ଅମରପାଲି,୧୨/୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ମେଣ୍ଡାମାଲ ଠାରେ ହୋଇଥିବା ଅଜିତ ଖଣ୍ଡଗିରି ହତ୍ୟା ଘଟଣାକୁ ନେଇ ପୋଲିସ ଥାନାରେ ଏକ ଖବରଦାତା ସମ୍ମିଳନୀ କରିଛି । ନିଜ ବନ୍ଧୁଙ୍କ ଦାମ୍ପତ୍ୟ ଗଣ୍ଡଗୋଳ ତଥା ଘରୋଇ ହିଂସାରେ ହସ୍ତକ୍ଷେପ ଯୋଗୁ ଉକ୍ତ ହତ୍ୟାକାଣ୍ଡ ହୋଇଥିବା ପୋଲିସ ପ୍ରକାଶ କରିଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦେବେନ୍ଦ୍ର ପାତ୍ରଙ୍କ ଆଉ କିଛି ବ୍ୟକ୍ତି ସାମିଲ ଥିବା ପୋଲିସ କହିଛି। ହତ୍ୟା କାଣ୍ଡରେ ବ୍ୟବହୃତ ଟାଙ୍ଗିଆ , ଲାଠି ଓ ଏକ ମୋଟର ସାଇକଲ ନମ୍ବର ଓ ଡି ୧୨- ଇ ୧୧୮୯କୁ ଜବତ କରାଯାଇଛି। ବୀରମହାରାଜପୁର ଥାନାରେ ଗୁରୁବାର ଅପରାହ୍ନରେ ଏସଡିପିଓ ହେମନ୍ତ ରାଓ , ଆଇଆଇସି ତଥା ତଦନ୍ତ ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀଙ୍କ ଉପସ୍ଥିତିରେ ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ କେ. ହରିପ୍ରସାଦ ଉକ୍ତ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଏହି ସୂଚନା ଦେଇଛନ୍ତି। ପୋଲିସର ସୂଚନା ଅନୁସାରେ ମୁଖ୍ୟ ଅଭିଯୁକ୍ତ ଦେବେନ୍ଦ୍ର ପାତ୍ରଙ୍କ ଭଉଣୀକୁ ବଡ଼ଖମାର ( ଛନ୍ଦ ସାହି) ଗ୍ରାମର କିଶୋର ଛନ୍ଦ ବିବାହ କରିଥିଲେ । କିଶୋର ଓ ତାଙ୍କ ପତ୍ନୀଙ୍କ ସହିତ ବୈବାହିକ ଗଣ୍ଡଗୋଳ ରହିଥିଲା । ସେମାନଙ୍କ ମଧ୍ୟରେ ଘରୋଇ ହିଂସା ମଧ୍ୟ ଦେଖାଦେଇଥିଲା । ମୃତ ଅଜିତ ଖଣ୍ଡଗିରି ଓ କିଶୋର ଛନ୍ଦ ଉଭୟ ବାଲ୍ୟ ବନ୍ଧୁ ଥିଲେ । ତେଣୁ ମୃତ ଅଜିତ ଖଣ୍ଡଗିରି ସେମାନଙ୍କ ବୈବାହିକ ଗଣ୍ଡଗୋଳର ସମାଧାନ ପାଇଁ ହସ୍ତକ୍ଷେପ କରୁଥିଲେ। ମୃତ ଅଜିତ ଖଣ୍ଡଗିରି ବିଭିନ୍ନ ସମୟର ମୁଖ୍ୟ ଅଭିଯୁକ୍ତ ଦେବେନ୍ଦ୍ର ପାତ୍ର ଓ ଅନ୍ୟ ମାନଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହିତ ଧମକ ଚମକ ଦେଉଥିଲା । ଘଟଣା ଦିନ ସନ୍ଧ୍ୟାରେ ଉଭୟ ଦେବେନ୍ଦ୍ର ପାତ୍ର ଓ ମୃତ ଅଜିତ ଖଣ୍ଡଗିରିଙ୍କ ମଧ୍ୟରେ ମୋବାଇଲ ଫୋନ ମାଧ୍ୟମରେ ଯୁକ୍ତି ତର୍କ ହୋଇ ଉଭୟେ ଉଭୟଙ୍କୁ ଚାଲେଞ୍ଜ କରିଥିଲେ । ସେହିଦିନ ରାତି ୯.