ମଣିଷ କ’ଣ ବାରମାସୀ ଚଢ଼େଇ

ଇଂ. ମୁରଲୀଧର ହୋତା

ଆମେ ସାଧାରଣତଃ ପୁତ୍ରକୁ ପିତାଙ୍କର ପ୍ରତିଛବି ଭାବରେ ମାନି ନେଇଥାଉ। ଏହାର କାରଣ ହେଲା ପିତା-ମାତାଙ୍କର ଗୁଣସୂତ୍ରର ପ୍ରଭାବରୁ ପୁତ୍ରର ଜନ୍ମ। ତେଣୁ ପୁତ୍ରର ରୂପକୁ ଆମେ କହିଥାଉ ପିତୃମାତୃ ପ୍ରଦତ୍ତ ଏବଂ ଈଶ୍ୱର ପ୍ରଦତ୍ତ ମଧ୍ୟ। କନ୍ୟାମାନଙ୍କ କ୍ଷେତ୍ରରେ ସେହିଭଳି। ଜନ୍ମଲାଭ ପରଠାରୁ ହେତୁ ପାଇବା ପର୍ଯ୍ୟନ୍ତ ଜନ୍ମଦାତ୍ରୀ ମା’ ହିଁ ଆମ ଶରୀରର ଯତ୍ନ ନେଇଥାନ୍ତି। ତା’ପରେ କ୍ରମେ ଆମେ ନିଜେ ନିଜ ଶରୀରର ଯତ୍ନ ନେଇଥାଉ। କାରଣ ‘ଶରୀର ଆଦ୍ୟଂ ଖଳୁଧର୍ମ ସାଧନମ୍‌।’ ଅର୍ଥାତ୍‌ ଶରୀର ହେଉଛି ଆଦ୍ୟ ମୂଳାଧାର। ଶରୀର ସୁସ୍ଥ, ସବଳ, ନୀରୋଗ ରହିଲେ ଆମେ ତାହାରି ମାଧ୍ୟମରେ ସ୍ବଧର୍ମ, ସ୍ବକର୍ମ ଏପରି କି ମୋକ୍ଷପ୍ରାପ୍ତି ମଧ୍ୟ ହାସଲ କରିପାରିଥାଉ।
କିନ୍ତୁ ମଣିଷର ରୂପ ଏବଂ ସ୍ବରୂପ, ଦୁଇଟି ଏକା କଥା ନୁହେଁ। ମଣିଷ ବାହ୍ୟରୂପକୁ ସଜେଇହୁଏ ମୁଖ୍ୟତଃ ଅନ୍ୟମାନଙ୍କ ଦୃଷ୍ଟିପଥାରୂଢ଼ ହୋଇ ନିଜର ଆତ୍ମପ୍ରଚାର କରିବା ପାଇଁ ଯଥା- ସେ ଜଣେ ସଭ୍ୟ, ଶିକ୍ଷିତ, ଉଚ୍ଚକୁଳସମ୍ଭୂତ, ଧନାଢ଼୍ୟ, ଆଧ୍ୟାତ୍ମବାଦୀ, ସାମ୍ୟବାଦୀ ଏବଂ ସବ୍‌ଜାନ୍‌ତା ଆଦ୍‌ମୀ। ଭିତରେ କିନ୍ତୁ ସ୍ବରୂପ ସେମିତି ନ ଥାଏ। କିଛି ଲୋକ ଅଛନ୍ତି ରୂପରେ ସଜେଇ ନ ହୋଇ ମଧ୍ୟ ସେମାନଙ୍କର ସ୍ବରୂପ ଖୁବ୍‌ ଉଚ୍ଚକୋଟୀର। ରୂପ ଅପେକ୍ଷା ସ୍ବରୂପର ଗୁରୁତ୍ୱ ସବୁବେଳେ ଅଧିକ। ରୂପ ସଜେଇବାକୁ ଦାମୀ ପୋଷାକପତ୍ର, ବିଭିନ୍ନ ଆଭୂଷଣ ତଥା ପ୍ରସାଧନ ସାମଗ୍ରୀର ଆବଶ୍ୟକ ପଡ଼େ। କିନ୍ତୁ ସ୍ବରୂପ ସଜେଇହୁଏ ସତ୍ୟ, ଶାନ୍ତି, ଦୟା, କ୍ଷମା, କରୁଣା, ପ୍ରେମ, ପରୋପକାର, ମୈତ୍ରୀଭାବ ଏବଂ କୃତଜ୍ଞତା ଭଳି ଅନ୍ତର୍ନିହିତ ସଦ୍‌ଗୁଣରେ। ପରିବେଶ, ପରିସ୍ଥିତିକୁ ଦେଖି ଜଣେ ରୂପ ବଦଳାଇପାରେ। ମାତ୍ର ଜଣଙ୍କର ସ୍ବରୂପ ପ୍ରାୟତଃ ସ୍ଥିର ଥାଏ। କିନ୍ତୁ ଆଜିକାଲିର ଧୂର୍ତ୍ତ ଲୋକମାନେ ବାରମାସୀ ଚଢ଼େଇ ଭଳି ପରିସ୍ଥିତିକୁ ଦେଖି ନିଜର ସ୍ବାର୍ଥ ସାଧନ ପାଇଁ ରୂପ ବଦଳାଇବା ସହିତ ସ୍ବରୂପକୁ ମଧ୍ୟ ବଦଳାଇ ପାରୁଛନ୍ତି। ଏହାକୁ ଆମେ ବିପରୀତ ଆଚରଣ ମଧ୍ୟ କହିପାରିବା। ଏହି ବିପରୀତ ଆଚରଣ ଯୋଗୁ ଆମ ସମାଜ ଜୀବନ ଆଜି ବିପନ୍ନ। ଏହି ବିପରୀତ ଆଚରଣ ସମ୍ପର୍କରେ ଏଠାରେ କିଛି ଆଲୋଚନା କରିବା।
ଜୀବଜଗତର ସର୍ବଶ୍ରେଷ୍ଠ ପ୍ରାଣୀ ମନୁଷ୍ୟ। ତା’ର ବୁଦ୍ଧି, ବିବେକ ଏବଂ ଜାଗ୍ରତ ଚେତନା ତାକୁ ଆଣି ଆଜିର ଉନ୍ନତସ୍ତରରେ ପହଞ୍ଚାଇଛି। ତା’ ବୁଦ୍ଧିର ଚମତ୍କାରିତା ବଳରେ ସେ ଆଜି ବିଭିନ୍ନ ଗ୍ରହ, ଉପଗ୍ରହରେ ପାଦ ଥାପିବା ସମ୍ଭବ ହୋଇପାରିଛି। ମାତ୍ର କେତେଫୁଟ ଦୂରରେ ଥିବା ତା’ର ପଡ଼ୋଶୀମାନଙ୍କ ସହ ତାଙ୍କର କିଛି ସମ୍ପର୍କ ନ ଥାଏ। ଅର୍ଥାତ୍‌ ସେ ପରସ୍ପର ପାଇଁ ଅଜଣା। ବାସଗୃହ ନିର୍ମାଣ ମଣିଷର ଏକ ମୌଳିକ ଆବଶ୍ୟକତା। ଆମ ପିଲାମାନେ ସହରରେ ଏକ ସୁଉଚ୍ଚ, ସୁଦୃଶ୍ୟ ତଥା ସୁସଜ୍ଜିତ ବାସଗୃହଟିଏ ନିର୍ମାଣ କରିବା ଆମ ପାଇଁ ବଡ଼ ଆନନ୍ଦର କଥା। ବାସଗୃହ ସିନା ବଡ଼, ସେଥିରେ ବାସ କରନ୍ତି ଏକ ମିନି ପରିବାର। କାରଣ ଆମେ ଆମର ଯୌଥ ପରିବାର ବ୍ୟବସ୍ଥାଟିକୁ ନିଜ ହାତରେ ଭାଙ୍ଗିଦେଇଛୁ। ଆଉ କିଛି ଆମଭଳି ବୟସାଧିକ ବାପମାଆଙ୍କ ପାଇଁ ସେ ଘରେ ସ୍ଥାନ ମିଳେନାହିଁ। ବୃଦ୍ଧାଶ୍ରମ ହିଁ ସେମାନଙ୍କର ଅନ୍ତିମ ଠିକଣା। ବାପମା’ଙ୍କୁ ଚଳନ୍ତି ଦେବତା କୁହାଯାଏ। ମାତ୍ର ଚଳନ୍ତି ଦେବତା ତଥା ଦେବଦେବୀଙ୍କ ପ୍ରତିମା ପୂଜା ପାଇଁ ସେ ଘରେ ସ୍ଥାନ ନ ଥାଏ।
