ବର୍ଷକୁ ୪୪ ଘଣ୍ଟାର ନିଦ ହରାଉଛି ମଣିଷ, ମହିଳାଙ୍କଠାରେ ସମସ୍ୟା ଅଧିକ…

କୋପେନହେଗେନ୍‌, ୩୧।୫ : ନିକଟରେ ହୋଇଥିବା ଏକ ଅନୁସନ୍ଧାନ ଅନୁଯାୟୀ, ତାପମାତ୍ରା ବୃଦ୍ଧି ସହିତ ଆମର ଶୋଇବା ସମୟ ହ୍ରାସ ପାଉଛି। ରାତିରେ ଉତ୍ତାପ ବୃଦ୍ଧି ହେତୁ ଏହା ଘଟୁଛି। ହାରାହାରି ଜଣେ ବ୍ୟକ୍ତି ପ୍ରତିବର୍ଷ ୪୪ ଘଣ୍ଟା ନିଦ ହରାଉଛନ୍ତି। ଡେନମାର୍କର କୋପେନହେଗେନ୍‌ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି।

୬୮ ଟି ଦେଶର ୫୭ ହଜାର ଲୋକଙ୍କ ଉପରେ ଏହି ଗବେଷଣା କରାଯାଇଥିଲା। ବୈଜ୍ଞାନିକମାନେ ହାତଗୋଡ ବ୍ୟାଣ୍ଡ ସାହାଯ୍ୟରେ ଏସବୁ ଲୋକଙ୍କ ରାତିର ନିଦ ଉପରେ ନଜର ରଖିଥିଲେ। ବୈଜ୍ଞାନିକମାନେ କହିଛନ୍ତି ଯେ ପୃଥିବୀର ତାପମାତ୍ରା ବଢୁୁଛି। ଯେଉଁଥିପାଇଁ ମଣିଷର ରାତିର ନିଦ୍ରାରେ ବ୍ୟାଘାତ ସୃଷ୍ଟି ହେଉଛି। ଏଭଳି ନିଦ କମିବା ସମସ୍ୟା ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କରେ ଏକ ଚତୁର୍ଥାଂଶ ଅଧିକ ଘଟୁଛି।

୬୫ ବର୍ଷରୁ ଅଧିକ ବୟସର ଲୋକଙ୍କ କ୍ଷେତ୍ରରେ ଏହା ଦୁଇଗୁଣା ହୋଇଥିବାବେଳେ ସ୍ବଳ୍ପ ଆୟକାରୀ ଦେଶମାନଙ୍କରେ ତିନି ଗୁଣା ବୃଦ୍ଧି ପାଉଛି। ପୂର୍ବ ଅଧ୍ୟୟନରେ ବୈଜ୍ଞାନିକମାନେ ମାନସିକ ସ୍ବାସ୍ଥ୍ୟ, ହୃଦଘାତ, ଆତ୍ମହତ୍ୟା ଏବଂ ଦୁର୍ଘଟଣା ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପରୀକ୍ଷା କରିଥିଲେ।

ଅନୁସନ୍ଧାନରେ କୁହାଯାଇଛି ଯେ ପୁରୁଷଙ୍କ ଅପେକ୍ଷା ରାତିରେ ଶୋଇବା ପୂର୍ବରୁ ମହିଳାଙ୍କ ଶରୀର ଶୀଘ୍ର ଥଣ୍ଡା ହୋଇଯାଏ। ତେଣୁ, ରାତିରେ ଉତ୍ତାପ ବୃଦ୍ଧି ହେଲେ ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି। ଏହା ବ୍ୟତୀତ ମହିଳାମାନଙ୍କର ଶରୀରର ଚର୍ମ ତଳେ ଅଧିକ ଚର୍ବି ଥାଏ, ଯେଉଁଥିପାଇଁ ସେମାନଙ୍କର ଥଣ୍ଡା ପ୍ରକ୍ରିୟା ଧୀର ହୋଇଯାଇଥାଏ।

Share