୩୦ ମିନିଟ ସମୟରେ ମୃତ ଅଜିତ ଖଣ୍ଡଗିରିଙ୍କ ସହିତ ସୂର୍ଯ୍ୟ ପ୍ରଧାନ , କିଶୋର ଛନ୍ଦ ଓ ହେମନ୍ତ ପ୍ରଧାନ ମେଣ୍ଡାମାଲ ଗ୍ରାମକୁ ଯାଇଥିଲେ । ଯେତେବେଳେ ମୃତ ଅଜିତ ଖଣ୍ଡଗିରି ଓ ସୂର୍ଯ୍ୟ ପ୍ରଧାନ ମେଣ୍ଡାମାଲ ଗାଁରେ ପହଞ୍ଚିଥିଲେ। ଆଗରୁ ମାରଣାସ୍ତ୍ର ସହିତ ସଜାଗ ଥିବା ମେଣ୍ଡାମାଲ ଗ୍ରାମର ଅଭିଯୁକ୍ତ ଦେବେନ୍ଦ୍ର ପାତ୍ର, ରାଜେନ୍ଦ୍ର ପାତ୍ର, ସୁରେନ୍ଦ୍ର ପାତ୍ର , ଲକ୍ଷ୍ମଣ ପାତ୍ର ଓ ଦୁସୁ ପାତ୍ର ମୃତ ଅଜିତ ଖଣ୍ଡଗିରି ଓ ସୂର୍ଯ୍ୟ ପ୍ରଧାନକୁ ଟାଙ୍ଗିଆ ଓ ଅନ୍ୟାନ୍ୟ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ଅଜିତ ଖଣ୍ଡଗିରିଙ୍କ ମୃତ୍ୟୁ ହୋଇଥିବା ବେଳେ ସୂର୍ଯ୍ୟ ପ୍ରଧାନ ଗୁରୁତର ଭାବରେ ଆହତ ହୋଇଥିଲେ। ଘଟଣା ପରେ ସମସ୍ତ ଅଭିଯୁକ୍ତ ଗିରଫ ଭୟରେ ଫେରାର ମାରିଥିଲେ। ସେହିଦିନ ରାତିରେ ଅଭିଯୁକ୍ତ ରାଜେନ୍ଦ୍ର ପାତ୍ର ଓ ସୁରେନ୍ଦ୍ର ପାତ୍ର ଜାମଗାଁ ରେ ନିଜ ଭିଣୋଇ ସୁରେଶ ମହାକୁର ଘରେ ରହିଥିଲେ। ସକାଳେ ଉଭୟ ଅଭିଯୁକ୍ତ ରାଜେନ୍ଦ୍ର ପାତ୍ର ଓ ସୁରେନ୍ଦ୍ର ପାତ୍ରକୁ ଫେରାର କରିବା ପାଇଁ ତାଙ୍କ ଭିଣୋଇ ସୁରେଶ ମହାକୁର ଉଲୁଣ୍ଡା ବ୍ଲକ ପୋଢ଼ଟିକ୍ରା ଠାରେ ଛାଡ଼ିଦେଇଥିଲେ । ସୁରେଶ ମହାକୁର , ରାଜେନ୍ଦ୍ର ପାତ୍ରଙ୍କ ମୋଟର ସାଇକେଲକୁ ଆଣି ତାଙ୍କ ପୁତୁରା କାଳିଆ ପାତ୍ରଙ୍କ ଘରେ ରଖି ଦେଇଥିଲେ । ସେହି ମୋଟର ସାଇକଲକୁ ପୋଲିସ ଜବତ କରିଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦେବେନ୍ଦ୍ର ପାତ୍ର ମାନ୍ୟବର କୋର୍ଟରେ ଆତ୍ମ ସମର୍ପଣ କରିଥିବା ବେଳେ ଜଣେ ନାବାଳକ ସମେତ ୨ ଜଣ ଲକ୍ଷ୍ମଣ ପାତ୍ର ଓ ସୁରେଶ ମହାକୁରଙ୍କୁ ପୋଲିସ ଗିରଫରେ ଜେଲରେ ରହିଛନ୍ତି । ସୋମବାର ଦିନ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ରିମାଣ୍ଡରେ ଆଣି ତଦନ୍ତ କରିଥିଲା । ତଦନ୍ତ ସମୟରେ ଅଭିଯୁକ୍ତ ବନ୍ଧରେ ଫିଙ୍ଗି ଥିବା ଟାଙ୍ଗିଆକୁ ସୂଚନା ଦେବା ପରେ ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ କୁ ଗାଁ ବନ୍ଧରୁ ଉଦ୍ଧାର କରାଯାଇଥିବା ପୋଲିସ ପ୍ରକାଶ କରିଛି । ଘଟଣା ରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଶୀଘ୍ର ଗିରଫ କରାଯିବା ବୋଲି ପୋଲିସ ପ୍ରକାଶ କରିଛି।