ଆଜିର ସ୍ବାସ୍ଥ୍ୟ ସଚେତନ ଶିକ୍ଷିତ ବ୍ୟକ୍ତିଟି କାର୍‌ ନେଇ ଜିମ୍‌କୁ ଯାଏ। ମାତ୍ର ସେଠାରେ ଅଙ୍ଗପ୍ରତ୍ୟଙ୍ଗର କସରତ ପାଇଁ ସାଇକେଲ ଚଳାଏ। ଆଜିର ବାବୁମାନେ ପ୍ରାୟତଃ ଶ୍ରମକାତର ଏବଂ ଆଳସ୍ୟପରାୟଣ। କାରଣ ପାଖରେ ସମସ୍ତ ଆରାମଦାୟକ ତଥା ଉପଭୋଗ୍ୟ ପଦାର୍ଥ ଉପଲବ୍ଧ। ତେଣୁ ଡାଇବେଟିକ୍ସରେ ପୀଡ଼ିତ। ଡାକ୍ତରବାବୁ ଓ ଔଷଧ ଦୋକାନୀକୁ ପଇସା ଗଣିବାରେ ବ୍ୟସ୍ତ। କୁହାଯାଏ, ପୃଥିବୀ ଆଜି ଏକ ବୈଶ୍ୱିକ ଗ୍ରାମରେ ପରିଣତ ହୋଇଛି। ମୋବାଇଲ୍‌, ଭିଡିଓ କଲ୍‌ ମାଧ୍ୟମରେ ମିନିଟ୍‌କ ଭିତରେ ଆମେ ପୃଥିବୀର ଯେକୌଣସି ପ୍ରାନ୍ତରେ ଥିବା ଲୋକଙ୍କୁ ଦେଖିପାରୁଛୁ ଏବଂ ତାଙ୍କ ସହ କଥା ହୋଇପାରୁଛୁ। ଦ୍ରୁତଗାମୀ ଉଡ଼ାଜାହାଜରେ ବସି ଆମେ ମାତ୍ର କେତେ ଘଣ୍ଟା ମଧ୍ୟରେ ସୁଦୂର ସ୍ଥାନରେ ଯାଇ ପହଞ୍ଚତ୍ପାରୁଛୁ। ଅର୍ଥାତ୍‌ ଆମେ ଦୂରତାକୁ ଜୟ କରିପାରିଛୁ। ମାତ୍ର ଗୋଟିଏ ବାସସ୍ଥଳୀର ଗୋଟିଏ କୋଠରିରେ ଥିବା ବାପାଙ୍କ ସହ ଅନ୍ୟ କୋଠରିରେ ଥିବା ପୁଅ ମୋବାଇଲ୍‌ରେ କଥା ହେଉଛି। ଅର୍ଥାତ୍‌ ଆମେ ମୁହଁକୁ ମୁହଁ କଥାବାର୍ତ୍ତା ହୋଇପାରୁନୁ, ଆମ ଭିତରେ ଦୂରତା ବଢ଼ିଛି। ମା’ଟିଏ ଦଶମାସ ଧରି ତା’ ପିଲାଟିକୁ ତା’ର କ୍ଷୁଦ୍ର ଜରାୟୁରେ ସ୍ଥାନ ଦିଏ। ମାତ୍ର ପୁଅର ବିଶାଳ ପ୍ରାସାଦରେ ମା’ ପାଇଁ ଗୋଟିଏ କୋଠରି ମିଳେନାହିଁ। ସାମାଜିକ ଗଣମାଧ୍ୟମରେ ଆମର ଶହ ଶହ ବନ୍ଧୁ ଅଛନ୍ତି। ମାତ୍ର ବିପଦଆପଦ ବେଳେ ସେମାନଙ୍କ ଭିତରୁ ଜଣଙ୍କର ବି ଦେଖାମିଳେନାହିଁ। ଦୁର୍ଘଟଣାଗ୍ରସ୍ତ ମଣିଷଟି ପାଣି ମୁନ୍ଦାଏ ପାଇଁ ଆର୍ତ୍ତ ଚିତ୍କାର କରୁଥିବାବେଳେ ଆମେ ପାଣି ମୁନ୍ଦିଏ ଦେବାକୁ ଅନିଚ୍ଛୁକ। ମାତ୍ର ତା’ର ଅସହାୟତାର ଫଟୋ ଆମେ ମୋବାଇଲ୍‌ରେ ଉଠାଇ ଭାଇରାଲ୍‌ କରିବାକୁ ଆଗଭର। ‘ବସୁଧୈବ କୁଟୁମ୍ବକମ୍‌’ର ଏହା ଆଧୁନିକ ନିର୍ଯାସ। ସଭାସମିତିରେ ବଡ଼ପଣ୍ଡା ସାଜି ଯୌତୁକ ବିରୋଧରେ ଗଳା ଫଟାଇ ଚିତ୍କାର କରୁଥିବା ବ୍ୟକ୍ତିଟି ଘରେ ବଧୂ ନିର୍ଯାତନାର ମହାନାୟକ ସାଜି ବୋହୂକୁ ଆଉ ଅଧିକ ଯୌତୁକ ଆଣିବାକୁ ବାଧ୍ୟ କରିଥାଏ। ସଭାରେ ବିଶିଷ୍ଟ ସମାଜବାଦୀ ବୋଲାଉଥିବା ଲୋକଟି ଘରେ ସାମନ୍ତବାଦର ବିଶିଷ୍ଟ ପୁରୋଧା। ଏହିଭଳି ଅନେକ ବିପରୀତ ଆଚରଣରେ ଆମ ସମାଜ ଆଜି କଳୁଷିତ। ସଭ୍ୟ, ଶିକ୍ଷିତ ଓ ଜ୍ଞାନୀ ମଣିଷ ସାମାଜିକ ଭାରସାମ୍ୟ ନଷ୍ଟ କରିବାରେ ବ୍ୟସ୍ତ।
ପିତାମାତା ବୃଦ୍ଧାଶ୍ରମକୁ ବିସ୍ଥାପିତ ନ ହୁଅନ୍ତୁ, ସାମାଜିକ ଗଣମାଧ୍ୟମରେ ଅସଂଖ୍ୟ ବନ୍ଧୁ ରୁହନ୍ତୁ କିନ୍ତୁ ଅସଲ ବନ୍ଧୁଙ୍କୁ କେବେ ବି ପାଖଛଡ଼ା କରା ନ ଯାଉ, ମାନବିକତାକୁ ଜଳାଞ୍ଜଳି ନ ଦେଇ ଦୁର୍ଘଟଣାଗ୍ରସ୍ତ ଅସହାୟ ମଣିଷର ମୋବାଇଲ୍‌ ଫଟୋ ଭାଇରାଲ୍‌ କରାଯାଉ କିନ୍ତୁ ତାକୁ ପାଣି ମୁନ୍ଦିଏ ମଧ୍ୟ ଦିଆଯାଉ। ଅର୍ଥାତ୍‌ ଭାରତୀୟ ସଂସ୍କୃତିକୁ ବିକୃତ ହେବାକୁ ଦିଆ ନ ଯାଉ। କାରଣ ଜାତି (ନେଶନ) ସ୍ବାଧୀନ ହେଉ ଅଥବା ପରାଧୀନ ହେଉ ସଂସ୍କୃତି ବଞ୍ଚତ୍ଥିବା ପର୍ଯ୍ୟନ୍ତ ଜାତିର ମୃତ୍ୟୁ ହୁଏନାହିଁ। ଅର୍ଥାତ୍‌ ଜାତିର ସ୍ବତନ୍ତ୍ରତା ନଷ୍ଟ ହୋଇଗଲେ ସେ ଜାତିର ପରିଚିତି ମଧ୍ୟ ବିଶ୍ୱ ଦରବାରରୁ ନିଷ୍କ୍ରାନ୍ତ ହୋଇଯାଏ ବା ସବୁଦିନ ପାଇଁ ହଜିଯାଏ। ତେଣୁ ଆମ ପାଇଁ କ’ଣ କରଣୀୟ ତାହା ପାଠକମାନଙ୍କ ବିଚାର ଲାଗି ଛାଡ଼ିଦେଉଛି।
ମହାନଦୀ ବିହାର, କଟକ
ମୋ-୯୮୬୧୧୪୦୧୬୯


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri