ଗାଧୋଇ ଯିବାବେଳେ ଯୁବକଙ୍କୁ ପକାଇଥିଲେ କଟୁରି ଚୋଟ, ଆଜି ଜେଲ୍‌ ଗଲେ

ଦିଗପହଣ୍ଡି,୨୦ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ବଡ଼ସାହିର ଦୀପକ ସେଠୀଙ୍କ କଟୁରି ଚୋଟରେ ପଡ଼ୋଶୀ ଡି.ବିଜୟ(୪୫) ମଙ୍ଗଳବାର ସକାଳେ ଗୁରୁତର ହୋଇଥିଲେ। ପୂର୍ବାହ୍ନ ପ୍ରାୟ ସାଢେ ୧୦ ଟାରେ ବିଜୟ ଗ୍ରାମ ନିକଟ କୁଟି ପୋଖରୀକୁ ଗାଧୋଇବା ପାଇଁ ଯାଉଥିବା ବେଳେ ଘର ଜାଗାକୁ କେନ୍ଦ୍ରକରି ଦୀପକ ତାଙ୍କୁ ଅଟକାଇ ଏକ କଟୁରିରେ ତାଙ୍କ ବେକକୁ ଚୋଟ ପକାଇବା ବେଳେ ବିଜୟ ବାମହାତରେ ଆଙ୍ଗୁଳି ଦେବାରୁ ତାଙ୍କ ହାତରେ ଚୋଟଟି ବସିଥିଲା। ସେ ପ୍ରାଣ ବିକଳରେ ପୋଖରୀ ପାଣି ଭିତରକୁ ଡେଇଁ ପଡ଼ିଥିଲେ। ଦୀପକ ଓ ତାଙ୍କ ସାଙ୍ଗରେ ଥିବା ଅନ୍ୟ ୨ ଜଣ ଅଚିହ୍ନା ଯୁବକ ଦ୍ବୟ ତାଙ୍କୁ ଧମକ ଦେଇ ସେଠାରୁ ପଳାଇଥିଲେ। ପରେ ଦୀପକଙ୍କ ବାପା କୀର୍ତ୍ତନ ସେଠୀ, ଦାଦା ନରହରି ସେଠୀ, ମାଆ ଝୁନୁ ସେଠୀ, ଭାଇ ଶଙ୍କର ସେଠୀ ଓ ଖୁଡ଼ୀ ବୁଧି ସେଠୀ ସେଠାକୁ ଆସି ବିଜୟଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ତଦନ୍ତକାରୀ ଅଧିକାରୀ ଦିଗପହଣ୍ଡି ଥାନା ଆଇଆଇସି କିଶୋର କୁମାର ସାମଲ ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତ ନରହରି ସେଠୀଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛନ୍ତି। ଥାନାରେ କେସ୍‌ ନଂ.୨୧୭/୨୬ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଥିଲା। ପରେ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍‌ ଜେଲ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟ ଅଭିଯୁକ୍ତମାନେ ଗିରଫ ଭୟରେ ଫେରାର ଥିବା ବେଳେ ଦୁଇ ପରିବାର ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଛି।

Dharitri – Odisha’s No.1 Odia Daily

Share
Tags: wound