ମାନସଙ୍କୁ ମିଳିଲା ଭତ୍ତା

ପରଜଙ୍ଗ, ୧୮।୭(ଡି.ଏନ.ଏ.) – ସରିଛି ୧୪ବର୍ଷର ସଂଘର୍ଷ। ଦିବ୍ୟାଙ୍ଗ ମାନସଙ୍କ ଉପରେ ପଡ଼ିଛି ପ୍ରଶାସନର ଶୁଭଦୃଷ୍ଟି। ବ୍ଲକ କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ପରେ ପଞ୍ଚାୟତ ପକ୍ଷରୁ ତାଙ୍କୁ ପ୍ରଦାନ କରାଯାଇଛି ଏକ ମାସର ଭତ୍ତା ଟଙ୍କା ଏବଂ ବହି। ଏହାପରେ ‘ଧରିତ୍ରୀ’କୁ ଧନ୍ୟବାଦ ଜଣାଇଛନ୍ତି ମାନସଙ୍କ ପରିବାର।
ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁମୁସୀ ପଞ୍ଚାୟତ ବସନ୍ତପଡା ବାଲିସାହିର ମଦନ ଖିଲରଙ୍କ ପୁଅ ମାନସ (୩୨) ଜନ୍ମରୁ ମୂକ ଏବଂ ବଧିର। ଦୀର୍ଘ ୧୪ବର୍ଷ ହେଲା ଭତ୍ତା ଖଣ୍ଡିଏ ପାଇଁ ୨୦ରୁ ଊର୍ଦ୍ଧ୍ୱ ଥର ଆବେଦନ କରି ସେ ନିରାଶ ହୋଇଥିଲେ। ଏ ସମ୍ପର୍କରେ ଗତ ୧୩ ତାରିଖରେ ‘ଧରିତ୍ରୀ’ରେ ‘ହକ୍‌ ପାଇଁ ୧୪ ବର୍ଷର ଲଢ଼େଇ’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଏହାପରେ ମାନସଙ୍କୁ ଦିବ୍ୟାଙ୍ଗ ଭତ୍ତା ତାଲିକାରେ ସାମିଲ କରିବାକୁ ତତ୍ପରତା ଦେଖାଇଥିଲା ବ୍ଲକ ପ୍ରଶାସନ। ବିଡିଓ ବସନ୍ତ କୁମାର ମଲ୍ଲିକଙ୍କ ନିର୍ଦ୍ଦେଶରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାର ପ୍ରଭାସ ଚନ୍ଦ୍ର ସାମନ୍ତରାୟ ଏବଂ ପ୍ରୋଗ୍ରାମ ଆସିଷ୍ଟାଣ୍ଟ ବାନାମ୍ବର ନାୟକ ମାନସଙ୍କ ଘରେ ପହଞ୍ଚତ୍ ସମସ୍ତ ପ୍ରମାଣପତ୍ର ସଂଗ୍ରହ କରିଥିଲେ। ୧୫ ତାରିଖରେ ଭତ୍ତା ମଞ୍ଜୁର କରିବା ଲାଗି ସମସ୍ତ କାଗଜପତ୍ର ଉପଜିଲାପାଳଙ୍କ ନିକଟକୁ ପଠାଇଥିଲେ। ସେହି ଦିନ ହିଁ ଉପଜିଲାପାଳଙ୍କ ପତ୍ରସଂଖ୍ୟା ୩୧୮୪ ଅନୁଯାୟୀ ଭତ୍ତା ମଞ୍ଜୁର କରି ବ୍ଲକ କାର୍ଯ୍ୟାଳୟକୁ ପଠାଇ ଦେଇଥିଲେ। ୧୬ ତାରିଖରେ ବ୍ଲକ ପ୍ରଶାସନ ଭତ୍ତାବହି ଏବଂ ଟଙ୍କାକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଅନିରୁଦ୍ଧ ମହାଭୋଇଙ୍କୁ ପ୍ରଦାନ କରିଥିଲେ। ୧୭ ତାରିଖରେ ପିଇଓ ମାନସଙ୍କ ଘରକୁ ଯାଇ ଜୁଲାଇ ମାସର ଭତ୍ତା ବାବଦ ୭୦୦ ଟଙ୍କା ଏବଂ ବହି ପ୍ରଦାନ କରିଥିବା ବିଡିଓ ସୂଚନା ଦେଇଛନ୍ତି।