ଦିଗପହଣ୍ଡି,୨୨।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ସୋମବାର ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟଠାରେ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋଟ ୯୬ଟି ଆବେଦନର ଶୁଣାଣି କରାଯାଇଥିବା ବେଳେ ଏକ ସ୍ପର୍ଶକାତର ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି।
ସହଦେବ ଟିକରପଡ଼ା ପଞ୍ଚାୟତ ବାବୁଲିବନ୍ଧ ଗ୍ରାମର ସନ୍ତୋଷ ବେହେରା (୪୮) ନାମକ ଜଣେ ବ୍ୟକ୍ତି ନିଜ ପରିବାର ପାଇଁ ‘ଇଚ୍ଛା ମୃତ୍ୟୁ’ ଅନୁମତି ମାଗି ଜିଲାପାଳଙ୍କୁ ଦରଖାସ୍ତ ଦେଇଛନ୍ତି। ସନ୍ତୋଷଙ୍କ ଅଭିଯୋଗ ଅନୁଯାୟୀ:
୨୦୨୨ ପଞ୍ଚାୟତ ନିର୍ବାଚନ ପରଠାରୁ ରାଜନୈତିକ କାରଣକୁ ନେଇ ଗ୍ରାମର ସାହି ବାସିନ୍ଦା ତାଙ୍କ ପରିବାରକୁ ସାମାଜିକ ବାସନ୍ଦ କରିଛନ୍ତି। ନିଆଁ-ପାଣି ବନ୍ଦ କରିବା ସହ ବିଭିନ୍ନ ଭୋଜି ଓ ସାମାଜିକ କାର୍ଯ୍ୟକ୍ରମରୁ ତାଙ୍କୁ ବାଦ୍ ଦିଆଯାଉଛି। ଗତ ୧୫ ଦିନ ତଳେ ଏକ ଭୋଜିରେ ସାହି ଲୋକଙ୍କ ବାରଣ ଯୋଗୁଁ ତାଙ୍କୁ ସାମିଲ କରାଯାଇନଥିଲା, ଯେଉଁଥିପାଇଁ ସେ ମାନସିକ ସ୍ତରରେ ଭାଙ୍ଗି ପଡିଛନ୍ତି।
ଘଟଣାର ଗୁରୁତ୍ୱ ଉପଲବ୍ଧି କରି ଜିଲାପାଳ ତୁରନ୍ତ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବ୍ରହ୍ମପୁର ଉପ-ଜିଲାପାଳ, ଅତିରିକ୍ତ ଏସ.ପି. ଏବଂ ସ୍ଥାନୀୟ ବିଡିଓ ଓ ତହସିଲଦାରଙ୍କୁ ଗାଁକୁ ଯାଇ ସାହି ବାସିନ୍ଦାଙ୍କ ସହ ଆଲୋଚନା କରି ସ୍ଥାୟୀ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏଥିସହିତ ଜନଶୁଣାଣି ଶିବିରରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଲାପଟପ୍, ଦୁଇ ଜଣଙ୍କୁ ଟ୍ରାଇ-ସାଇକେଲ ଏବଂ ତିନି ଜଣ ଅସୁସ୍ଥ ବ୍ୟକ୍ତିଙ୍କୁ ରେଡକ୍ରସ ପାଣ୍ଠିରୁ ୫,୦୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି।
ସେପଟେ ମଙ୍ଗଳବାର ଠାରୁ ଜିଲାରେ ଧାନ ମଣ୍ଡି ଖୋଲିବ ଏବଂ ଆଗାମୀ ୩ ମାସ ଯାଏଁ ଧାନ କ୍ରୟ ଜାରି ରହିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।
ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଉପ-ଜିଲାପାଳ ଅବିନାଶ କୁମାର, ଅତିରିକ୍ତ ଏସ.ପି ଆଲୋକ କୁମାର ଜେନା, ବିଡିଓ ଅନାମିକା ପାଣ୍ଡେ, ତହସିଲଦାର ସନ୍ତୋଷ ସାହୁଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧି ଉପସ୍ଥିତ ଥିଲେ।


