି ଜଣାପଡିଛି। ଯେତେବେଳେ କି ଅନେକ କ୍ଷେତ୍ରରେ ଉଭୟ ସ୍ବାମୀ ଏବଂ ସ୍ତ୍ରୀ ଏହି ପାଣ୍ଠିର ଲାଭ ପାଇଥିଲେ। ଏହିପରି ଲୋକଙ୍କ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି। ସେ କହିଛନ୍ତି ଯେ କେତେକ ହିତାଧିକାରୀଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି ଯେଉଁମାନେ ନିର୍ଦ୍ଦିଷ୍ଟ ଯୋଗ୍ୟତା ମାନଦଣ୍ଡ ପୂରଣ କରୁନାହାନ୍ତି।

Share